ମା’ ଉକୁଳେଈ ପୀଠ ସଂଯୋଗୀକରଣ ରାସ୍ତା ଶୋଚନୀୟ


କାକଟପୁରରୁ ଆଦିତ୍ୟ ରାଉତ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ପ୍ରସିଦ୍ଧ ଠାକୁରାଣୀ ମା’ ଉକୁଳେଈଙ୍କ ପୀଠକୁ ସଂଯୋଗ କରୁଥିବା  ରାସ୍ତାଟି ଦୀର୍ଘ ଦିନ ଧରି ମରାମତି ଅଭାବରୁ ଖାଲ ଖମା ସୃଷ୍ଟି ହେବା କାରଣରୁ ବର୍ଷା ପାଣି ଜମି  ମରଣଯନ୍ତା ପାଲଟିଛି । ଏହି ରାସ୍ତାଦେଇ ପ୍ରତିଦିନ ମାଆଙ୍କ ଦର୍ଶନ ପାଇଁ ଶହ ଶହ ଶ୍ରଦ୍ଧାଳୁ, ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକଙ୍କ ସହିତ କଲେଜ କର୍ମଚାରୀ, ଚାଷୀ ଭାଇ ମାନେ ଯାତାୟାତ କରିଥାନ୍ତି । ସରକାରୀ ବିଦୁ୍ୟତ୍ ବିଭାଗ କାର୍ଯ୍ୟାଳୟ ରହିଥିବା ବେଳେ ବିଦୁ୍ୟତ୍ ଉପଭୋକ୍ତା ମାନେ ମଧ୍ୟ ଏହି ରାସ୍ତା ଦେଇ କାର୍ଯ୍ୟାଳୟକୁ ଯିବା ଆସିବା କରିଥାନ୍ତି । ଏତଦ୍ ବ୍ୟତୀତ  ମା’ ଉକୁଳେଈ ଠାକୁରାଣୀଙ୍କ ପୀଠକୁ ପ୍ରତ୍ୟେକ ଦିନ ବହୁ ଦୂର ଦୂରାନ୍ତରୁ  ଭକ୍ତ ମାନଙ୍କ ଆଗମନ ହୋଇଥାଏ ।  ଅଚଂଳର ଅନେକ ଲୋକମାନେ  ବିବାହ, ନିର୍ବନ୍ଧ, ବିଭିନ୍ନ ପୂଜା ଏମିତି ଅନେକ  କାର୍ଯ୍ୟକ୍ରମ ଏହି ଉକୁଳେଇ ପୀଠରେ କରିଥାନ୍ତି । କିନ୍ତୁ ସେଠାକୁ ଯିବା ପାଇଁ ଥିବା ରାସ୍ତା ଏବେ ମରାମତି ଅଭାବରୁ ନଷ୍ଟ ହୋଇଯାଇଛି । ଫଳରେ ପ୍ରତିଦିନ ଲୋକମାନେ ଛୋଟ ବଡ଼ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି । ରାସ୍ତାର ଶୋଚନୀୟ ଅବସ୍ଥା ପାଇଁ ଜରୁରୀ ସମୟରେ ଆମ୍ବୁଲାନ୍ସ ଟିଏ ଯିବା ଆସିବା କରିବା କଷ୍ଟକର । ଅଞ୍ଚଳରେ ଥିବା ଜନବସତିକୁ ପୂର୍ବ ସରପଞ୍ଚଙ୍କ ସମୟରେ ଏକ କଂକ୍ରିଟ ଢଳେଇ ରାସ୍ତା ଥିଲା, ମାତ୍ର ଏହା ବର୍ତ୍ତମାନ ମାଟି ଧସ୍ତି ପୋଖରୀ ସହିତ ସଂଲଗ୍ନ ହେବାକୁ ଯାଉଛି । ବର୍ଷା ଦିନରେ କେଉଁ ମୁହୂର୍ତ୍ତରେ ଯଦି ସମ୍ପୂର୍ଣ୍ଣ ରାସ୍ତା ଅତଡ଼ା ଖସି ଯିବ ତାହେଲେ ୧୫ ପରିବାରଙ୍କ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯିବ । ରାସ୍ତା ଉପରେ ପ୍ରତ୍ୟେକ ଦିନ ଭକ୍ତ, ଛାତ୍ର ଛାତ୍ରୀ ଓ ସାଧାରଣ ଲୋକଙ୍କ ନିର୍ଭର । ମାତ୍ର ସବୁଠୁ ଦୁଃଖ ବିଦାରକ ବିଷୟ ବସ୍ତୁ ଏହି ପଞ୍ଚାୟତର ସମିତି ସଭ୍ୟ ନିଜେ ଅସ୍ତରଙ୍ଗ ବ୍ଲକ ଉପାଧ୍ୟକ୍ଷ । କିନ୍ତୁ ଏହି ୱାର୍ଡର ଲୋକଙ୍କ ଗମନାଗମନ ବ୍ୟବସ୍ଥା ଉପରେ ପ୍ରଶାସନର ଦୃଷ୍ଟି ପଡୁନାହିଁ । ଏ ବାବଦରେ ସ୍ତରଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ସସ୍ମିତା ବେହେରାଙ୍କ ମତାମତ ଲୋଡ଼ିବା ପରେ ସେ କହିଛନ୍ତି ଯେ, ଏ ସଂକ୍ରାନ୍ତରେ କେନ୍ଦ୍ରାପଟି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ରିପୋର୍ଟ ମଗାଯିବ ଓ ଆଉ ଆବଶ୍ୟକ ସ୍ଥଳେ ଘଟଣାସ୍ଥଳକୁ ଯାଇ ତର୍ଜମା କରିବା ସହ ଯେଉଁ ବିଭାଗ ଅଧୀନରେ ଥିବ ଏହାକୁ ଯେତେ ଦୂର ସମ୍ଭବ ମରାମତି କରାଯିବ । ମାତ୍ର ବର୍ତ୍ତମାନ ରାସ୍ତାର ସମ୍ପୂର୍ଣ୍ଣ ନବୀକରଣ କରିବା ପାଇଁ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନ ସମେତ ନିର୍ବାଚିତ ସରପଞ୍ଚଙ୍କ ନିକଟରେ ଅଞ୍ଚଳବାସୀ ଦାବି କରିଛନ୍ତି ।