ସରକାରୀ ନିଦେ୍ର୍ଦଶକୁ ବେଖାତିର : ବ୍ଲକରେ କାମ କରୁନାହାଁନ୍ତି ସହକାରୀ ଶ୍ରମ ଅଧିକାରୀ  

 କେନ୍ଦୁଝର :  ରାଜ୍ୟ ସରକାର ସମସ୍ତ ବ୍ଳକ ପାଇଁ ଜଣେ ଜଣେ ସହକାରୀ ଶ୍ରମ ଅଧିକାରୀ ନିଯୁକ୍ତି ଦେଇଛନ୍ତି । ବ୍ଲକରେ ସହକାରୀ ଶ୍ରମ ଅଧିକାରୀମାନେ ଶ୍ରମିକଙ୍କ ସମସ୍ୟା ସମାଧାନ କରିବେ । ସହକାରୀ ଶ୍ରମ ଅଧିକାରୀମାନେ ବ୍ଲକ କାର୍ଯ୍ୟାଳୟରେ ରହି କାର୍ଯ୍ୟ କରିବେ । ନିଯୁକ୍ତିପତ୍ରରେ ମଧ୍ୟ ବ୍ଳକରେ ରହି କାର୍ଯ୍ୟ କରିବେ ବୋଲି ଉଲ୍ଲେଖ ରହିଛି । ମାତ୍ର କେନ୍ଦୁଝର ଜିଲ୍ଲାରେ ନିଯୁକ୍ତି ପାଇଥିବା ସହକାରୀ ଶ୍ରମ ଅଧିକାରୀଙ୍କ ମଧ୍ୟରୁ ୬ଜଣ ଅଧିକାରୀ ବ୍ଲକ ସ୍ତରରେ କାମ ନ କରି ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟରେ ବସି କାମ କରୁଛନ୍ତି । ଏମାନେ ୧ବର୍ଷ ହେଲା ଜିଲ୍ଲା ମୁଖାଳୟରେ କାମ କରୁଛନ୍ତି । ବିନା ଡେପୁଟେସନରେ ନିଜ ଚାକିରୀ ସ୍ଥାନରେ ନ ରହି ମୁଖ୍ୟାଳୟରେ ରହି କାର୍ଯ୍ୟ କରୁଛନ୍ତି । ବ୍ଲକସ୍ତରରେ ଅଧିକାରୀମାନେ ରହୁନଥିବାରୁ ଶ୍ରମିକମାନେ ବିଭିନ୍ନ ସମସ୍ୟା ଏବଂ ଅଭିଯୋଗ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଅଯଥା ଖର୍ଚ୍ଚାନ୍ତ ହେବା ସହ ହଇରାଣ ହେଉଛନ୍ତି । ବିଶେଷ କରି ଗରିବ ଗୁରୁବା ଶ୍ରମିକମାନେ ସର୍ବନିମ୍ନ ମଜୁରୀ ମିଳୁନଥିବା,ଲେବର କାର୍ଡ ଜନିତ ସମସ୍ୟା ନେଇ ଦୈନନ୍ଦିନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଆସୁଛନ୍ତି ।
ବିଶେଷ କରି ଝୁମ୍ପୁରା, ତେଲକୋଇ, ହାଟଡିହି, ଆନନ୍ଦପୁର, ସାହାରପଡା, ଘଟଗାଁ ବ୍ଲକ୍ ଅଂଚଳରୁ ଦୈନନ୍ଦିନ ଶ୍ରମଜୀବୀଙ୍କୁ କେନ୍ଦୁଝର ମୁଖ୍ୟାଳୟ ଆସିବାକୁ ପଡୁଛି । ସରକାରୀ ନିଦେ୍ର୍ଦଶକୁ ଅମାନ୍ୟ କରି ସରକାରୀ ଶ୍ରମ ଅଧିକାରୀମାନେ ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟରେ ବସି ରହିଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଅଭିଯୋଗ ଏବଂ ସମସ୍ୟା ନେଇ ଶ୍ରମିକଙ୍କୁ କାମଧନ୍ଦା ବନ୍ଦ କରି କେନ୍ଦୁଝରସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଆସିବାକୁ ପଡୁଛି ବୋଲି କହିଛନ୍ତି ଶ୍ରମିକ ନେତା ମହେଶ୍ୱର ରାଉତ । ଶ୍ରମ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ, ଶ୍ରମ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମଗମ, ଶ୍ରମ କମିଶନର ଇନ୍ଦ୍ରମଣୀ ତ୍ରିପାଠୀ ତୁରନ୍ତ ଏ ଦିଗରେ ତଦନ୍ତ ପୂର୍ବକ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି । ସହକାରୀ ଶ୍ରମ ଅଧିକାରୀମାନେ ବ୍ଲକ ସ୍ତରରେ କାମ ନ କଲେ ଏଆଇଟିୟୁସି ବାଧ୍ୟ ହୋଇ ଆନେ୍ଦାଳନକୁ ଓହ୍ଲାଇବ ବୋଲି ଶ୍ରୀ ରାଉତ ଚେତାବନୀ ଦେଇଛନ୍ତି । ଏ ନେଇ ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀଙ୍କୁ ଯୋଗାଯୋଗ କରିବାରୁ ବ୍ଲକ କାର୍ଯ୍ୟାଳୟରେ ବସିବା ପାଇଁ ବ୍ୟବସ୍ଥା ହୋଇ ନଥିବାରୁ ବ୍ଲକ୍ସ୍ତରରେ ସହକାରୀ ଶ୍ରମ ଅଧିକାରୀମାନେ କାମ କରିବାରେ ବିଳମ୍ବ ହେଉଛି । ଖୁବ୍ଶୀଘ୍ର ବ୍ୟବସ୍ଥା କରାଯାଉଛି, ଏହାପରେ ଅଧିକାରୀମାନେ ବ୍ଲକସ୍ତରରେ ଲୋକଙ୍କ ସମସ୍ୟା ଶୁଣିବେ ।