ଏନଏଚ୍-୧୬ରୁ ଝାମ୍ପିନେଲେ ମୋବାଇଲ; ୨ ଗିରଫ

ଏନଏଚ୍-୧୬ରୁ ଝାମ୍ପିନେଲେ ମୋବାଇଲ; ୨ ଗିରଫ

ଭୁବନେଶ୍ୱର, ୨୩ା୧୧ : ଜାତୀୟ ରାଜପଥରେ ମାତିଛନ୍ତି ହାଇୱେ ଲୁଟେରା । ଏକା ଦେଖି ଖଣ୍ଡା ଓ ଭୁଜାଲି ଦେଖାଇ ଲୁଟି ନେଉଛନ୍ତି ଟଙ୍କା, ସୁନା ଓ ମୋବାଇଲ । ସେହିଭଳି ଜଣେ ବ୍ୟକ୍ତିଙ୍କୁ ଏନଏଚ୍-୧୬ରେ ଏକା ଦେଖି ତାଙ୍କ ଠାରୁ ମୋବାଇଲ ଲୁଟି ନେଇଥିବା ଜଣେ ଲୁଟେରା ଓ ଜଣେ ନାବାଳକ ଲୁଟେରାକୁ ଗିରଫ କରିଛି ଇନଫୋଭ୍ୟାଲି ଥାନା ପୁଲିସ । ସେମାନଙ୍କ ଠାରୁ ୪ଟି ମୋବାଇଲ, ୨ଟି ଗ୍ୟାସ୍ ସିଲିଣ୍ଡର ଓ ଏକ ବାଇକ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଅରିସଲ ଅଞ୍ଚଳର ଚିନ୍ମୟ ମୁଦୁଲି । ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି ।
 ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ଦେବାଶିଷ ଜେନା ଗତ ୧୯ ତାରିଖ ମଧ୍ୟାହ୍ନରେ ନିଜ ସ୍କୁଟିରେ କୌଣସି ଏକ କାମରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଯାଉଥିବା ବେଳେ, ଏନଏଚ-୧୬ରେ ଥିବା ଗଙ୍ଗପଡ଼ା ପେଟ୍ରୋଲ ପମ୍ପ ନିକଟରେ ଅଭିଯୁକ୍ତ ଏବଂ ତାର ଜଣେ ନାବାଳକ ସହଯୋଗୀ ଏକ ବାଇକରେ ପଛପଟୁ ଆସି ତାଙ୍କ ମୋବାଇଲ ଫୋନ୍ ବଳପୂର୍ବକ ଛଡାଇ ନେଇଯିବା ସହ ଘଟଣା ସ୍ଥଳରୁ ଦୃତଗତିରେ ଫେରାର ଖସି ପଳାଇଥିଲେ । ଏହି ସମୟରେ ଅଭିଯୋଗକାରୀ ଉଭୟଙ୍କୁ ବେସ କିଛି ବାଟ ପିଛା କରିଥିଲେ ମଧ୍ୟ ଉଭୟଙ୍କୁ କାବୁ କରିବାରେ ସକ୍ଷମ ହୋଇପାରି ନଥିଲେ ।  ପରେ ସେ ଏନେଇ ଇନଫୋଭ୍ୟାଲି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ସିସିଟିଭି କ୍ୟାମେରାରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଆଜି ୨ ଜଣଙ୍କୁ ଗିରଫ କରାଯାଇଛି । ପରେ ସେମାନଙ୍କ ଠାରୁ ୪ଟି ଚୋରା ମୋବାଇଲ, ୨ଟି ଗ୍ୟାସ ସିଲିଣ୍ଡର ଓ ଏକ ବାଇକ ଜବତ କରାଯାଇଛି । ଏହି ସମୟରେ ଅଭିଯୁକ୍ତ ଚିନ୍ମୟର ଅପରାଧୀକ ଯାଞ୍ଚ ବେଳେ ପୂର୍ବରୁ ତମାଣ୍ଡୋ ଥାନାରେ ୨ଟି ମାମଲା ରହିଥିବା ବେଳେ, ଇନଫୋଭ୍ୟାଲି ଥାନାରେ ୬ଟି ମାମଲା ରହିଥିବା ପୁଲିସ ଜାଣିବାକୁ ପାଇଛି ।