ଯୁବଶକ୍ତି ହିଁ ରାଷ୍ଟ୍ରର ଆଧାର

ଯୁବଶକ୍ତି ହିଁ ରାଷ୍ଟ୍ରର ଆଧାର

ଡ.ମନୋଜ କୁମାର ମହାନ୍ତି : ଇତିହାସର ପୁନରାବୃତ୍ତି ହେବା ସ୍ୱାଭାବିକ ଘଟଣା । ଯେଉଁଠି ସମାଜ ସେଇଠି ପ୍ରାଚୀନ ପରମ୍ପରା ଓ ସଂସ୍କୃତିର ଆଦାନପ୍ରଦାନ ପୁଣି  ଅନୁସରଣ । ଯୁଗେଯୁଗେ ପରମ୍ପରା ଓ ସଂସ୍କୃତିର ବୃହତ୍‌ ଗନ୍ତାଘରରୂପେ ସମାଜ ଦଣ୍ଡାୟମାନ । ପ୍ରତ୍ୟେକ ମଣିଷ ଏଇଠୁ ଶିଖେ ପୁଣି ପରମୁହୁର୍ତ୍ତରେ ଅନ୍ୟକୁ ଶିଖାଏ । ମାନବିକ ବିକାଶ କ୍ଷେତ୍ରରେ ସମାଜ ଏକ ପ୍ରୟୋଗଶାଳା । ସଭ୍ୟତାର ବିକାଶରେ ବ୍ୟକ୍ତିର ଚିନ୍ତାଚେତନା, ବଳିଷ୍ଠ ବ୍ୟକ୍ତିତ୍ୱ, ଆଦର୍ଶ ଏବଂ ଜୀବନଦର୍ଶନ ଏକ ମହୌଷଧି ରୂପେ କାର୍ଯ୍ୟକରେ । ସେମାନଙ୍କ ଜୀବନଶୈଳୀ ସମାଜର ଜନସାଧାରଣଙ୍କ ପାଇଁ ପ୍ରେରଣାର ଉତ୍ସ । ସେମାନେ ଇତିହାସର ଯେକୌଣସି ଅଧ୍ୟାୟରେ, ଯେ କୌଣସି ପୃଷ୍ଠାରେ ସ୍ଥାନିତ ହୁଅନ୍ତି । ଜାତୀୟ ଚେତନାର ସ୍ରୋତରୂପେ ଏକ ସ୍ୱତନ୍ତ୍ର ପୃଷ୍ଠାଭାବେ ଏକ ନିର୍ଦ୍ଧିଷ୍ଟ ଭୌଗଳିକ ପରିସୀମାର ପରିଧିର ଉର୍ଦ୍ଧ୍ୱକୁ ଯାଇ ବିଶ୍ୱର ଭିନ୍ନଭିନ୍ନ ବିଭିନ୍ନ କୋଣରେ ଛାଡ଼ିଯାନ୍ତି ସେମାନଙ୍କର ପାଦଚିହ୍ନ । ଯାହାର ଯୌବନ ଯେତେ ଶୁଦ୍ଧ ତାର ବ୍ୟକ୍ତିତ୍ୱ ସେତେ ଦୀର୍ଘସ୍ଥାୟୀ ।ଚରିତ୍ର ଆଧାରରେ ବ୍ୟକ୍ତିର ସାମାଜିକ ଓ ରାଷ୍ଟ୍ରୀୟ ପରିଚୟର ଏକ ନୂତନ ଅଧ୍ୟାୟ ସୃଷ୍ଟିହୁଏ ।

  ପ୍ରଥମ ଭାରତୀୟ ଯୁବସନ୍ଥଭାବେ ୧୮୯୩ରେ ଆମେରିକାର ଚିକାଗୋ ସହରରେ ମାତ୍ର ୨୯ତମ ବୟସରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଯେଉଁଭଳି ବିଶ୍ୱ ଧର୍ମସଂସଦରେ ଉପସ୍ଥାପନ କରିଥିଲେ ତାହା କେବଳ ଭାରତୀୟଙ୍କୁ ଗୌରବାନ୍ୱିତ କରିନଥିଲା ବରଂ ବିଶ୍ୱଜନମାନସକୁ ଚକିତ ତଥା ପ୍ରେରଣା ଯୋଗାଇଥିଲା । ବିଶ୍ୱରେ ଭାରତୀୟ ସଂସ୍କୃତି, ଦର୍ଶନ ଓ ଜ୍ଞାନର ଏକ ସ୍ୱତନ୍ତ୍ର ପରିଚୟ ଆରମ୍ଭ ହୋଇଥଲା ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା । ବେଦାନ୍ତ ଦର୍ଶନର ମୂଳତତ୍ତ୍ୱ, ପ୍ରତ୍ୟେକ ଜୀବନ ପାଇଁ କିପରି ମହତ୍ତ୍ୱପୂର୍ଣ୍ଣ ତାହା  ସମଗ୍ର ବିଶ୍ୱବାସୀଙ୍କ ଦ୍ୱାରା କିପରି ଗ୍ରହଣୀୟ ଥିଲା ଏକ ଯୁଗାନ୍ତକାରୀ ଚିନ୍ତାଧାରା । ବେଦାନ୍ତ ଦର୍ଶନର ଚିନ୍ତାଧାରା ଯେଉଁ ମାତ୍ରାରେ ବିଶ୍ୱର ବସ୍ତୁବାଦୀ ସାମାଜିକ ଜୀବନକୁ ପ୍ରଭାବିତ କରିଥିଲା ତାହାର ଫଳସ୍ୱରୂପ ଆମେରିକା ଓ ଇଉରୋପରେ ବେଦାନ୍ତ ଦର୍ଶନର ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଚିକାଗୋ ଧର୍ମସଂସଦରେ ନିଜର ଆକର୍ଷଣୀୟ ଭାଷଣ ପରେ ଆମେରିକା ଓ ଇଉରୋପରେ ବେଦାନ୍ତ ଦର୍ଶନର ଖୁବ୍‌ ଚର୍ଚ୍ଚିତ ବ୍ୟକ୍ତି ଭାବରେ ସ୍ୱାମୀଜୀଙ୍କୁ ନିମନ୍ତ୍ରଣ ପରେ ନିମନ୍ତ୍ରଣ ମିଳିଥିଲା । ପ୍ରାୟ ଅଢେଇ ବର୍ଷ ବେଦାନ୍ତ ଦର୍ଶନର ବକ୍ତାଭାବେ ଆମେରିକା ଓ ଇଂଲଣ୍ଡରେ ପ୍ରଚାର ଓ ଭ୍ରମଣ ପରେ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ସ୍ୱଳ୍ପ ଜୀବନ ମଧ୍ୟରେ ଯେଉଁ ବ୍ୟକ୍ତିର ଚିନ୍ତାଧାରା ବିଶ୍ୱରେ ବିଜୁଳିଗତିରେ ବ୍ୟାପିଥିଲା,ସେଭଳି ବ୍ୟକ୍ତିତ୍ୱକୁ ନିଶ୍ଚିତଭାବେ ଇତିହାସ ତା ପୃଷ୍ଠାରେ ସ୍ଥାନିତ କରିବାର ଗୌରବ ଅର୍ଜନ କରିବ ।ଭାରତର ପରମ୍ପରା,ସଂସ୍କୃତି ଓ ସଭ୍ୟତାର ମହତ୍ତ୍ୱକୁ ବିଶ୍ୱଦରବାରରେ ଉପସ୍ଥାପନ କରି ଭାରତୀୟ ଗୌରବର ମହିମାମଣ୍ଡନରେ ଯେ ନିଜକୁ ସାମିଲ୍‌ କରିଥିଲେ ସେ ହିଁ ବିଶ୍ୱବିଜୟୀ ସ୍ୱାମୀ ବିବେକାନନ୍ଦ । 


  ଶୈଶବରୁ କୈଶୋର, ପୁଣି କୈଶୋରକୁ ଅତିକ୍ରମ କରି ଜୀବନ ପହଞ୍ଚେ ଯୌବନରେ । ଯୌବନ, ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ସମୟ, ଚଳଚଞ୍ଚଳ ପ୍ରବାହମାନ ସ୍ରୋତ । ଯୌବନ ହିଁ ନିର୍ଦ୍ଧାରଣ କରେ ପ୍ରତ୍ୟେକ ଯୁବକର ଭାଗ୍ୟଭବିଷ୍ୟତ । ଯୌବନକୁ ଯେଉଁ ବାଟରେ ପରିଚାଳିତ କରିବା ଜୀବନ ଠିକ୍‌ ସେମିତି ପ୍ରତିଷ୍ଠା ଲାଭ କରିବ । ସ୍ୱାମୀ ବିବେକାନନ୍ଦ ଏକଥା ମର୍ମେମର୍ମେ ଅନୁଭବ କରିଥିଲେ । ୩୯ ବର୍ଷର ସ୍ୱଳ୍ପ ସମୟ ମଧ୍ୟରେ ବିଶ୍ୱ ଯୁବସମାଜକୁ ସେ ଯେଉଁ ମନ୍ତ୍ରରେ ବିମୁଗଧ କରିଥିଲେ ତାହା ଅବିଶ୍ୱସନୀୟ, ଅବର୍ଣ୍ଣନୀୟ । ୨୧ତମ ବର୍ଷ ବୟସରେ ନିଜ ପିତାଙ୍କୁ ହରାଇ ଉଭୟ ପରିବାରିକ ଓ ଆର୍ଥିକ ଦୁ୍‌ର୍ଦ୍ଦଶା ସତ୍ତେ୍ୱ ଗୁରୁ ରାମକୃଷ୍ଣ ପରମହଂସଙ୍କ ନିକଟରେ ନିଜକୁ ସମର୍ପିତ କରିବା ବିବେକାନନ୍ଦଙ୍କ ପାଇଁ ଏକ ବୃହତ୍‌ ସମସ୍ୟା ଥିଲାପରି ଲାଗେ । ପିତୃ ବିୟୋଗର ଦୁଃଖ, ମାତା ତଥା ଭ୍ରାତ୍ରୁଭଗିନୀଙ୍କ ଦାୟିତ୍ୱର ବହୁ ଊର୍ଦ୍ଧ୍ୱରେ ଥିଲା ଚିନ୍ତାଧାରା ।ଯୌବନର ଉଦ୍ଧମତାକୁ କାବୁକରି ଶୁଦ୍ଧ ଯୌବନର ଅଧିକାରୀ ହେବା ଏତେ ସହଜ ନୁହେଁ । ବରଂ ଯୌବନର କାମନା ରୂପକୁ ନିଆଁକୁ କିପରି ଆୟତ୍ତ କରାଯାଇପାରିବ ତାହା ହିଁ ଥିଲା ତାଙ୍କ ଉଦ୍ଦେଶ୍ୟ । ରାମକୃଷ୍ଣ ପରମହଂସଙ୍କ ଦେହତ୍ୟାଗ ପରେ ନିଜକୁ ସମ୍ପୂର୍ଣ ସମର୍ପିତ କରିଥିଲେ ସନ୍ୟାସୀ ଭାବରେ । ଗେରୁଆବସ୍ତ୍ର ପରିଧାନ ପୂର୍ବକ ସନ୍ୟାସୀ ବେଶରେ ସେ ଭାରତର ଭିନ୍ନଭିନ୍ନ ରାଜ୍ୟର ଅଞ୍ଚଳମାନ ଭ୍ରମଣ କରିଥିଲେ । ଏହି ଭ୍ରମଣ କାଳ ମଧ୍ୟରେ ସେ ଅନୁକ୍ଷଣ କରିଥିଲେ ଭାରତୀୟମାନଙ୍କର ଦୁର୍ଦ୍ଦଶାପୂର୍ଣ୍ଣ ଜୀବନ ଓ ଜୀଇଁବାର ଶୈଳୀ । ଇଂରେଜ ଶାସନ କାଳରେ ଭାରତୀୟ ମାନଙ୍କର ଦୁଃଖଭରା ଜୀବନ ତାଙ୍କୁ ବ୍ୟସ୍ତବିବ୍ରତ କରିଥିଲା ଓ ସେ ମାନସିକ ସ୍ତରରେ ଅତ୍ୟନ୍ତ ମର୍ମାହତ ହୋଇଥିଲେ । ଜଣେ ଯୁବକ ଭାବରେ ଭାରତୀୟ ଯୁବଗୋଷ୍ଠୀ ମଧ୍ୟରେ ଥିବା ବିପୁଳ ସମ୍ଭାବନାକୁ ସେ କିପରି ସାକାର କରି ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଅଣାଯାଇପାରିବ ସେଥିପାଇଁ ଉପାୟ ଖୋଜୁଖୋଜୁ ଏକ ସିଦ୍ଧାନ୍ତରେ ଉପନୀତ ହେଲେ ଯେ ସବୁ ସମସ୍ୟାର କାରଣ ଦାରିଦ୍ର୍ୟ ଓ ନିରକ୍ଷରତା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବଗୋଷ୍ଠୀ ।

   ଶିକ୍ଷା ହିଁ ଏକମାତ୍ର ଅସ୍ତ୍ର ଯାହାକୁ ହତିୟାର କରି ଯୁବକମାନଙ୍କ ଜୀବନକୁ ପରିବର୍ତ୍ତନ କରାଯାଇପାରିବ । ଫିକା ପଡ଼ିଯାଇଥିବା ଯୁବଗୋଷ୍ଠୀଙ୍କ ଜୀବନର ମାନଚିତ୍ରକୁ କେବଳ ଶିକ୍ଷା ମାଧ୍ୟମରେ ରଙ୍ଗୀନ୍‌ କରା ଯାଇ ପାରିବ । ଜଣେ ଆଧ୍ୟାତ୍ମିକ ଯୋଗୀ ଓ ସମାଜ ସଂସ୍କାରକ ଭାବେ ତାଙ୍କର ଅନୁଭବ ଥିଲା ଶିକ୍ଷାର ପୃଷ୍ଠଭୂମିକୁ ଏକ ଉଚିତ୍‌ ମାର୍ଗର ଆବଶ୍ୟକତା ଅଛି । ଯଦି ଶିକ୍ଷା କେବଳ ଜୀବିକା ଅର୍ଜନର ମାଧ୍ୟମ ନହୋଇ ବରଂ ବଞ୍ଚିବାର ଏକ ଶୈଳୀ ପାଲଟିଯାଆନ୍ତା ତେବେ ପ୍ରତ୍ୟେକ ଯୁବକ ମଧ୍ୟରେ ନୈରାଶ୍ୟ ବସାବାନ୍ଧି ପାରନ୍ତାନାହିଁ । ସେ ଅନୁଭବ କରିଥିଲେ ଭାରତୀୟ ବେଦାନ୍ତ ଦର୍ଶନର ତତ୍ତ୍ୱ ହିଁ ଏକମାତ୍ର ମାଧ୍ୟମ ଯୁବସମାଜକୁ ଉପଯୁକ୍ତ ମାର୍ଗରେ ପରିଚାଳିତ କରିବାରେ । ନିଜକୁ ନିଜ ଭିତରେ ଖୋଜିବା, ସ୍ୱ-ଅନୁଭବ କରିବା ନକରିବା ପର୍ଯ୍ୟନ୍ତ ଆମେ ସମସ୍ତେ ଅନ୍ଧ, ମୁକ୍‌ ଓ ବଧିର । ବିଶ୍ୱର ସମସ୍ତ ଶକ୍ତି ଓ ସମ୍ଭାବନା ଆମ ପାଖରେ ଅଛି କିନ୍ତୁ ଆମେ ଆମ ହାତକୁ ଆଖିକୁ ବନ୍ଦ କରି ଏ ସଂସାର ଅନ୍ଧକାର ବୋଲି କାନ୍ଦିବା ହିଁ ଆମମାନଙ୍କର ଅଜ୍ଞାନତା । ଅନ୍ଧକାର ଭିତରେ ନିଜକୁ ଲୁଚେଇ ରଖିଥିବା ମଣିଷ କେବେ ଦେଖିପାରେନା ଆଲୋକର ଭବ୍ୟତା । ତାହା ହିଁ ଆମ ଦୃଢ଼ବିଶ୍ୱାସର ଅଭାବ । ଯୁବସମାଜପାଇଁ ଚରିତ୍ର ଗଠନ ସହ ଆତ୍ମିକ ଶୁଦ୍ଧତ୍ୱ ନିହାତି ଜରୁରି । ନୈତିକ ମୂଲ୍ୟବୋଧ, ନ୍ୟାୟ ଓ ସାମାଜିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ତଥା ଜାତିବର୍ଣ୍ଣର ସଂକୀର୍ଣ୍ଣତାବୋଧତା ଦୂରୀକରଣ କେବଳ ସଂସ୍କାରମୂଳକ ଶିକ୍ଷା ମାଧ୍ୟମରେ ସମ୍ଭବ । ଅର୍ଥ ଉପାର୍ଜନ ତଥା ବସ୍ତୁବାଦୀ ମାନସିକତାର ପ୍ରୋତ୍ସାହନ ପାଇଁ ଶିକ୍ଷାକୁ ଜୀବନର ମାଧ୍ୟମ କରାନଯାଉ । ଶିକ୍ଷା ମାଧ୍ୟମରେ ସମାଜର ଉତ୍‌ଥାନ, ସମାନତା ସୃଷ୍ଟି ହେବା ସହ ଅନ୍ଧବିଶ୍ୱାସ ଦୂର ହୋଇପାରିବ । ଆଧ୍ୟାତ୍ମିକ ଶିକ୍ଷାକୁ ଆଧୁନିକ ବସ୍ତୁବାଦୀ ଜୀବନରେ ପ୍ରୟୋଗ କରି ଆତ୍ମିକ ଚେତନାର ବିକାଶ କରିପାରିଲେ ସାମାଜିକ ଅଭିବୃଦ୍ଧିର ନୂଆରାସ୍ତା ଉନ୍ମୁକ୍ତ ହେବ । 

   ବିବେକାନନ୍ଦ ବିଶ୍ୱର ଜନସାଧାରଣଙ୍କୁ ସଦାସର୍ବଦା ଯୁବକ ବୋଲି ଅଭିହିତ କରୁଥିଲେ । ବୟସ ବଢ଼ିଗଲେ କେହି ବୃଦ୍ଧ ହୁଏନି । ମାନସିକସ୍ତରରେ ସୁସ୍ଥ ପ୍ରତ୍ୟେକ ମଣିଷ ଜଣେଜଣେ ଯୁବକ । ସମାଜରେ ସଂସ୍କାର ଆଣିପାରୁଥିବା ପ୍ରତ୍ୟେକ ବ୍ୟକ୍ତି ହିଁ ଜଣେ ଯୁବକ । ଭାରତର ସୁପ୍ତ ଜନସାଧାରଣ ତଥା ଯୁବକମାନଙ୍କୁ ଜାଗ୍ରତ କରି ସେମାନଙ୍କ କାନରେ ଜୀଇଁବାର ମନ୍ତ୍ର ଫୁଙ୍କି ଯେଉଁ ନୂତନ ରାସ୍ତାରେ ଯୁବଗୋଷ୍ଠୀଙ୍କୁ ପଥିକ ସଜେଇଲେ ତାହା ଆମ ପାଇଁ ଏକ ନୂଆକିରଣ । ଜଣେ ଯୁବନାୟକ ଭାବରେ,ପ୍ରଚଣ୍ଡ ଜ୍ଞାନର ଅଧିକାରୀ ହୋଇ ନିଜର ମହତ ଉଦ୍ଦେଶ୍ୟକୁ ସାକାର କରିବାର ସଂକଳ୍ପ ଯୁବସମାଜ ପାଇଁ ନିଶ୍ଚୟ ଶିକ୍ଷଣୀୟ ଅଧ୍ୟାୟ । ଯୌବନକୁ ଶୁଦ୍ଧକରି, ସଂଯମୀ ମାନବ ଭାବରେ ସମାଜକୁ ସୁଧାରିବାରେ ନେଇଥିବା ନିଷ୍ପତ୍ତି ନିକଟରେ ବର୍ତ୍ତମାନ ଓ ଭବିଷ୍ୟତ ଯୁବପିଢି ନିଶ୍ଚିତ ଭାବେ କୃତଜ୍ଞ । ସବୁ ଘାତପ୍ରତିଘାତ ସତ୍ତେ୍ୱ ଭାରତୀୟ ଦାର୍ଶନିକ ଚିନ୍ତଚେତନାକୁ  ଓ ଯୁବସମାଜକୁ ସଭ୍ୟତାର ଶିଖରରେ ପହଞ୍ଚାଇବାର ସତ ପ୍ରଚେଷ୍ଟାକୁ ଏ ଦେଶର ଯୁବଶକ୍ତି ନିଶ୍ଚୟ ହୃଦୟଙ୍ଗମ କରିବ । ରାମକୃଷ୍ଣ ମିଶନ ଜରିଆରେ ଜାତୀୟ ଯୁବଚେତନାକୁ ବେଦାନ୍ତ ଦର୍ଶନସହ ଯୋଡ଼ି ଯେଉଁ ନୂତନ ଭାରତର ସ୍ୱପ୍ନ ଦେଖିଥିଲେ ତାର ବାସ୍ତବ ଚିତ୍ର ରୂପାୟନ କରିବାରେ ଏ ଯୁବଗୋଷ୍ଠୀ ଆଗଭର ହେବ । ସତ-ଚିତ୍‌-ଆନନ୍ଦ ତତ୍ତ୍ୱର ଅନ୍ତର୍ନିହିତ ଶକ୍ତିକୁ ଅନୁଭବ ସହ ତାକୁ ସାମାଜିକ ଆଦର୍ଶର କେନ୍ଦ୍ରବିନ୍ଦୁରୂପେ ଗ୍ରହଣ କରିବା ଏକ ଯୁଗାନ୍ତକାରୀ ଚିନ୍ତା ଓ ଚେତନା । ସେହି କାଳଜୟୀ, ଯାଜୁଲ୍ୟମାନ ଓ ମୂର୍ତ୍ତିମନ୍ତ ଅମ୍ଳାନ ବ୍ୟକ୍ତିର ବ୍ୟକ୍ତିତ୍ୱ ପାଲଟିଯାଉ ଯୁବପ୍ରତିଭାଙ୍କ ପ୍ରେରଣା । ଯାହାଙ୍କ ଗୁରୁଭକ୍ତି, ନିର୍ଭୀକତା, ବାଗ୍ନିତା ଓ ପରିଶେଷରେ ଦାର୍ଶନିକ ଚିନ୍ତାଧାରା କେବଳ ଭାରତୀୟଙ୍କ ମାନସ ପଟରେ ନୁହେଁ ବରଂ ବିଶ୍ୱ ଭୌଗୋଳିକ ପୃଷ୍ଠଭୂମିରେ ଯୁଗଯୁଗ ଧରି ଉଜ୍ଜୀବିତ ହୋଇରହିବ । ବୟସର ଅପରାହ୍ନ ଯାହାକୁ ସ୍ପର୍ଶ କରିବାକୁ ଭୟ କରିଥିଲା, ଯିଏ ସବୁଦିନ ପାଇଁ ଯୁବକ ହୋଇ ଜାତୀୟ ଯୁବଚେତନାରେ ନିଜକୁ ସାମିଲ୍‌ କରିଥଲେ ସେଭଳି ମହାନ ଆତ୍ମାକୁ ଜାତୀୟ ଯୁବଦିବସ ଅବସରରେ ଶତକୋଟି ପ୍ରଣାମ ।


ଦର୍ଶନ ବିଭାଗୀୟ ମୁଖ୍ୟ, 
ବ. ଏନ.ଏମ.ଏ ମହା ବିଦ୍ୟାଳୟ,
ଭଦ୍ରକ, ମୋ:୮୮୯୫୩୪୧୦୩୩