ରାଜଧାନୀରେ ଅଚିହ୍ନା ଯୁବକଙ୍କୁ ଲିଫ୍ଟ ଦେଉଥିଲେ ସାବଧାନ
ବେକରେ ଭୁଜାଲି ଲଗାଇ କରୁଛନ୍ତି ଲୁଟ୍ ; ଦୁଇ ନାବାଳକ ଲୁଟେରା ଗିରଫ
।। ପ୍ରଭାନ୍ୟୁଜ୍ ।। ଭୁବନେଶ୍ୱର, ୪ା୪ : ରାଜଧାନୀରେ ଜଦି ଅଚିହ୍ନା ଲୋକ କିମ୍ବା ଅଚିହ୍ନା ଯୁବକଙ୍କୁ ଦେଉଛନ୍ତି ଲିଫ୍ଟ ତାହାହେଲେ ହୋଇଯାଆନ୍ତୁ ସାବଧାନ । ନ ହେଲେ ବେକରେ କଟୁରୀ, ଭୁଜାଲି, ଖଣ୍ଡା ଏବଂ ବନ୍ଧୁକ ଦେଖାଇ କରୁଛନ୍ତି ଲୁଟ୍ ପାଟ୍ । ନେଇଯାଉଛନ୍ତି ଟଙ୍କା, ସୁନା ଓ ଗାଡି । ଏଭଳି ଏକ ଘଟଣା ଘଟିଛି ବଡ଼ଗଡ଼ ଥାନା ଅଞ୍ଚଳରେ । ଜଣେ ବ୍ୟକ୍ତିଙ୍କୁ ଲିଫ୍ଟ ମାଗି ଏକ ନିଛାଟିଆ ରାସ୍ତାରେ ତାଙ୍କ ବେକରେ ଖଣ୍ଡା ଲଗାଇ ୨ ନାବାଳକ ଲୁଟେରା ନେଇଗଲେ ଏଟିଏମ କାର୍ଡ, ସୁନା ମୁଦି, ସୁନା ଚେନ୍, ମୋବାଇଲ ଏବଂ ଏଟିଏମରୁ ୨୭ ହଜାର ଟଙ୍କା । ପରେ କିଛି ଲୋକ ୨ ଲୁଟେରାଙ୍କୁ କାବୁ କରି ଥାନାରେ ଜିମା ଦେଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ବଡ଼ଗଡ଼ ଥାନା ପୁଲିସ ମାମଲା ରୁଜୁକରି ଦୁଇ ଜଣ ନାବାଳକ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତଲାସି ବେଳେ ସେମାନଙ୍କ ନିକଟରୁ ୧୯ ହଜାର ୧୦୦ ଟଙ୍କା ସୁନା ମୁଦି ଜବତ କରାଯାଇଥିବା ବେଳେ ବାକି ଟଙ୍କା ଖର୍ଚ୍ଚ କରିଦେଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ରଶ୍ମୀ ରଞ୍ଜନ ନାୟକ ବଡ଼ଗଡ଼ ଥାନା ଅନ୍ତର୍ଗତ ମଙ୍ଗଳା ସାହିରେ ରୁହନ୍ତି । ସେ ଗତ ୧ ତାରିଖ ସନ୍ଧ୍ୟାରେ ବିଜେବି ନଗର ଅଞ୍ଚଳରୁ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ମଇଁଷାଖାଲ ବସ୍ତି ନିକଟରେ ଜଣେ ନାବାଳକ ବଡ଼ଗଡ଼ କେନାଲ ରୋଡ ଯିବା ଲାଗି ତାଙ୍କୁ ଲିଫ୍ଟ ମାଗିଥିଲେ । ଫଳରେ ଅଭିଯୋଗକାରୀ ଜଣଙ୍କ ତାକୁ ଲିଫ୍ଟ ଦେବା ପରେ ପତିତପାବନ ନଗର ଅଭିମୁଖେ ଯାଇଥିଲେ । ଏହି ସମୟରେ ଏକ ନିଛାଟିଆ ସ୍ଥାନରେ ନାବାଳକ ଜଣକ ଅନ୍ୟ ଜଣେ ନାବାଳକ ସହଯୋଗୀକୁ ଫୋନରେ ଡାକିବାରୁ ସେ ସେଠାରେ ଆସି ପହଞ୍ଚି ହଠାତ କିଛି ବୁଝିବା ପୂର୍ବରୁ ଉଭୟେ ମିଶି ଅଭିଯୋଗକାରୀଙ୍କୁ ଜୋରଜବରଜସ୍ତ ରାସ୍ତାରେ ଅଟକାଇବା ସହିତ ଏକ ଖଣ୍ଡା ଦେଖାଇ ତାଙ୍କୁ ଭୟଭୀତ କରି ପାଖରେ ରଖିଥିବା ଟଙ୍କା ଦେବା ଲାଗି ଧମକାଇଥିଲେ । ପରେ ଅଭିଯୋଗକାରୀଙ୍କ ପାଖରେ ଥିବା ମୋବାଇଲ ଫୋନକୁ ଛଡାଇ ନେଇ ଫୋନ-ପେ ଓ ଗୁଗୁଲ-ପେ ପାସୱାର୍ଡ ମାଗିଥିଲେ । ଫଳରେ ଅଭିଯୋଗକାରୀ ଜଣଙ୍କ ଭୟରେ ତାଙ୍କ ପାସୱାର୍ଡ ଦେବା ପରେ ନାବାଳକ ଲୁଟେରାର ନିର୍ଦ୍ଦେଶ କ୍ରମେ ନିଜ ଭଉଣୀ ଓ ବନ୍ଧୁଙ୍କୁ ଟଙ୍କା ପଠାଇବା ଲାଗି କହିଥିଲା । ହେଲେ ଅଭିଯୋଗକାରୀ ଟଙ୍କା ପଠାଇବାକୁ ମନା କରିବାରୁ ଅଭିଯୁକ୍ତ ମାନେ ତାଙ୍କୁ ଏକ କାଠଫାଳିଆରେ ଆକ୍ରମଣ କରି ସେ ପିନ୍ଧିଥିବା ସୁନା ମୁଦି, ଚେନ୍ ଓ ଗୁଗୁଲ- ପେ ଏବଂ ପୋଡ଼- ପେ ମାଧ୍ୟମରେ ମୋଟ ୨୭ ହଜାର ୧୦୦ ଟଙ୍କା ଟ୍ରାନ୍ସଫର କରିନେଇଥିଲେ । ପରେ ଅଭିଯୋଗକାରୀଙ୍କ ବଡ଼ଗଡ଼ ଥାନାକୁ ଯାଇ ଅଭିଯୋଗ ପରେ ପୁଲିସ ଅଭିଯୋଗ ଆଧାରରେ, ମାମଲା ରୁଜୁକରି ତଦନ୍ତ କରିବା ସମୟରେ, ସ୍ଥାନୀୟ ବାସିନ୍ଦା ଉଭୟ ନାବାଳକଙ୍କୁ ପତିତପାବନ ନଗର ନିକଟରେ ଅଟକ ରଖିଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇଥିଲେ । ମିଳିଥିବା ସୂଚନା ଆଧାରରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ନାବାଳକଙ୍କୁ ଲୋକଙ୍କ ନିକଟରୁ ଉଦ୍ଧାର କରିଥିଲେ ।