ରାଜସ୍ୱ ନିରୀକ୍ଷକଙ୍କୁ ଆକ୍ରମଣ
ନାଉଗାଁ : ନାଉଗାଁ ବ୍ଲକ ଅଧୀନ ଡେରିକି ରାଜସ୍ୱ ନିରୀକ୍ଷକଙ୍କୁ ଆକ୍ରମଣ ଅଭିଯୋଗ । ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକ ରାଜେଶ ସାହୁ ଓଶକଣା ମଉଜାବାସୀଙ୍କ ଅଭିଯୋଗକୁ ଆଧାର କରି ମାପଚୁପ କରିବାକୁ ଯାଇଥିଲେ । ଏହି ମୌଜାରେ ଗ୍ରାମ୍ୟ ଜଙ୍ଗଲ ସରକାରୀ ଜମିରେ ଥିବା ଗଛକୁ କାଟି ଉକ୍ତ ସରକାରୀ ଜମିରେ କିଛି ବ୍ୟକ୍ତି ଘର କରି ସାରିଲେଣି । ଏଭଳି ଅଭିଯୋଗକୁ ଭିତ୍ତିକରି ରାଜସ୍ୱ ନିରୀକ୍ଷକ ଓ ତାଙ୍କ ସହ କର୍ମଚାରୀ ସେଠାରେ ପହଞ୍ଚି ମାପ ଚୁପ ଆରମ୍ଭ କରୁଥିବା ସମୟରେ ସେହି ମୌଜାର ହୃଦାନନ୍ଦ ନାୟକ ଓ ମୁତୁଣିଆ ଗ୍ରାମର ଖିରୋଦ ଦଳାଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଠେଙ୍ଗା ଆଣି ଆକ୍ରମଣ କରିବାକୁ ଆସିଥିଲେ । ସେଠାରୁ ରାଜସ୍ୱ ନିରୀକ୍ଷକ ଓ ତାଙ୍କ ସହ କର୍ମଚାରୀ ପଳାଇ ଆସୁଥିବା ବେଳେ, ତାଙ୍କ ଗାଡିକୁ ପଛରୁ ଆସି ଗୋଇଠା ମଧ୍ୟ ମାରିଥିବା ସେ ନାଉଗାଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ନାଉଗାଁ ତହସିଲଦାର ଏ ସଂକ୍ରାନ୍ତରେ ଆଜି ତହସିଲ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୪୦୭ରେ ନାଉଗାଁ ଥାନାକୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ନାଉଗାଁ ପୁଲିସ ଏହି ଅଭିଯୋଗକୁ ଭିତ୍ତିକରି ୧୩୨/୨୦୨୫ରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ପ୍ରଦୀପ୍ତ କାନୁନଗୋ ପ୍ରକାଶ କରିଛନ୍ତି ।