ଆପାର୍ଟମେଂଟରେ ଲୁଟେରାଙ୍କ ଆତଙ୍କ

ଆପାର୍ଟମେଂଟରେ ଲୁଟେରାଙ୍କ ଆତଙ୍କ

ଭୁବନେଶ୍ୱର:  ରାଜଧାନୀରେ ପୁଣି ମାତିଲେ ଆପାର୍ଟମେଂଟ ଲୁଟେରା  । ପାହାଳର ଏକ ଆପାର୍ଟମେଂଟରୁ ସିରିଜି ଲୁଟ୍‌ କରି କମିଶନରେଟ ପୋଲିସକୁ ଖୋଲା ଚାଲେଂଜ ଦେଇଛନ୍ତି ଲୁଟେରା  । ଲୁଟର ଟିକନିକ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି  । ମୁହଁରେ ମୁଖା ପିନ୍ଧିବା ସହ ଗାମୁଛା ପିନ୍ଧି ଲୁଟ୍‌ କରିଛନ୍ତି ଅଭିଯୁକ୍ତ  । ଥାନାରେ ଏତଲା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି  ।

ରାଜଧାନୀରେ ପୁଣି ମାତିଲେ ଆପାର୍ଟମେଂଟ ତଡା ଲୁଟେରା  । ଏଥର ଟାର୍ଗେଟରେ ମେଟ୍ରୋ ସେଟଲାଇଟ୍‌ ସିଟି  । ସିସିଟିଭିରେ ଦେଖାଯାଇଛି ଏହି ଲୁଟେରାଙ୍କ ଲୁଟ ବେଳର କାଣ୍ଡ କାରନାମା  । ଜଣକ ପରେ ଜଣେ ଧାଡି ଧାଡି ହୋଇ ଆପାର୍ଟମେଂଟର ଫ୍ଲାଟ ସମୁଖରେ ପହଂଚୁଛନ୍ତି  । ଏମାନେ ଲୁଟ ବେଳେ, ଧରା ପଡିଯିବାର ସମ୍ଭାବନା ଥିବାରୁ ଦେହରେ ତେଲ ଲଗାଇବା ସହ ଲୁଙ୍ଗିକୁ କଛାମାରି ପିନ୍ଧୁଛନ୍ତି  । ସେଥିପାଇଁ ଏମାନଙ୍କୁ କଛାମରା ଗ୍ୟାଙ୍ଗ ବୋଲି କୁହାଯାଉଛି  । ଏମାନଙ୍କୁ ସର୍‌ଦାର କେବଳ ଟିସାର୍ଟ ପିନ୍ଧିଥିବା ନଜରକୁ ଆସିଛି  । ବାକି ସମସ୍ତେ ଲୁଙ୍ଗିକୁ କଛାମାରି ପିନ୍ଧିଛନ୍ତି  । ଅତି କୌଶଳର ସହିତ ଘରର ଗ୍ରିଲ ଏବଂ କବାଟକୁ ତାଡି ଘର ଭିତରେ ପଶୁଛନ୍ତି  । ଆଉ ଲୁଟ ପୁର୍ବରୁ ଏବଂ ପରେ, ଘର ସମ୍ମୁଖରେ ପୁଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି  । ଏପରିକି ଲୁଟ ବେଳେ ଜଣେ ଚୋର ଦୁଆର ମୁହଁରେ ବସି ମନ୍ତ୍ରପାଠ କରୁଥିବା ମଧ୍ୟ ଅନୁମାନ କରାଯାଉଛି  । ତେବେ ୩ଟି ଫ୍ଲାଟରୁ ୨୫ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନାଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି  ।


ସୁରକ୍ଷିତ ରହିବା ପାଇଁ ଲୋକମାନେ ଆପାର୍ଟମେଂଟରେ ଘର କିଣି ରହୁଛନ୍ତି  । ଆଉ ପ୍ରତି ମାସରେ ସୋସାଇଟି ଚାର୍ଜ ବାବଦକୁ ହଜାର ହଜାର ଟଙ୍କା ଗଣି ଦେଉଛନ୍ତି  । କିନ୍ତୁ ବିଲଡରଙ୍କ ମନମାନି ଯୋଗୁଁ ଅନ୍ତେବେସୀ ନିଜ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି  । ସେପଟେ ଘଟଣା ସ୍ଥଳରେ ଡିସିପି ପହଂଚି ସାଇଟିଂଫିକ ଟିମ ସହ ତଦନ୍ତ ଆରମ୍ଭ କରିଛନ୍ତି  । ଏହି କଛାମରା ଗ୍ୟାଙ୍ଗ କେଉଁଠୁ ଆସିଛନ୍ତି ଏବଂ ଭୁବନେଶ୍ୱରରେ କେଉଁଠି ରହି ଅପରେଟ କରୁଛନ୍ତି ସେନେଇ ଖୋଳତାଡ ଆରମ୍ଭ ହୋଇଛି  । ତେବେ ଏହି ମେଟ୍ରୋ ସେଟଲାଇଟ ସିଟିର ପଛପଟେ ପାଚେରୀ ନଥିବାରୁ ଲୁଟ ହୋଇଥିବା ତଦନ୍ତ ବେଳେ ପୁଲିସ ଜଣିବାକୁ ପାଇଛି  ।