ପାଣିପାଗ ପରିବର୍ତ୍ତନ ଓ ସହରୀ କୃଷି


ଦ୍ୱୈତନଗରୀ କଟକ-ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ ବଢ଼ୁଛି କଂକ୍ରିଟକରଣ । ସହରରେ ବର୍ଦ୍ଧିଷ୍ଣୁ କୋଠାବାଡ଼ି ସହରକୁ ସୁନ୍ଦର କରୁଥାଇପାରେ, କିନ୍ତୁ ପରିବେଶକୁ କରୁଛି ବିପଦଯୁକ୍ତ । ବିଶ୍ୱ ତାପମାତ୍ରା ବୃଦ୍ଧି ସହ ଅଙ୍ଗାରକାମ୍ଳର ମାତ୍ରାଧିକ ପ୍ରଭାବ କାରଣରୁ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । କଟକ କଥା ଆଲୋଚନା କରାଯାଉ । ସହରର ଦୁଇ ପଟେ ଯାଇଥିବା ନଦୀର ଜଳସ୍ତର ହ୍ରାସ ସହ ବ୍ୟାପକ ଭାବେ ଗଛକଟା ଯୋଗୁଁ ତାପମାତ୍ରା ଏହି କିଛି ବର୍ଷ ହେବ ବଢ଼ିଛି । ତେବେ ସିଏମସି ଓ ଜଙ୍ଗଲ ବିଭାଗ ପକ୍ଷରୁ ଅନେକସ୍ଥାନରେ ବ୍ୟାପକ ବୃକ୍ଷରୋପଣ, ଏ ଦିଗରେ କିଛିଟା ଆଶ୍ୱସ୍ତି କରିଥିବାବେଳେ ପରିବେଶବିତମାନେ ଅର୍ବାନ ଫାର୍ମିଙ୍ଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ତେବେ ଏହି ଅର୍ବାନ ଫାର୍ମିଙ୍ଗ କଣ ସେ ସମ୍ପର୍କରେ ଜାଣିବା ଆବଶ୍ୟକ । ସହରର ବଢ଼ିଥିବା କୋଠାବାଡ଼ି ଉପରେ ବା ଛାତ ଉପରେ ଗଛ ଲଗାଇବା ହେଉଛି ଅର୍ବାନ ଫାର୍ମିଙ୍ଗ । ଯେଉଁମାନେ କଂକ୍ରିଟକରଣକୁ ଗୁରୁତ୍ୱ ଦେଉଛନ୍ତି, ସେମାନେ ଅତିକମରେ ନିଜ ଘର ଛାତ ଉପରେ ବ୍ୟାପକ ଭାବରେ ଗଛ ଲଗାଇବା ଉପରେ ବିଶେଷ ଧ୍ୟାନ ଦେବା ଦରକାର ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । କରିଡ଼ରରେ କିମ୍ବା ଛାତ ଉପରେ ସବୁଜିମା ସୃଷ୍ଟି କରିବା ନେଇ ବିଶେଷ ଗୁରୁତ୍ୱ ଦିଆଯାଉଥିବା ବେଳେ ଲୋକମାନେ କିପରି ଏନେଇ ଅଧିକରୁ ଅଧିକ ସଚେତନ ହେବେ ସେ ନେଇ ଦାୟିତ୍ୱ ଆମ ସମସ୍ତଙ୍କର । ଦିନକୁ ଦିନ କଟକ ଭଳି ସହରରେ ଅନେକ ଲୋକ ଆର୍ଦ୍ରଭୂମିକୁ ପୋତି ସେହି ସ୍ଥାନରେ କୋଠାବାଡ଼ି କରିବାରେ ଲାଗିଛନ୍ତି । ଏହାଫଳରେ ଜଳସ୍ତର ହ୍ରାସ ଘଟିବା ସହ ବୃକ୍ଷ ରୋପଣ ନେଇ ସୁଯୋଗ ଜମି କମି ଯାଉଛି । ସହରରେ ଯେଉଁମାନେ କିଚେନ ଗାର୍ଡ଼େନ କରୁଛନ୍ତି ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ସମୟରେ ସିଏମସି ପକ୍ଷରୁ ମାଗଣାରେ ଚାରା ବି ଦିଆଯାଉଛି । କିନ୍ତୁ ସଚେତନତାର ଅଭାବ ଘଟୁଥିବାରୁ ଲୋକମାନେ ଏ ଦିଗରେ ବିଶେଷ ଧ୍ୟାନ ଦେଉନଥିବା ଜଣାପଡ଼ିଛି । ହେଲେ ପରିବେଶବିତମାନଙ୍କ କହିବା ଅନୁସାରେ ପ୍ରଶାସନର ସାହାଯ୍ୟ ନେଇ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ସହରୀ ଲୋକେ ଏ ଦିଗରେ ବିଶେଷ ଧ୍ୟାନ ଦେବା ଜରୁରି । ପାଣିପାଗ ପରିବର୍ତ୍ତନ ଘଟୁଥିବାରୁ ଏବେଠାରୁ ଲୋକେ ଏ ଦିଗରେ ସଚେତନ ନହେଲେ ତାପମାତ୍ରା ବୃଦ୍ଧି ସଙ୍କଟକୁ ଏଡ଼ାଇ ହେବନାହିଁ । ଏହାଛଡ଼ା କଟକର ରିଂ ବନ୍ଧ ରାସ୍ତାର ସମ୍ପ୍ରସାରଣ କରାଯାଉଛି । ବେଲଭୁ୍ୟ ଠାରୁ ମର୍କତନଗର, ମଧୁସୂଦନ ସେତୁଠାରୁ ଯୋବ୍ରା, ସିଏନବିଟି ଠାରୁ ମଧୁପାଟଣା ରିଂ ବନ୍ଧ ରାସ୍ତାର ସମ୍ପ୍ରସାରଣ ଚାଲିଛି । ପୂର୍ତ୍ତ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଭାବେ ଗଛକଟା ଯାଇ ରାସ୍ତା ସମ୍ପ୍ରସାରିତ କରାଯାଉଛି । ଆଜିଯାଏ ପ୍ରାୟ ଦୁଇ ଶହ / ତିନି ଶହ ଗଛ କଟା ସରିଥିବା ସୂଚନା ମିଳିଛି । ଟାଇଁ ଟାଇଁ ଖରାରେ ସିଝି ସିଝି ପଥଚାରୀ ବା ବାଟୋଇ ଆଶ୍ରା ନେବା ପାଇଁ ଗଛଟିଏ ପାଉନି । ତତଲା ହାୱା ସହ ଶୁଷ୍କ ବାଲି ଉପରେ ବୋହୁଥିବା ଝାଇଁ ପବନରେ ଆକ୍ତାମାକ୍ତା ହୋଇପଡ଼ୁଛି ବାଟୋଇ । ତେବେ ସହରରେ ବ୍ୟାପକ ଗଛକଟା ଯୋଉଁ ଦିନକୁ ଦିନ ତାପମାତ୍ରା ନିୟନ୍ତ୍ରଣ ବାହାରେ ଚାଲିଯାଉଥିବା ପରିବେଶବିତ ମାନେ ପୂର୍ବାଭାଷ ଦେଇଛନ୍ତି । ଏପରି କ୍ଷେତ୍ରରେ ବୁଦ୍ଧିଜୀବୀ ତଥା ପରିବେଶବିତମାନେ ବ୍ୟାପକ ଭାବେ ଅର୍ବାନ ଫାର୍ମିଙ୍ଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ତେଣୁ ଅର୍ବାନ ଫାର୍ମିଙ୍ଗକୁ ସହରୀ ଲୋକେ ଗୁରୁତ୍ୱ ଦେଇ ଅତିକମରେ ନିଜ ଛାତ ଉପରେ କିମ୍ବା ରେସିଡେନ୍ସିଆଲ କମ୍ପ୍ଲେକ୍ସରେ ଅଧିକରୁ ଅଧିକ ଗଛ ଲଗାଇବା ଉପରେ ବିଶେଷ ଗୁରୁତ୍ୱ ଦେବା ଉଚିତ । ଏ ଦିଗରେ ଜଙ୍ଗଲ ବିଭାଗ ସିଏମସି କିମ୍ବା ଜିଲ୍ଲା ପ୍ରଶାସନ ସମୟ ସମୟରେ ମାଗଣା ଚାରା ଦେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ସହ ଏପରି କରିବାକୁ ପ୍ରୋତ୍ସାହିତ କରିବା ଦରକାର । ବୃକ୍ଷ ହିଁ ଜୀବନ ଏ ନେଇ ସାଧାରଣ ଲୋକେ ସଚେତନ ହେଲେ ପରିବେଶ ବିଗିଡ଼ିବା ପୂର୍ବରୁ କିଛିଟା ରକ୍ଷା ହୋଇପାରନ୍ତା । କଟକରେ ଗଛ ଲଗାଇବାକୁ ମାଟି ନାହିଁ । ଯୁଆଡ଼େ ଦେଖିବେ ସିଆଡ଼େ କଂକ୍ରିଟ ଆସ୍ତରଣ । କୋଠାବାଡ଼ି ସହ ରିଂ ବନ୍ଧ ରାସ୍ତାର ସମ୍ପ୍ରସାରଣ ପାଇଁ ବ୍ୟାପକ ଭାବେ ଗଛକଟା ଚାଲିଛି । ତେବେ ବଦଳୁଥିବା ଜଳବାୟୁ ଓ ପାଣିପାଗର ପରିବର୍ତ୍ତନ ପାଇଁ ସହରରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି । ଦିନ ବେଳା ଲୋକେ ବିଶ୍ରାମ ନେବାକୁ ଗଛଟିଏ ପାଉନାହାନ୍ତି । ଏପରିକି ପଶୁପକ୍ଷୀମାନେ ଛାଇ ତଳେ ଛିଡ଼ା ହେବାକୁ ବି ସୁଯୋଗ ପାଉନାହାନ୍ତି । ଏପରି କ୍ଷେତ୍ରରେ ସହରରେ ଅର୍ବାନ ଫାର୍ମିଙ୍ଗର ଆବଶ୍ୟକତା ରହିଛି । ସାଧାରଣ ନାଗରିକମାନେ ନିଜ ନିଜ ଛାତ ଉପରେ ବ୍ୟାପକ ଭାବେ ଗଛ ଲଗାଇବା ଦରକାର । ବ୍ୟାପକ ବୃକ୍ଷରୋପଣ ସହ ପୁରାତନ ବୃକ୍ଷରାଜିର ସୁରକ୍ଷା ମଧ୍ୟ ଆମ ଦାୟିତ୍ୱ । 
ଅଲେଖ ଚନ୍ଦ୍ର ସାମଲ ,ମୋ: ୯୪୩୭୨୫୭୧୨୩