ତମାଣ୍ଡୋ ପୁଲିସ ଜାଲରେ ୪ ଅଭିଯୁକ୍ତ ; ମାରଣାସ୍ତ୍ର ସହ ଡକାୟତି ସାମଗ୍ରୀ ଜବତ

ତମାଣ୍ଡୋ ପୁଲିସ ଜାଲରେ ୪ ଅଭିଯୁକ୍ତ ; ମାରଣାସ୍ତ୍ର ସହ ଡକାୟତି ସାମଗ୍ରୀ ଜବତ
  ।। ପ୍ରଭାନ୍ୟୁଜ୍‌ ।। ଭୁବନେଶ୍ୱର, ୪ା୪ : ଗତକାଲି ବିଳମ୍ବିତ ରାତିରେ ତମାଣ୍ଡୋ ହାଇୱେରୁ କଳିଙ୍ଗ ବିହାର ରାସ୍ତାରେ ଯାତାୟତ କରୁଥିବା ଗାଡି ଓ ଲୋକଙ୍କ ଠାରୁ ଡକାୟତି କରିବାକୁ ଯୋଜାନା ବେଳେ ଯୋଜନାକୁ ପଣ୍ଡ କରିଛି ତମାଣ୍ଡୋ ଥାନା ପୁଲିସ । ଥାନାଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଥାନାର ସ୍ପେଶାଲ ଟିମ ଏକ ପଡ଼ିଆରେ ଚଢ଼ାଉ କରି ୪ ଜଣ ଡକାୟତଙ୍କୁ କାବୁ କରିଥିବା ବେଳେ ବାକି ୨ରୁ ୩ ଜଣ ଅଭିଯୁକ୍ତ ପୁଲିସ ହାତରୁ ଖସି ପଳାଇଥିବା ଜଣାପଡ଼ିଛି । ଫଳରେ ୪ ଜଣ ଅଭିଯୁକ୍ତଙ୍କ ଠାରୁ ୩ଟି ଛୁରି, ଏକ ଖଣ୍ଡା, ଲଙ୍କାଗୁଣ୍ଡ, ହାତୁଡ଼ି, ସ୍ପ୍ରେ ଜବତ କରାଯାଇଛି । ଗିରଫ ୪ ଅଭିଯୁକ୍ତ ହେଲେ, ଚନ୍ଦକା ଥାନା ଅଧିନ ହରିପୁର ମେଣ୍ଡାଶାଳର ଏସକେ ରହିମ, ଗଞ୍ଜାମ ଜିଲ୍ଲାର ଅନନ୍ତ ଦାସ, ତମାଣ୍ଡୋ ବାଲିଆପଡ଼ାର ଆକାଶ ସ୍ୱାଇଁ ଓ ଅନୁଗୁଳ ଜିଲ୍ଲାର ନିରଞ୍ଜନ ନାୟକ । ଏମାନେ ବିଭିନ୍ନ ବସ୍ତିରେ ରହି ଏଭଳି ରାତିରେ ଡକାୟତି ଯୋଜନା ଚଳାଇ ଆସୁଥିଲେ । ଆଜି ସମସ୍ତଙ୍କୁ ଥାନା କେସ ନମ୍ବର ୧୩୪ରେ ମାମଲା ରୁଜୁକରାଯାଇ ଦଫା ୩୯୯, ୪୦୨ରେ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତି ପ୍ରାୟ ୨ରୁ ୩ଟା ମଧ୍ୟରେ ତମାଣ୍ଡୋ ଥାନା ଅଧିନ ସୁବୁଦ୍ଧୀପୁର ଖେଳପଡ଼ିଆରେ ୫ରୁ ୬ ଜଣ ଯୁବକ ବସି କୌଣସି ଏକ ଯୋଜନା ଚଳାଇଥିବା ତମାଣ୍ଡୋ ଥାନା ଅଧିକାରୀ ସୁବ୍ରତ ମେହେର ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ । ପରେ ସଙ୍ଗେ ସଙ୍ଗେ ଥାନାର ପାଟ୍ରୋଲିଂ ଟିମକୁ ଖବର ଦେଇ ନିଜେ ଟିମ ନେଇ ପଡ଼ିଆରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ପୁଲିସ ଭ୍ୟାନ ଦେଖି ଯୁବକ ମାନେ ଦୌଡ଼ିବା ଆରମ୍ଭ କରିଥିଲେ । ଏହି ସମୟରେ ୪ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ଟିମ । ବାକି ୩ ଜଣ ଫେରାର ହୋଇଯାଇଥିଲେ । ଫଳରେ ଏହି ୪ ଜଣଙ୍କ ତଲାସି ବେଳେ ସେମାନଙ୍କ ଠାରୁ ୩ଟି ଛୁରି, ଏକ ଖଣ୍ଡା, ଏକ ହାତୁଡ଼ି, ଲଙ୍କାଗୁଣ୍ଡ, ମଦ ବୋତଲ ଜବତ କରାଯାଇଥିଲା । ତଦନ୍ତ ବେଳେ ଜଣାପଡ଼ିଥିଲା, ଏମାନେ ତମାଣ୍ଡୋ ଛକରୁ କଳିଙ୍ଗ ବିହାର ଦେଇ ଯାତାୟତ କରୁଥିବା ଗାଡି ଓ ଲୋକଙ୍କ ଠାରୁ ଡକାୟତି କରିବାକୁ ଯୋଜନା ଚଳାଇଥିଲେ ।