ରାବଣ ଓ ଅସ୍ମିତା


ଟ୍ରେନରେ, ବସରେ, ଉଡାଜାହାଜରେ, କାରରେ ଓ ପାଣି ଜାହାଜରେ ବୁଲି ଯାଉଥିବା ସମୟରେ ସହଯାତ୍ରୀ ମାନଙ୍କ ସହିତ କଥୋପକଥନ ହୋଇଥାଏ । ସେ କଥୋପକଥନ ଗୁଡ଼ିକର ଅନ୍ତ ଯାତ୍ରା ସହିତ ଶେଷ ହୋଇଯାଇଥାଏ । ଏହାର ଏକ ଉଦାହରଣ ହେଉଛି ମୁଁ ଥରେ ବାଙ୍ଗାଲୋର ଟ୍ରେନରେ ଯାଉଥିବା ସମୟରେ ଜଣେ ବ୍ୟକ୍ତି ମତେ ପଚାରିଲେ “ଅସ୍ମିତା’ ଶବ୍ଦର ଅର୍ଥ କ’ଣ?
ମୁଁ ତାଙ୍କୁ କହିଲି, “ଗୋଟିଏ ସମାଜ ବା ଗୋଟିଏ ବ୍ୟକ୍ତି ଯାହାର ଭାଷା, ସଂସ୍କୃତି, ଇତିହାସ, ନିଜର ରାଜ୍ୟ ଓ ରାଜ୍ୟର ସମ୍ପତ୍ତି ପ୍ରତି ଗଭୀର ଭଲ ପାଇବା ଥାଏ ତାହାକୁ ଅସ୍ମିତା କୁହାଯାଏ’ । ଅସ୍ମିତାର ଅନ୍ୟ କେତେକ ଅନୁରୂପ ଶବ୍ଦ ରହିଛି ଯଥା ମନମୁଗ୍ଧକର, ଆତ୍ମପ୍ରେମ, ସ୍ୱୟଂ ଯାଦୁକରଣ, ମନ୍ତ୍ରମୁଗ୍ଧ, ମୋହିନୀଶକ୍ତି, ନିଜସ୍ୱ ପ୍ରାଧାନ୍ୟ ଇତ୍ୟାଦି ଇତ୍ୟାଦି ।
ଉକ୍ତ ବ୍ୟକ୍ତି ଜଣ କ’ଣ ବୁଝିଲେ କେଜାଣି ସେ ଦିନ ମତେ କହିଥିଲେ ରାବଣର ଏହି ଅସ୍ମିତା ଭାବ ରହିଥିଲା କାରଣ ସେ ଅସୁରକୁଳ ଓ ନିଜକୁ ଭଲ ପାଉଥିଲା । ସେ ବିଦ୍ୱାନ ଥିଲା ଅସୁର ମାନଙ୍କର ସଂସ୍କୃତି ଓ ଐତିହ୍ୟକୁ ଭଲପାଇବା ସହିତ ନିଜର ରାଜ୍ୟ ତାର ବୈଭବ ଓ ଅସୁରକୂଳ ଜାତ ଲୋକଙ୍କୁ ଭଲ ପାଉଥିଲା । ମୁଁ କହିଲି ଆପଣ ଯାହା କହୁଛନ୍ତି ତାହା ଠିକ ନୁହେଁ ତାହା ଜାଣେନି କିନ୍ତୁ ରାବଣ ଶାସ୍ତ୍ରଜ୍ଞ ଓ ବେଦଜ୍ଞ ହୋଇଥିଲେ ମଧ୍ୟ ବେଦମାତା ତାଙ୍କର ପ୍ରତ୍ୟେକ ସନ୍ତାନକୁ ଅସୀମତାର ଐତିହ୍ୟ ଓ ତାଙ୍କ ଭାଷାରେ ପୃଥିବୀକୁ ଗ୍ରହଣ କରିବା ପାଇଁ ଆହ୍ୱାନ କରନ୍ତି । ସେ କହନ୍ତି ହେ ପୁତ୍ର! ତୁ ଏହି ରୂପରେ, ଅସ୍ଥାୟୀ ଭାବରେ ଆବଦ୍ଧ ସେହି ଅସୀମ ଅଟୁ’ ତତ୍ ତ୍ୱମ ଅସି । ଓ କୁସ କମ ସନ୍ତାନ ତାର ପ୍ରତୁ୍ୟତ୍ତର ଦେଇଥାନ୍ତି । ଏପରିକି ଯେତେବେଳେ ନାରାୟଣ ରାମଙ୍କ ରୂପରେ ଆସି “ସନ୍ତାନମାନେ, ତୁମେ ବ୍ରହ୍ମ, ଅସୀମ, ନିର୍ବିକଳ୍ପ, ନିତ୍ୟ ବୋଲି ଘୋଷଣା କଲେ ସେତେବେଳେ ଖୁବ କମ ତାଙ୍କ ଆହ୍ୱାନର ପ୍ରତୁ୍ୟତ୍ତର ଦେଇଥିଲେ । ଔଧତ୍ୟ ଓ ଅଜ୍ଞାନତା ଯୋଗୁ ରାବଣ ବୈଦିକ ଉଦଘୋଷଣାର ପ୍ରାମାଣିକତାକୁ ବୁଝିପାରିନଥିଲା । ଜଣେ କବି କହିଥିଲେ ଯେ କୁକୁରକୁ ଖାଏ ସେ ଗୁରୁ । ଯେ ଘୁଷୁରୀକୁ ଖାଏ ସେ ଯୋଗୀ ଓ ଯେ ହାତୀକୁ ଖାଏ ସେ ଜ୍ଞାନୀ । ସେ କୁକୁରକୁ କ୍ରୋଧ ସହିତ, ଘୁଷୁରୀକୁ ଅହଂକାର ଓ ହାତୀକୁ ଅନିୟନ୍ତ୍ରିତ ବାସନା ବା ଗର୍ବ ସହିତ ତୁଳନା କରିଥିଲେ । ଯଦି ରାବଣ ଏହି ତିନିଟିକୁ ଭକ୍ଷଣ କରିପାରିଥାନ୍ତା ତେବେ ସେ ଅସୀମ (ରାମ)କୁ ଦେଖିବା ପାଇଁ ତାର ଦୃଷ୍ଟି ନିର୍ମଳ ହୋଇଥାନ୍ତା । 
ବେଦ ଶବ୍ଦର ଅର୍ଥ ଯାହା ଶିକ୍ଷାଦିଏ । ସତ୍ୟସ୍ୟ ସତ୍ୟମ ଜଗତ ସତ୍ୟର ଏକ କାର୍ଯ୍ୟକଳାପ ଏବଂ ସତ୍ୟର ସତ୍ୟ ହେଉଛି ଆତ୍ମା । ଉକ୍ତ ଭଦ୍ରବ୍ୟକ୍ତି ଜଣକ ମୋ କଥା ଶୁଣି କହିଲେ, ଆପଣ ଠିକ କହିଛନ୍ତି କିନ୍ତୁ ବର୍ତ୍ତମାନର ମଣିଷ ବନ୍ୟହାତୀ ପରି ବୁଲୁଛି, ନିଜର ଖିଆଲ ଅନୁସାରେ ଖାଉଛି, ଲଢ଼େଇ କରୁଛି, ଧାଉଁଛି । ସର୍ବ ବିଦ୍ୟାରେ ପାରଙ୍ଗମ, ବେଦଜ୍ଞ ରାବଣ ଏତେ ଜପତପ କରିବା ପରେ ମଧ୍ୟ ଅସୀମଙ୍କୁ କାହିଁକି ବୁଝିପାରିଲାନି ବୋଲି ଟ୍ରେନରେ ଯାତ୍ରା କରୁଥିବା ଆଉ ଜଣେ ସହଯାତ୍ରୀ ଆମ କଥା ଶୁଣି ପଚାରିଲେ । ଏହାର ଉତ୍ତର ରଖି ମୁଁ କହିଥିଲି, ଆପଣ ଜ୍ଞାତି, କୁଟୁମ୍ବ, ସ୍ତ୍ରୀ, ସନ୍ତାନ ମରିଗଲେ ଘରେ ଆତ୍ମୀୟ ସ୍ୱଜନମାନେ ବିଳାପ କରୁଥିବା କଥା ଆପଣ ଶୁଣୁଥିବେ । ଅନେକେ ତାହାକୁ ଶୁଣି ସେମାନେ ମଧ୍ୟ ବିଳାପ କରୁଥିବା ଶୁଣିଥିବେ । ତେବେ ରାବଣର ମୃତୁ୍ୟ ସମୟରେ ମନେ୍ଦାନ୍ଦରୀ ବିଳାପ କରି କଣ କହିଥିଲା ଆପଣ ଜାଣନ୍ତି? ଟ୍ରେନରେ ଆମ କଥା ଶୁଣୁଥିବା ସମସ୍ତ ସହଯାତ୍ରୀ କାନଡେରିଲେ । ମୁଁ କହିଲି ମନେ୍ଦାନ୍ଦରୀ ସେ ଦିନ ବିଳାପ କରି କହିଲେ “ହାୟ! ତୁମେ କେବଳ ତୁମର କାମନା ଗୁଡ଼ିକୁ ଦମନ କରିଥିଲ, ତୁମେ ସେଗୁଡ଼ିକୁ ଉତ୍ପାଟିତ କରି ନଥିଲ, ଉତ୍ତେଜନା ଦୃଢ଼ ହେବା ବେଳେ, କାମର ହୀନ ଅଭିଳାଷ ଶୀଘ୍ର ଅଙ୍କୁରିତ ହେଲା । ବର୍ଷା ଆସିବା ବେଳେ ଶୁଷ୍କ ହଳଦିଆ ମାଟି ତଳେ ଘାସର ବୀଜ ଓ ଚେର ଥିବା ଯୋଗୁଁ ସବୁଜ ହୋଇଗଲା । ସେ ଗୁଡ଼ିକୁ ଉପାଡ଼ି ନଷ୍ଟ କରାଯାଇନଥିଲା’ । ସେହିପରି ଆମେମାନେ ଅସ୍ମିତା ଶବ୍ଦର ଅର୍ଥ ବୁଝିଥିଲେ ମଧ୍ୟ ତାକୁ ପ୍ରକୃତ ଅର୍ଥରେ କାର୍ଯ୍ୟକାରୀ ନ କରିପାରିଲେ, ରାବଣ ପରି ଆମ ଅନ୍ତ ସୁନିଶ୍ଚିତ ।
ଅନୀତା ପଟ୍ଟନାୟକ,ମୋ: ୯୬୯୨୯୮୦୦୨୬