ରଥ କାମ ଆରମ୍ଭ, ରାତିରେ ଚାପ ଖେଳିଲେ ମଦନ ମୋହନ

ପୁରୀ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହୋଇଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୨୧ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା । ଏଥିସହିତ ଆଗାମୀ ରଥଯାତ୍ରା ପାଇଁ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଚନ୍ଦନଯାତ୍ରାର ପ୍ରାରମ୍ଭରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ଶ୍ରୀ ରାମକୃଷ୍ଣଙ୍କ ସହ ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପ୍ରମୁଖ ପଞ୍ଚ ମହାଦେବ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନୌକାବିହାର ଓ ଜଳକ୍ରୀଡ଼ା ପାଇଁ ନରେନ୍ଦ୍ର ସରୋବରକୁ ଯାତ୍ରା କରିଥିଲେ । ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପଟୁଆରରେ ସାମିଲ ହୋଇଥିଲେ । 
ସେପଟେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀମନ୍ଦିରରେ ଅଧିକ ନୀତି ସଂପାଦିତ ହୋଇଥିଲା । ଭୋର ୪ଟାରେ ଦ୍ୱାର ଫିଟା ନୀତି ହୋଇଥିବା ବେଳେ ୪.୩୫ରେ ଭିତର ଶୋଧ କରାଯାଇ ୪.୪୦ରେ ଶ୍ରୀଜିଉମାନଙ୍କୁ ମଙ୍ଗଳଆଳତି କରାଯାଇଥିଲା । ୪.୪୫୍ରେ ମଇଲମ, ୫.୧୦ରେ ତଡ଼ପଲାଗି, ୫.୪୫ରେ ଅବକାଶ ପୂଜା ଶେଷ ହୋଇଥିଲା । ପରେ ମହାପ୍ରଭୁ ମଇଲମ ହୋଇଥିବା ବେଳେ ରୋଷ ହୋମ, ତା ପରକୁ ବେଶ ଶେଷ ହୋଇଥିଲା । ଏହାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ ପୂଜା କରାଯାଇ ପୂର୍ବାହ୍ଣ ୯ଟା ୨୫ରେ ଧୂପ ଶେଷ ହୋଇଥିଲା । ତାପରକୁ ଯାତ୍ରାଙ୍ଗୀ ମହାସ୍ନାନ, ଚନ୍ଦନ ବେଢା ଓ ଖଇକୋରା ଭୋଗ ଶେଷ ହୋଇଥିଲା । ଅପରାହ୍ଣରେ ବେଶ ଶେଷ ହେବା ପରେ ୨ଟା ୫୫ରେ ରାମକୃଷ୍ଣ ମଦନମୋହନ ଭିତରକୁ ବିଜେ କରିଥିଲେ । ଅପରାହ୍ଣ ୩ଟାରେ ପ୍ରସାଦ ଲାଗି, ପରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟାରେ ନକ୍ଷତ୍ର ବନ୍ଦାପନା ଓ ଦ୍ୱାଦଶ ଯାତ୍ରା ବନ୍ଦାପନା ହୋଇଥିଲା ଏବଂ ଶେଷରେ ରାମକୃଷ୍ଣ ପାଲିଙ୍କିକୁ ବିଜେ କରିଥିଲେ । ରାମକୃଷ୍ଣ ପାଲିଙ୍କି ଓ ମଦନ ମୋହନ ଜୟବିଜୟ ଦ୍ୱାରକୁ ବିଜେ କରିଥିଲେ । ଜୟ ବିଜୟ ଦ୍ୱାର ଠାରେ ଭୋଗ ବନ୍ଦାପନା ସାରି ରାମକୃଷ୍ଣ, ଲକ୍ଷ୍ମୀ ଓ ସରସ୍ୱତୀ ବିମାନକୁ ବିଜେ କରିଥିଲେ । ସୁସଜ୍ଜିତ ମଣି ବିମାନରେ ମଦନ ମୋହନ, ଭୂଦେବୀ ଓ ଶ୍ରୀଦେବୀ ବିଜେ କରିଥିବା ବେଳେ ରାମକୃଷ୍ଣ ପାଲିଙ୍କିରେ ବିଜେ ହୋଇଥିଲେ । ଏହାପରେ ଠାକୁର ଠାକୁରାଣୀ ବିଭିନ୍ନ ବାଦ୍ୟଧ୍ୱନି ଓ ସଂକୀର୍ତ୍ତନ ମଧ୍ୟରେ ନରେନ୍ଦ୍ର ସରୋବର ଅଭିମୁଖେ ପଟୁଆରରେ ଯାଇଥିଲେ । ଚନ୍ଦନ ପଟୁଆର ସହ ୩ଜଣ ପୂଜାପଣ୍ଡା ଶ୍ରୀଜୀଉଙ୍କ ଆଜ୍ଞାମାଳ ଧରି ଘଣ୍ଟ, ଛତା, କାହାଳୀ ସହିତ ରଥଖଳା ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ରଥ ଅନୁକୂଳ କରାଯାଇଥିଲା । ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ମହାରଣାମାନଙ୍କୁ ଆମନ୍ତ୍ରଣ କରିଥିଲେ । ବନଯୋଗ ବିଧି ସଂପନ୍ନ ହେବା ପରେ ରଥଖଳାକୁ ସଂସ୍କାର କରାଯାଇଥିଲା । ଏ ଅବସରରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ.ପି ବିନିତ ଅଗ୍ରୱାଲ ଓ ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।