ଚୋରା ମୋବାଇଲ କିଣି ବନ୍ଧାହେଲେ ମହିଳା

ଭୁବନେଶ୍ୱର, ୨୭ା୪ : କ୍ୟାମ୍ପସରେ ସୋଇଥିବା ବେଳେ ଲେବର ମାନଙ୍କର ୪ଟି ମୋବାଇଲ ଚୋରି କରି ନେଇ ଅଭିଯୁକ୍ତ ଜଣେ ସମ୍ପର୍କିୟ ଭଉଣୀକୁ ବିକ୍ରି କରିଥିବା ବେଳେ ମୋବାଇଲ ଟ୍ରାକିଂ କରି ମହିଳାଙ୍କୁ ଗିରଫ କରିଛି ମୈତ୍ରୀବିହାର ଥାନା ପୁଲିସ । ତାଙ୍କଠାରୁ ଏକ ମୋବାଇଲ ଜବତ କରିବା ସହ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି । ଗିରଫ ମହିଳା ହେଲେ ଶିଖରଚଣ୍ଡୀ ବଙ୍ଗାଳୀ ସାହିର ପୂର୍ଣ୍ଣିମା ପୋଥାଳ ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ହୃଷି ବେହେରା ହେଉଛନ୍ତି ଜଣେ ଶ୍ରମିକ । ସେ ହାତିଆଶୁଣି ନିର୍ମାଣ କମ୍ପାନୀ ଅଞ୍ଚଳରେ କାମ କରନ୍ତି । ଗତ ଜାନୁୟାରୀ ୨୦ ତାରିଖ ରାତିରେ ସେ ତାଙ୍କର କିଛି ସାଙ୍ଗ ମାନଙ୍କ ସହ ହାତିଆଶୁଣି କ୍ୟାମ୍ପସରେ ସୋଇଥିଲେ । ଏହି ସମୟରେ ଜଣେ ଜଗା ନାମକ ଲୁଟେରା ରୁମରେ ପସି ସେଠାରୁ ୪ଟି ମୋବାଇଲ ଚୋରି କରି ନେଇଯାଇଥିଲା । ଏନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ମୋବାଇଲ ଟ୍ରାକିଂ ଲିଷ୍ଟରେ ପକାଇଥିବା ବେଳେ ଶିଖରଚଣ୍ଡୀ ବସ୍ତିର ଜଣେ ମହିଳା ଚୋରି ହୋଇଥିବା ମୋବାଇଲ ବ୍ୟବହାର କରୁଥିବା ଜଣାପଡ଼ିଥିଲା । ପରେ ପୁଲିସ ଟିମ ଫୋନକୁ କଲ କରି ମୋବାଇଲ ଟି ଫେରସ୍ତ କରିବାକୁ କହିଥିଲେ । ହେଲେ ମହିଳା ଜଣଙ୍କ ତାଙ୍କ ଭାଇ ଠାରୁ ୬ ହଜାର ଟଙ୍କାରେ ମୋବାଇଲ କିଣିଥିବା କହି ଆଉ ସେ ମୋବାଇଲ ଫେରସ୍ତ କରିନଥିଲେ ଓ ସେ କୁଆଡେ ଫେରାର ହୋଇଯାଇଥିଲେ । ଫଳରେ ପୁଲିସ ବାଧ୍ୟ ହୋଇ ବସ୍ତିରେ ଚଢ଼ାଉ କରି ମହିଳାଙ୍କୁ ଗିରଫ କରିବା ସହ ତାଙ୍କଠାରୁ ମୋବାଇଲ ଜବତ କରିଛି ।