ରାମଚଣ୍ଡୀ ମୁହାଁଣରେ ବିପଦପୂର୍ଣ୍ଣ ନୌବିହାର : ଅନଭିଜ୍ଞ ବୋଟ ଚାଳକଙ୍କ ହାତରେ ପର୍ଯ୍ୟଟକଙ୍କ ଜୀବନ
କୋଣାର୍କରୁ ସୂର୍ଯ୍ୟକାନ୍ତ ମିଶ୍ର : ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରୁ ୧୦କି.ମି ଦୂରରେ କୋଣାର୍କ-ପୁରୀ ଜାତୀୟ ରାଜପଥ ରାସ୍ତାର ଲୋଟସ୍ ରିସୋର୍ଟ ସନ୍ନିକଟ ରାମଚଣ୍ଡୀ ମୁହାଁଣରେ ଅନଭିଜ୍ଞ ବୋଟ ଚାଳକଙ୍କ ଦ୍ୱାରା ବିପଦପୂର୍ଣ୍ଣ ନୌବିହାର ହେଉଛି । ଏଥିରେ ପର୍ଯ୍ୟଟକଙ୍କ ଜୀବନ ବାଜିରେ ଲାଗିଥିବାବେଳେ ଦୁର୍ଘଟଣା ଘଟିଲେ ଦାୟୀ କିଏ ବୋଲି ବୁଦ୍ଧିଜୀବୀ, ପର୍ଯ୍ୟଟକ ଓ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ମାନଙ୍କ ମଧ୍ୟରେ ନାନା ପ୍ରକାରର ଆଶଙ୍କା ସୃଷ୍ଟି କରିବା ସହ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି ।
ଖବରରୁ ପ୍ରକାଶ ଯେ, ନଦୀ ଓ ସମୁଦ୍ରର ମିଳନ ସ୍ଥଳୀ ରାମଚଣ୍ଡୀ ମୁହାଁଣରେ ଘଞ୍ଚ ଝାଉଁ ଜଙ୍ଗଲର ଅପରୂପ ସୌନ୍ଦର୍ଯ୍ୟ ଭରା ପ୍ରାକୃତିକ ସମ୍ପଦ ପର୍ଯ୍ୟଟକମାନଙ୍କୁ ନୌବିହାର କରିବା ପାଇଁ ବେଶ ଆକୃଷ୍ଟ କରୁଥିବାର ନଜିର ରହିଛି । କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରସିଦ୍ଧ ଦେବୀ ମା’ ରାମଚଣ୍ଡୀଙ୍କ ମନ୍ଦିର ପରିଦର୍ଶନରେ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦେଶବିଦେଶରୁ ଏଠାକୁ ଆସିଥାନ୍ତି । କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବା ପରେ ମା’ ରାମଚଣ୍ଡୀଙ୍କ ଦର୍ଶନ କରିବା ପରେ ରାମଚଣ୍ଡୀ ମୁହାଁଣରେ ସକାଳ ଓ ସନ୍ଧ୍ୟା ସମୟରେ ନୌବିହାରର ମଜା ନେଇଥାନ୍ତି । ମାତ୍ର ରାମଚଣ୍ଡୀ ମୁହାଁଣରେ ଚାଲୁଥିବା ଯନ୍ତ୍ର ଚାଳିତ ଡଙ୍ଗା ଓ ବୋଟମାନଙ୍କ ମଧ୍ୟରୁ କେତେକଙ୍କୁ ସରକାରୀସ୍ତରରେ ପ୍ରମାଣ ପତ୍ର ମିଳି ନ ଥିବାବେଳେ କେତେକ ବୋଟ ଚାଳକଙ୍କ ଲାଇସେନ୍ସ ନ ଥିବା ବୁଦ୍ଧିଜୀବୀ, ସଚେତନ ନାଗରିକ, ପର୍ଯ୍ୟଟନ ପ୍ରେମୀ ଓ ପର୍ଯ୍ୟଟକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି । ଏହି ମୁହାଁଣରେ ଅନଭିଜ୍ଞ ବୋଟ ଚାଳକଙ୍କ ହାତରେ ପର୍ଯ୍ୟଟକମାନଙ୍କ ବିପଦପୂର୍ଣ୍ଣ ନୌବିହାର ଯାତ୍ରାକୁ ବୁଦ୍ଧିଜୀବୀ ଓ ପର୍ଯ୍ୟଟନ ପ୍ରେମୀ ମହଲରେ ନାପସନ୍ଦ କରାଯାଇଛି । ଏହି ମୁହାଁଣରେ ନୌବିହାର କରୁଥିବା ପର୍ଯ୍ୟଟକମାନଙ୍କ ଠାରୁ ଅନଭିଜ୍ଞ ବୋଟ ଚାଳକମାନେ ଆଶାତୀତ ଭଡା ନେଉଛନ୍ତି ବୋଲି କେତେକ ପର୍ଯ୍ୟଟନ ପ୍ରେମୀ ଓ ପର୍ଯ୍ୟଟକମାନଙ୍କ ମହଲରେ ଚାପା ଗୁଞ୍ଜରଣ ସୃଷ୍ଟି ହେବା ସହିତ ଅସନ୍ତୋଷ ପ୍ରକାଶ ପାଇଛି । ଏହି ନୌବିହାର କରୁଥିବା ସମୟରେ ପର୍ଯ୍ୟଟକମାନଙ୍କୁ ବୋଟ ଚାଳକମାନେ ଲାଇଫ ଜ୍ୟାକେଟ୍ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁରକ୍ଷା ସାମଗ୍ରୀ ବ୍ୟବହାର ନିମନ୍ତେ ପ୍ରଦାନ କରୁ ନ ଥିବା ଘଟଣା ସାଧାରଣରେ ଆଲୋଚନା ହେଉଛି । ରାମଚଣ୍ଡୀ ମୁହାଁଣରେ ଅନଭିଜ୍ଞ ବୋଟ ଚାଳକଙ୍କ ହାତରେ ଲାଇସେନ୍ସ ନ ଥିବା ବୋଟରେ ବିପଦପୂର୍ଣ୍ଣ ନୌବିହାର କରୁଥିବା ପର୍ଯ୍ୟଟକମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥିବାବେଳେ ପୁରୀ ଜିଲ୍ଲା ପ୍ରଶାସନ କିମ୍ବା ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ରାମଚଣ୍ଡୀ ମୁହାଁଣରେ ଚାଲିଥିବା ବିପଦପୂର୍ଣ୍ଣ ନୌବିହାର କରୁଥିବା ବୋଟ ଗୁଡିକର ଲାଇସେନ୍ସ, ଚାଳକମାନଙ୍କ ଲାଇସେନ୍ସ, ବୋଟରେ ପର୍ଯ୍ୟଟକମାନଙ୍କ ନିମନ୍ତେ ସୁରକ୍ଷା ବ୍ୟବସ୍ଥା ପାଇଁ ଆନୁସଙ୍ଗିକ ସାମଗ୍ରୀ ମହଜୁଦ ଅଛି କି ନାହିଁ ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ବିଭାଗ ମନ୍ତ୍ରୀ, ବିଭାଗୀୟ ସଚିବ, ମୁଖ୍ୟ ଶାସନ ସଚିବ, ପୁରୀ ଏସ୍ପି ଓ ପୁରୀ ଜିଲ୍ଲାପାଳଙ୍କୁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ପର୍ଯ୍ୟଟନ ପ୍ରେମୀ, ପର୍ଯ୍ୟଟକ ଓ ରାମଚଣ୍ଡୀ ଅଞ୍ଚଳର ଜନ ସାଧାରଣ ମାନଙ୍କ ପକ୍ଷରୁ ଦାବି କରାଯାଇଛି ।