ତାଳଚେରରେ ଡାକ୍ତରୀପଢା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ତାଳଚେର: ତାଳଚେର ଠାରେ ପ୍ରସ୍ତାବିତ ପବିତ୍ର ମୋହନ ମେଡିକାଲ୍ କଲେଜରେ ପାଠ ପଢ଼ା କରାଯିବା ଦାବିରେ ତାଳଚେର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତାଳଚେର ମେଡିକାଲ୍ କଲେଜର ପାଠ ପଢା ୨୦୨୫-୨୬ ଶିକ୍ଷାବର୍ଷରୁ ଆରମ୍ଭ ହେବା ପାଇଁ ସରକାର ନିଷ୍ପତି ନେଇଥିଲେ । ହଠାତ୍ ଏହି କାର୍ଯ୍ୟକ୍ରମ ଅନୁଗୋଳ ମେଡିକାଲ୍ରେ ଆରମ୍ଭ କରିବା ପାଇଁ ବର୍ତମାନ ସରକାର ନିଷ୍ପତି ନେଇଥିବାରୁ ଏହାକୁ ବିରୋଧ କରି ତାଳଚେରବାସୀ ଏହି ପଢ଼ା ତାଳଚେର ଠାରେ କରିବା ପାଇଁ ଦାବି କରିଛନ୍ତି । ପବିତ୍ର ମୋହନ ମେଡିକାଲ୍ କଲେଜ୍ ତାଳଚେରରେ ୫୮ଟି ଡାକ୍ତର, ପ୍ରଫେସର ଓ ବିଶେଷଜ୍ଞ ପଦବୀ ସୃଷ୍ଟି କରି ନାମକୁ ମାତ୍ର ୬ ଜଣ ଅନଭିଜ୍ଞ ଡାକ୍ତରଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ବର୍ତମାନ ମେଡିକାଲରେ ଶହ ଶହ ରୋଗୀ ଚିକିତ୍ସିତ ହେଉଛନ୍ତି । ଏଠାରେ ସମସ୍ତ ଡାକ୍ତର, ପ୍ରଫେସର ଓ ବିଶେଷଜ୍ଞ ପଦବୀ ପୂରଣ କରାଯାଉ ଓ ପାଲଲହଡା, ଖମାର, କଣିହାଁ, ସମଲ, ଗୋଡିବନ୍ଧ, ତାଳଚେର ପ୍ରଭୃତି ଡାକ୍ତରଖାନାରୁ ରୋଗୀଙ୍କୁ ଅନୁଗୋଳ ପରିବର୍ତ ପବିତ୍ର ମୋହନ ମେଡିକାଲ୍ କଲେଜ୍କୁ ରେଫର କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି । ଦେଶର ସବୁଠାରୁ ଅଧିକ ରାଜସ୍ୱ ଦେଇ ଅଧିକ ପ୍ରଦୂଷିତ ହୋଇଥିବା ତାଳଚେରବାସୀ ଆଜି ବିଭିନ୍ନ ମାରାତ୍ମକ ରୋଗରେ ଜର୍ଜରିତ ହେଉଥିବାବେଳେ, ସର୍ବନିମ୍ନ ସ୍ୱାସ୍ଥ୍ୟ ସେବାରୁ ତାଳଚେରବାସୀଙ୍କୁ ବଂଚିତ ନକରି ମେଡିକାଲ୍ କଲେଜ୍ ପାଠପଢ଼ା ଓ ରୋଗୀ ସେବା କରିବା ପାଇଁ ଦାବି କରାଯାଇଅଛି । ଦାବିପତ୍ରର ନକଲ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ଢେଙ୍କାନାଳ ସାଂସଦ, ତାଳଚେର, ପାଲଲହଡା, ପରଜଙ୍ଗ ବିଧାୟକ ସମୁହ, ରାଜ୍ୟ ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ, ଜିଲ୍ଲା ଏସ୍ପିଙ୍କୁ ପ୍ରଦାନ କରିବାକୁ ଚୈତନ୍ୟ ପ୍ରଧାନ, ରଂଜିତ୍ ମହାପାତ୍ର, ନଖିଆ ସାହୁ, ଅଭୟ ପାଣି, ବିନୋଦ୍ ଲାଲ୍, ପ୍ରଫୁଲ ନାଏକ, ସଂଗ୍ରାମ କେଶରୀ କୁଅଁର, ଭୂପେନ୍ ଥମ୍ବ, ବାପି ମହାନ୍ତିଙ୍କୁ ନେଇ କମିଟି ଗଠନ କରାଯାଇଛି । ଆଗାମୀ ଦିନରେ ସରକାର ଯଦି ନ୍ୟାର୍ଯ୍ୟ ଦାବି ପୂରଣ ନକରନ୍ତି ଅନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବ । ଆବାହକ ପଦ୍ମ ଚରଣ ସାମଲଙ୍କ ସଭାପତିତ୍ୱରେ ବୈଠକରେ ପୂର୍ବତନ ସାଂସଦ ମହେଶ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ବେହେରା, ପୂର୍ବତନ ନଗରପାଳ କେଶବ ଭୂତିଆ, ଦିଗାମ୍ବର ଗଡନାୟକ, ପ୍ରହ୍ଲାଦ ସାହୁ, ହରିହର ବେହେରା, ହାଡିବନ୍ଧୁ ବିଶ୍ୱାଳ, ଧୃବ ଚରଣ ଧିର, ସୁକାନ୍ତ ଦାସ, କୈଳାସ ଚନ୍ଦ୍ର ସାହୁ, ଜେନାମଣି ନାଏକ, ଗଗନ ଦାସ, ଶୋଭାଗିନୀ ଦାସ, ବଳରାମ କୁଣ୍ଡ, ହରେକୃଷ୍ଣ ମହାପାତ୍ରଙ୍କ ସମେତ ବହୁ ଜନସାଧାରଣ ଯୋଗଦେଇଥିଲେ ।