ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୪ ।୧ : ବିବାହର ମିଥ୍ୟ ପ୍ରତିଶୃତି ଦେଇ ଯୁବତୀଙ୍କ ସହ ସମ୍ପର୍କ ରଖିବା ସହ ତାଙ୍କର ଅଜାଣତରେ ତାଙ୍କର ଅଶ୍ଳୀଳ ଭିଡ଼ିଓ ଓ ଫଟୋକୁ ଉଠାଇ ବ୍ଲାକମେଲିଂ । ଏନେଇ ଯୁବତୀ ଅଭିଯୁକ୍ତର ଅସଲ ଘଟଣା ଜାଣିବା ପରେ ସେ ଯେମିତି ବିବାହ ପାଇଁ ମନା କରିଥିଲେ ସେମିତି ଅଭିଯୁକ୍ତ ତାଙ୍କର ଭିଡ଼ିଓ ଓ ଫଟୋକୁ ସୋସାଲ ମିଡ଼ିଆରେ ଭାଇରାଲ କରିଥିଲା । ଏନେଇ ଅଭିଯୋଗକାରିଣୀ ଜଣଙ୍କ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିବା ସହ ତା ମୋବାଇଲରୁ ଫଟୋ ଓ ଭିଡ଼ିଓକୁ ଡ଼ିଲେଟ୍ କରି ମୋବାଇଲକୁ ସିଜ୍ କରିଛି । ପରେ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ମୟୁରଭଞ୍ଜ ଜିଲ୍ଲାର ଫତେ ସୋରେନ୍ ।
 ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଜଣକ ଗତ ୭ ବର୍ଷ ପୂର୍ବେ ନିଜ ବଡ଼ ଭଉଣୀଙ୍କ ଘରକୁ ବୁଲିବାକୁ ଯାଉଥିବା ବେଳେ, ସେଠାରେ ଅଭିଯୋଗକାରିଣୀଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା । ଅଭିଯୁକ୍ତ ଅଭିଯୋଗକାରିଣୀଙ୍କୁ ସେଠାରେ ବିବାହ ଲାଗି ପ୍ରସ୍ତାବ ଦେଇଥିଲେ ଏବଂ ଏହା ପରଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା । ପରେ ଉଭୟ ପରସ୍ପର ସହିତ ଫୋନରେ କଥା ହେବା ସହ ବିଭିନ୍ନ ସ୍ଥାନରେ ଦେଖାସାକ୍ଷାତ କରୁଥିଲେ । ଇତି ମଧ୍ୟରେ ଅଭିଯୁକ୍ତ ଅଭିଯୋଗକାରିଣୀଙ୍କ ଅଜ୍ଞାତରେ ତାଙ୍କର କିଛି ଆପତ୍ତିଜନକ ଫଟୋ ଓ ଭିଡ଼ିଓକୁ ଉତ୍ତୋଳନ କରି ତା ମୋବାଇଲରେ ରଖିଥିଲା । କିଛିଦିନ ବିତିଯିବା ପରେ ଅଭିଯୁକ୍ତ ଜଣକ ଖଳ ପ୍ରକୃତିର ଏବଂ ତାଙ୍କର ଅନ୍ୟ କିଛି ଝିଅଙ୍କ ସହିତ ମଧ୍ୟ ସମ୍ପର୍କ ଥିବା ଜାଣି ଅଭିଯୋଗକାରିଣୀ ତାଙ୍କୁ ବାହା ହେବାକୁ ମନା କରିଦେଇଥିଲେ । ଏହାପରେ ଅଭିଯୁକ୍ତ ତାଙ୍କର ଫଟୋ ଓ ଭିଡ଼ିଓକୁ ସୋସାଲ ମିଡ଼ିଆରେ ଭାଇରାଲ କରିଦେଇଥିଲା । ଏହି ଘଟଣା ପରେ ଅଭିଯୋଗକାରିଣୀ ଏନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ।