ନାହିଁ ଡ୍ରେନେଜ୍ ବ୍ୟବସ୍ଥା: ରାସ୍ତାରେ ଆଣ୍ଠୁଏ ପାଣି

 କେନ୍ଦ୍ରାପଡା : କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ୱାର୍ଡର ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ । ଯାହା ଫଳରେ ବର୍ଷା ଦିନରେ ବିଭିନ୍ନ ୱାର୍ଡର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଲେଖାଏଁ ବର୍ଷାଜଳ ଛିଡା ହୋଇ ରହୁଛି । ଗତ ସୋମବାର ଦିନ ଘଡଘଡି ସହ ଅଧଘଣ୍ଟା ବର୍ଷା ହେବା ଦ୍ୱାରା ସହରର ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ପାଣି ଛିଡା ହୋଇଥିବା ଦେଖିବାକୁ ମିଳିଛି । ସହରର ମୁଖ୍ୟ ରାସ୍ତା ପୈାର ସଂସ୍ଥା ଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା କେନ୍ଦ୍ର୍ରାପଡା କୋର୍ଟ ରାସ୍ତା ଓ କୋର୍ଟ ନିକଟରେ ଥିବା ହନୁମାନ ମନ୍ଦିର ନିକଟରେ ଆଣ୍ଠୁଏ ଡ୍ରେନ ପାଣି ମୁଖ୍ୟ ରସ୍ତା ଉପରେ ଲହଡି ମାରିବାରୁ ପବିତ୍ର ସାବିତ୍ରୀ ଓଷାରେ ହନୁମାନ ମନ୍ଦିରକୁ ଯାତାୟତ କରୁଥିବା ମହିଳାମାନେ ଡ୍ରେନ୍ର ପଚା ପାଣିରେ ପଶି ମନ୍ଦିରକୁ ପୂଜା କରିବାକୁ ଯାଉଥିବା ଦେଖିବାକୁ ମଳିଥିଲା । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା । ବର୍ଷାଜଳ ଡ୍ରେନ୍ ଦ୍ୱାରା ନିଷ୍କାସନ ନ ହେବାରୁ କୋର୍ଟ ନିକଟରେ ପ୍ରାୟ ୨ ଘଣ୍ଟା ଧରି ବର୍ଷାଜଳ ଲହଡି ମାରୁଥିବା ଦ୍ୱାରା ବହୁ ଜନ ସାଧାରଣ କୋର୍ଟକୁ ଆସୁଥିବା ବ୍ୟକ୍ତି ଓ ମନ୍ଦିରକୁ ଯାଉଥିବା ମହିଳା ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତୁରନ୍ତ ବର୍ଷାଜଳ ନିଷ୍କାସନ କରିବା ପାଇଁ ଡ୍ରେନ ଗୁଡିକୁ ସଫା କରିବା ସହ ଚଉଡା କରିବା ପାଇଁ ସାଧାରଣରେ ଦାବି ହେଉଛି ।