ରାଜନଗରରେ କାୟା ମେଲାଉଛି ଝାଡାବାନ୍ତି

ରାଜନଗର : ରାଜ୍ୟରେ ଝାଡାବାନ୍ତି ରୋଗୀ ବୃଦ୍ଧି ପାଉଥିବା ବେଳେ ରାଜନଗର ବ୍ଲକରେ ମଧ୍ୟ ଝାଡାବାନ୍ତି କାୟା ମେଲାଇବାରେ ଲାଗିଲାଣି । ଗତ ଦୁଇଦିନ ମଧ୍ୟରେ ୫ରୁ୭ଜଣ ଝାଡାବାନ୍ତି ରୋଗୀ ପ୍ରତ୍ୟେହ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ଦୁଇଜଣ ଗୁରୁତର ରୋଗୀଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ସାତଭାୟା ପଞ୍ଚୟତ ବଗପାଟିଆ ଥଇଥାନସ୍ଥଳୀର ଶରତ ସାହାଣୀ(୬୫), କଣ୍ଡିରା ପଞ୍ଚାୟତ ମଧୁପୁର ଗାଁର ବୁଦ୍ଧଦେବ ମଳିକ(୪୩)ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ସେହିପରି ସାତଭାୟାର ୨ନମ୍ବରରେ ରହୁଥିବା ଶସ୍ମିତା ସ୍ୱାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାପିଡଛି । ମହୁଲିଆ ପଞ୍ଚାୟତ ମାଣପଡା ଗ୍ରାମର ମହେଶ୍ୱର ସ୍ୱାଇଁ(୬୩) ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଥିଲା । ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଶ୍ମିରଂଜନ ମହାନ୍ତିଙ୍କୁ ପଚାରିବାରୁ ସାତଭାୟାରେ ଦୁଇଜଣ ଝାଡାବାନ୍ତି ରୋଗୀ ଚିକିତ୍ସା ହେବା ପରେ ସେଠାକୁ ଡାକ୍ତରୀ ଟିମ ସ୍ଥିତି ଅନୁଧ୍ୟାନ କରି ଲୋକମାନଙ୍କୁ ସଚେତନ କରାଇ ଆସିଛୁ । ଝାଡାବାନ୍ତି ବ୍ଲକରେ ନିୟନ୍ତ୍ରଣାଧିନ ଅଛି ବୋଲି କହିଛନ୍ତି ।