ରାଜ୍ୟ ନିର୍ବାଚନ କମିଶନରଙ୍କ ସମୀକ୍ଷା ବୈଠକ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହ ଠାରେ ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଥିବା ପିଆରଆଇ (ତ୍ରିସ୍ତରୀୟ ପଞ୍ଚାୟତିରାଜ ସଂସ୍ଥା ଏବଂ ୟୁଏଲବି (ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା) ନିର୍ବାଚନ ସଂପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଏହି ନିର୍ବାଚନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ପିଆରଆଇ ଏବଂ ୟୁଏଲବିର ନିର୍ବାଚନ ସମୟରେ ଉପୁଜିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ବିଭାଗୀୟ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ । ନିର୍ବାଚନର ସୁପରିଚାଳନା ପାଇଁ ପୁଲିଂ ବୁଥ୍ ସ୍ଥାପନ, ପୁଲିଂ କର୍ମଚାରୀଙ୍କ ନିୟୋଜନ ପ୍ରକ୍ରିୟା, ପ୍ରତ୍ୟେକ ବୁଥରେ ମତଦାନ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା, ଉତ୍ତେଜନା ପ୍ରବଣ ବୁଥ୍ରେ ସୁରକ୍ଷ।। ବ୍ୟବସ୍ଥା, ଭୋଟ ଗଣତି ପାଇଁ ହୋଇଥିବା ବ୍ୟବସ୍ଥା ସଂପର୍କରେ ଅବଗତ ହୋଇଥିଲେ । ଆଗାମୀ ନିର୍ବାଚନ ସମୟରେ ବ୍ୟବହାର ପାଇଁ ମହଜୁଦ ଥିବା ବାଲଟ ବକ୍ସକୁ ସୁରକ୍ଷିତ ରଖିବା ପାଇଁ ଯତ୍ନବାନ୍ ହୋଇ ଏହାର ସଠିକ ତଦାରଖ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ, ଆଇଏଏସ ପ୍ରୋବେସନ ଭଗତ ସାମଲ କଲ୍ୟାଣ ରାଓ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦୀପ୍ତି ରଂଜନ ସେଠୀ, ସଦର ଉପଜିଲ୍ଲାପାଳ ବିଭୁଧ ଗଡ଼ନାୟକ, କାମାକ୍ଷାନଗର ଉପ ଜିଲ୍ଲାପାଳ ଦୀନମଣି ନାଏକ ଏବଂ ହିନ୍ଦୋଳ ଉପ ଜିଲ୍ଲାପାଳ ପ୍ରଭାସ କୁମାର ବେଉରାଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ, ସମସ୍ତ ପୌରାଞ୍ଚଳର ନିର୍ବାହୀ ଅଧିକାରୀ ଓ ବିଡ଼ିଓମାନେ ଉପସ୍ଥିତ ରହି ନିର୍ବାଚନ କମିଶନରଙ୍କୁ ନିର୍ବାଚନୀ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ଶେଷରେ ସଦର ଉପଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।