ସରପଞ୍ଚଙ୍କ ବିରୁଦ୍ଧରେ ୱାର୍ଡ ସଭ୍ୟଙ୍କ ମେଳି
ରାଜନଗର : ରାଜନଗର ବ୍ଲକର ବେଲପାଳ ଓ ବାଲିସାହିପାଟଣା ପଞ୍ଚାୟତରେ ଅନାସ୍ଥା ଭୋଟରେ ସରପଞ୍ଚ ପଦ ହରାଇଛନ୍ତି । ଏକଥା ଲୋକଙ୍କ ମନରୁ ନ ଲିଭୁଣୁ ସାନବଡଗୋପାଳପୁର ପଞ୍ଚାୟତରେ ୱାର୍ଡ ସଭ୍ୟଙ୍କ ମେଳି ସେହିଭଳି ଏକ ସୂଚନା ଦେଉଛି । ଯାହାକି ଚର୍ଚ୍ଚାର ଖୋରାକ ପାଲଟିଛି । ସାନବଡଗୋପାଳପୁର ଛକଠାରୁ କିଛି ଦୂରରେ ଜଣେ ଲୋକଙ୍କ ଘରେ ବୈ÷ଠକ ଚାଲିଥିଲା । ଯେଉଁଥିରେ ଅଧାରୁ ଅଧିକ ୱାର୍ଡ ସଭ୍ୟ ସାମିଲ ହୋଇଥିଲେ । ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ, ପଞ୍ଚାୟତର ବିଭିନ୍ନ ପ୍ରକଳ୍ପରେ ପ୍ରାୟ ଅଧକୋଟି ଟଙ୍କାର ଜାଲ୍ ବିଲ୍ ସହ ୱାର୍ଡ ସଭ୍ୟମାନଙ୍କୁ ବ୍ୟକ୍ତିଗତ ଭାବେ ଖରାପ ବ୍ୟବହାର ନେଇ ଆଲୋଚନା ହୋଇଥିଲା । ଉପସ୍ଥିତ ସମସ୍ତ ସଭ୍ୟମାନେ ସରପଞ୍ଚଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ପଦବୀରୁ ହଟାଇବାକୁ ଶପଥ ନେଇଥିବା ଜଣେ ୱାର୍ଡ ସଭ୍ୟ ସୂଚନା ଦେଇଛନ୍ତି । ସେମାନଙ୍କ ବ୍ୟତୀତ ଅନୁପସ୍ଥିତ ଅନ୍ୟ ୱାର୍ଡ ସଭ୍ୟ/ସଭ୍ୟାଙ୍କ ସହିତ ମୋବାଇଲ ଯୋଗେ କଥା ହୋଇଥିଲେ । ଏହି ଘଟଣା ସମଗ୍ର ପଞ୍ଚାୟତରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଥାଉକି, ରାଜନଗର ବ୍ଲକ୍ରେ ପ୍ରଥମ ଦଫାରେ ବେଲପାଳ ସରପଞ୍ଚ ତିଳୋତମା ବରାଳ ଓ ଦ୍ୱିତୀୟ ଦଫାରେ ବାଲିସାହିପାଟଣା ସରପଞ୍ଚ କୈଳାସ ପରିଡାଙ୍କୁ ୱାର୍ଡ ସଭ୍ୟ/ସଭ୍ୟାମାନେ ଅନସ୍ଥା ଭୋଟରେ ପରାଜିତ କରିବାରେ ସକ୍ଷମ ହୋଇଥିଲେ । ଯାହାଫଳରେ ଦୁଇ ସରପଞ୍ଚ ନିଜ ପଦବୀ ହରାଇଥିଲେ । ତୃତୀୟ ଦଫାରେ ସାନବଡଗୋପାଳପୁର ସରପଞ୍ଚ ଗୋଲେଖଚନ୍ଦ୍ର ସ୍ୱାଇଁଙ୍କ ବିରୁଦ୍ଧରେ ଅନାସ୍ଥା ପାଳି ପଡିବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।