ଯୌତୁକ ପାଇଁ ସଂଖ୍ୟାଲଘୁ ମହିଳାଙ୍କୁ ନିର୍ଯାତନା ଅଭିଯୋଗ

 ସିଂହପୁର : ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯ୍ୟାତନା ଘଟଣାକୁ ନେଇ ଏବେ ସରକାର ବିରୋଧୀଙ୍କ ନିଶାନାରେ ରହିଥିବା ବେଳେ ବିଶ୍ୱ ଦରବାରରେ ଓଡିଶା ବେଶ ନିନ୍ଦିତ ମଧ୍ୟ ହେଉଛି । ବିଭିନ୍ନ ନାରୀ ନିର୍ଯାତନା ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଏବେ ପୁଣି ଆଉଏକ ନିର୍ଯାତନାର କରୁଣ ଚିତ୍ର ଦେଖିବାକୁ ମିଳିଛି ବିଞ୍ଝାରପୁର ଅଞ୍ଚଳରେ । ବିଞ୍ଝାରପୁର ଥାନା ସୟଦପୁର ପଞ୍ଚାୟତ ଫଜିଲାମହଲାରୁ ଆସିଛି ଏଭଳି ଏକ ନାରୀ ନିର୍ଯାତନାର ଅଭିଯୋଗ । ଏଠାରେ ଯୌତୁକ ପାଇଁ ଜଣେ ସଂଖ୍ୟାଲଘୁ ମହିଳାଙ୍କୁ ଶାଶୁ ଘର ଲୋକ ଦେଉଛନ୍ତି ମାନସିକ ଓ ଶାରୀରିକ ନିର୍ଯାତନା । ୨୦ମାସର ଶିଶୁପୁତ୍ରକୁ ନେଇ ନ୍ୟାୟ ପାଇଁ ବିଞ୍ଝାରପୁର ଥାନାର ଦ୍ୱାରସ୍ତ ହୋଇଛନ୍ତି ସଂଖ୍ୟାଲଗୁ ମହିଳା କରିସ୍ମା ରୁମାନ । କରିସ୍ମାଙ୍କ ଅଭିଯୋଗ ଅନୁଯାଇ ୨୦୨୨ ମସିହା ଡିସେମ୍ବର ୧୮ରେ ତାଙ୍କର ବାହାଘର ମୁସଲିମ ରୀତିନୀତି ଅନୁଯାଇ ଅମିରୁଦ୍ଦିନ ଖାଁଙ୍କ ପୁଅ ଜଫିରୁଦ୍ଦିନ ଖାଁଙ୍କ ସହ ସମ୍ପନ୍ନ ହୋଇଥିଲା । ବିବାହ ସମୟରେ ବର ପକ୍ଷର ଦାବି ମୁତାବକ ୨ଲକ୍ଷ ଟଙ୍କା, କିୟା ସେଲଟସ କାର ଓ ୫୦ ଭାରି ସୁନା ଅଳଙ୍କାର ଆଦି କରିସ୍ମାଙ୍କ ବାପା ଫକୀରଦ୍ଦିନ ପ୍ରଦାନ କରିଥିଲେ । ମାତ୍ର ବାହାଘରର କିଛି ମାସ ପରେ ଅଧିକ ଯୌତୁକ ଦାବି କରି ଶାଶୁ, ଶ୍ୱଶୁର, ସ୍ୱାମୀ, ନଣନ୍ଦ ମିଳିତ ଭାବେ କରିସ୍ମାଙ୍କୁ ମାଡ଼ ମାରିବା ସହିତ ଏକାଥନୀୟ ନିର୍ଯାତନା ଦେଇଆସୁଛନ୍ତି । ଏପରିକି ଜୀବନରୁ ମାରିଦେବାକୁ ମଧ୍ୟ କରିସ୍ମାଙ୍କୁ ଧମକ ଦିଆଯାଉଛି । ଯାହାକୁ ନେଇ କରିସ୍ମା ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିବା ସହିତ ନ୍ୟାୟ ପାଇଁ ଦାବି କରିଛନ୍ତି । ବାରମ୍ବାର ଶାଶୂଘର ଲୋକ କରିସ୍ମାଙ୍କୁ ମାଡ଼ କରିବା ସହିତ ଯାଜପୁର ରୋଡ଼ ଠାରେ ଥିବା ପୈତୃକ ସମ୍ପତ୍ତିରୁ ଭାଗ ନେବା ପାଇଁ ଶାଶୂଘର ଲୋକ କରିସ୍ମାଙ୍କ ଉପରେ ଚାପ ପକାଉଛନ୍ତି । ବାରମ୍ବାର ନିର୍ଯାତନାର ଶିକାର ହେବାପରେ କରିସ୍ମା ମୁହଁ କହିଲିଥିଲେ । ଘଟଣା ଜଣାପଡିବା ପରେ ଗ୍ରାମର ବୟୋଜ୍ୟେଷ୍ଟ ସଂଖ୍ୟାଲଗୁ ମୁରବି ମାନଙ୍କୁ ନେଇ ଏକ ବୈଠକ ହୋଇଥିଲା । ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ କରିସ୍ମାଙ୍କ ଶାଶୂଘର ଲୋକ ନମାନି ବରଂ ତାଙ୍କୁ ଅଧିକ ନିର୍ଯାତନା ଦେଇଥିଲେ । ଫଳରେ ଏବେ ନିଜର ଦେଢବର୍ଷର ଶିଶୁପୁତ୍ରକୁ ଧରି ନ୍ୟାୟ ପାଇଁ କରିସ୍ମା ବିଞ୍ଝାରପୁର ଥାନାର ଦ୍ୱାରସ୍ତ ହୋଇଛନ୍ତି । କରିସ୍ମାଙ୍କ ଠାରୁ ଲିଖିତ ଅଭିଯୋଗ ପାଇ ଥାନା ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯାଇନାହିଁ । ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ ପରିବାର ଲୋକ ଦାବି କରିଛନ୍ତି ।