‘ସୁଶାସନ ଅଭ୍ୟାସ’ ଜାତୀୟ ସମ୍ମିଳନୀ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ : ଓଡ଼ିଶା ଫୋକସରେ ପ୍ରଶାସନିକ ସଂସ୍କାର
ଭୁବନେଶ୍ୱର: ଆଜି ଭୁବନେଶ୍ୱର ଲୋକସେବା ଭବନରେ ‘ସୁଶାସନ ଅଭ୍ୟାସ’ ସମ୍ପର୍କିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଉଦ୍ଘାଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ମିଳିତ ଭାବେ ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନ ଅବସରରେ ପେପର୍ଲେସ୍ ବଜେଟିଂ ଠାରୁ ଆରମ୍ଭ କରି ଡିଜିଟାଲ ଜନ ଅଭିଯୋଗ ଶୁଣାଣି ବ୍ୟବସ୍ଥା ପର୍ଯ୍ୟନ୍ତ ପ୍ରଶାସନିକ ପରିବର୍ତ୍ତନରେ ଓଡ଼ିଶାର ପଦକ୍ଷେପ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଓଡ଼ିଶା କେବଳ ଏକ ଆୟୋଜକ ଭାବରେ ନୁହେଁ ବରଂ ପ୍ରଗତିଶୀଳ ଏବଂ ସ୍ୱଚ୍ଛ ଶାସନ ଦିଗରେ ଭାରତର ବିକାଶ ଯାତ୍ରାରେ ଏକ ସକ୍ରିୟ ଅଂଶୀଦାର ଭାବରେ ଯୋଗଦାନ କରିଥିବାରୁ ଗର୍ବିତ । ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗ ଏବଂ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଦୁଇଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଭାରତ ସରକାରଙ୍କ ସଂପୃକ୍ତ ବିଭାଗୀୟ ଅତିରିକ୍ତ ଶାସନ ସଚିବ ପୁନିତ ଯାଦବଙ୍କ ଅଧ୍ୟକ୍ଷତାରେ ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଦେଶର ବିଭିନ୍ନ ଜିଲ୍ଲାରେ ସରକାରଙ୍କ ଯୁଗାନ୍ତକାରୀ ଯୋଜନାସବୁ ସଫଳତାର ସହିତ କାର୍ଯ୍ୟକାରୀ କରାଯାଉଛି ବୋଲି ସେ କହିଥିଲେ । ସେହିପରି ଭାରତ ସରକାରଙ୍କର ପ୍ରମୁଖ ୧୧ଟି ଜନକଲ୍ୟାଣକାରୀ ଯୋଜନା ଯଥା ହରଘର ଜଳ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ପ୍ରଧାନମନ୍ତ୍ରୀ ଗ୍ରାମୀଣ ଯୋଜନା (ସହରାଞ୍ଚଳ), ମିଶନ ଇନ୍ଦ୍ରଧନୁଷ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ପିଏମ୍ ସ୍ୱ ନିଧି,ପିଏମ୍ ଏମଭିୱାଇ ଭଳି ଅନ୍ୟ ଯୋଜନାକୁ ସଫଳତାର କାର୍ଯ୍ୟକାରୀ କରି ଜିଲ୍ଲାମାନଙ୍କରେ ସାମଗ୍ରିକ ବିକାଶରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ପ୍ରଧାନମନ୍ତ୍ରୀ ପୁରସ୍କାର-୨୦୨୪ ପ୍ରାପ୍ତ ଜିଲ୍ଲାପାଳମାନେ ଏହି ଅଧିବେଶନରେ ସେମାନଙ୍କର ସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ ।
ସେହିପରି ଦ୍ୱିତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ପୁରସ୍କାରପ୍ରାପ୍ତ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ଏବଂ ଜିଲ୍ଲାଗୁଡ଼ିକର ସାମଗ୍ରିକ ବିକାଶ ଉପରେ ଦେଶର ବିଭିନ୍ନ ଜିଲ୍ଲାରୁ ସମ୍ମିଳନୀରେ ଯୋଗ ଦେଇଥିବା ଜିଲ୍ଲାପାଳମାନେ ସେମାନଙ୍କର ସଫଳତା ଉପସ୍ଥାପନ କରିଥିଲେ । ସମ୍ମିଳନୀର ଏହି ଦ୍ୱିତୀୟ ଅଧିବେଶନ, ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗର ଯୁଗ୍ମ ଶାସନ ସଚିବ ସରିତା ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଝାଡଖଣ୍ଡ ରାଜ୍ୟ ଷଢେଇକଳା- ଖରସୁଆଁ ଜିଲ୍ଲା ଗହ୍ମାରିଆ ବ୍ଲକ ସହିତ ଜିଲ୍ଲାର ସାମଗ୍ରିକ ବିକାଶ ସଂପର୍କରେ ଜିଲ୍ଲାପାଳ ରବି ଶଙ୍କର ଶୁକ୍ଳା ଉପସ୍ଥାପନ କରିଥିଲେ । ସେହିପରି କେରଳ, ତେଲେଙ୍ଗାନା, ତ୍ରିପୁରା ସମେତ ଅନ୍ୟାନ୍ୟ ରାଜ୍ୟର ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ବିକାଶ ସମ୍ପର୍କରେ ଉପସ୍ଥାପନା କରିଥିଲେ ।