‘ରଙ୍ଗବତୀ’ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ; ରଙ୍ଗବତୀ ଉତ୍ସବ ନୁହେଁ, ଓଡ଼ିଆ ମାଟିର ସ୍ପନ୍ଦନ

କେନ୍ଦୁଝର : ରଙ୍ଗବତୀ ପରି କାର୍ଯ୍ୟକ୍ରମ କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଏକ ଘୋଷଣା ଯେ, ଓଡ଼ିଶା ଏବେ ତାଙ୍କର ଅନୁପମ କଳାକୁ ଗର୍ବର ସହ ଆଗକୁ ବଢ଼ାଉଛି । ରଙ୍ଗବତୀ କେବଳ ଏକ ଗୀତ ନୁହେଁ, ଏହା ନିଜ ଅତ୍ମୀୟତାର ଅନୁଭବ । ରମ୍ୟତା ଓ ଉଦ୍ଦୀପନାର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରରେ ଆୟୋଜିତ ‘ରଙ୍ଗବତୀ' କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା କେନ୍ଦୁଝର ଜିଲ୍ଲାର କାଳି ପଡିଆ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କହିଥିଲେ ଯେ, ଆମେ ଓଡ଼ିଆ, ସବୁଠୁ ବଢିଆ । ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି ଲୋକଗୀତ, ଲୋକନୃତ୍ୟର ମଧୁର ମୂର୍ଚ୍ଛନା । ଏହି ବିବିଧାତା ଭିତରେ ଏକତା ଆମର ଶକ୍ତି । ଏହି ମଞ୍ଚ ଆଜି ସ୍ଥାନ ଦେଇଛି ଅନେକ କଳାକାରଙ୍କୁ । ଓଡ଼ିଶାର କୋଣ ଅନୁକୋଣରୁ ଆଜି କଳାକାର ମାନେ ନିଜର ପ୍ରତିଭା ଦେଖାଇବା ପାଇଁ ଗୋଟିଏ ଜାଗାରେ ଏକତ୍ରିତ ହୋଇଛନ୍ତି ।
"ରଙ୍ଗବତୀ’ ଗୀତ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ହେଉଛି ଓଡ଼ିଆ ମାଟିର ସ୍ପନ୍ଦନ । ଓଡିଶାର ଲୋକସଂସ୍କୃତିର ଏକ ଅମୂଲ୍ୟ ଅଂଶ ହେଉଛି "ରଙ୍ଗବତୀ ।’ ଏହିପରି ମହୋତ୍ସବ, ଆମ ତରୁଣ ପିଢିକୁ ଆମ ଦେଶ ଓ ଅଞ୍ଚଳର ସଂସ୍କୃତି ସହ ପରିଚୟ କରାଇଥାଏ ବୋଲି ସେ କହିଥିଲେ । ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ରଙ୍ଗବତୀ ଭଳି କାର୍ଯ୍ୟକ୍ରମ ଦେଶର ସମସ୍ତ କଳା ଓ କଳାକାରଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ ଓ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।