ମହିଳାଙ୍କ ଘରୁ ଚୋରି, ମହିଳା ଗିରଫ

ମହିଳାଙ୍କ ଘରୁ ଚୋରି, ମହିଳା ଗିରଫ


ଭୁବନେଶ୍ୱର, ୩୧ା୫ : ମହିଳାଙ୍କ ଘରୁ ସୁନାଗହଣା ଚୋରି କରି ନେଇ ପଳାଥିବା ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି ନୂଆପଲ୍ଳୀ ଥାନା ପୁଲିିସ । ଗିରଫ ମହିଳା ଜଣଙ୍କ ହେଲେ ନୂଆପଲ୍ଲୀ ଥାନା ମୁଣ୍ଡାସାହିର ସଂଘମିତ୍ରା ନାୟକ(୩୪) ଓ ସୁଧାଂଶୁ ସାହୁୁ (୩୯) । ଦୁହିଁଙ୍କଠାରୁ ପୁଲିସ ୫ ଲକ୍ଷ ଟଙ୍କାର ସୁନାଗହଣା ଜବତ କରିଛି । ଦୁହିଁଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ଝାରପଡା ଜେଲ ହାଜତକୁ ପଠାଇ ଦିଆଯାଇଛି  । ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲାର ଅଲେଖ କୁମାର ଓଝା, ପତ୍ନୀ ଜ୍ୟୋତ୍ସାରାଣୀ ଓଝା ଛୁଆମାନଙ୍କୁ ଧରି ନୂଆପଲ୍ଳୀ ଥାନା ଡେଲଟା ୟୁନିଟ୍‌-୮ ମୁଣ୍ଡାସାହିରେ ରୁହନ୍ତି  । ଅଲେଖ ଜଣେ ଇଣ୍ଟରିୟର ମିସ୍ତ୍ରୀ ଭାବେ କାମ କରନ୍ତି  । ଗାଁରେ କାମ ଥିବାରୁ ଅଲେଖ ପତ୍ନୀଙ୍କୁ ଧରି ମଝିରେ ଗାଁକୁ ଯିବା ଆସିବା କରନ୍ତି  । ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଅଲେଖଙ୍କ ଘରେ ଥିବା ୫ଲକ୍ଷ ଟଙ୍କାର ସୁନାଗହଣାକୁ ନେଇ ପଳାଇଥିଲେ । ମଙ୍ଗଳବାର ଦିନ ସେ ଦେଖିବା ବେଳକୁ ଆଉ ସୁନାଗହଣା ନଥିଲା । ଏନେଇ ଅଲେଖ ପତ୍ନୀଙ୍କୁ ଧରି ନୂଆପଲ୍ଳୀ ଥାନାରେ ଅଭିଯୋଗ କରିଥିଲେ । ଏନେଇ ସେ ପଡୋଶୀ ମହିଳା ମୁଣ୍ଡାସାହିର ସଂଘମିତ୍ରା ନାୟକ ନାମ ଏତଲା କପିରେ ଲେଖିଥିଲେ । ପୁଲିସ ସଂଘମିତ୍ରାଙ୍କୁ ଥାନାକୁ ଆଣି ଜେରା କରିବା ପରେ ସେ ସତ ମାନି ଯାଇଥିଲା । ଅନ୍ୟ ପଟେ ଚୋରି ସୁନାଗହଣା ରଖିବା ଅଭିଯୋଗରେ ତାର ସହଯୋଗୀ ସୁଧାଂଶୁ ସାହୁକୁ ପୁଲିସ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି  ।