ରାଷ୍ଟ୍ରୀୟ ଲକ୍ଷପତି ଦିଦି ସମ୍ମିଳନୀ : ଓଡ଼ିଶାରେ ୧୭ ଲକ୍ଷ, ନୟାଗଡ଼ ପ୍ରଥମ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦର୍ଶୀ ମାର୍ଗଦର୍ଶନରେ ଲକ୍ଷପତି ଦିଦି ଯୋଜନା ମହିଳାମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିବାର ମାର୍ଗ ପ୍ରସ୍ତୁତ କରିଛି । ଏହା କେବଳ ରୋଜଗାରର କଥା ନୁହେଁ । ପରନ୍ତୁ, ଏହାର ମୂଳ ଉଦେ୍ଦଶ୍ୟ ହେଉଛି ମହିଳା ମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବା । ଗ୍ରାମାଞ୍ଚଳ ମହିଳାଙ୍କ ମଧ୍ୟରେ ନେତୃତ୍ୱ ଭାବନା ଜାଗ୍ରତ କରିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରୀୟ ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫ ଅବସରରେ କହିଛନ୍ତି । ସୂଚନାଯୋଗ୍ୟଯେ, ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଦେଶର ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଲକ୍ଷପତି ଦିଦି ଓ ସରକାରୀ ଅଧିକାରୀମାନେ ଯୋଗଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ଆଜିର ଏହି ସମ୍ମିଳନୀ କେବଳ ଆମ ପାଇଁ ଉପଲବ୍ଧିର ଉସôବ ନୁହେଁ ବରଂ ଏହା ହେଉଛି ଆମର ମହିଳା ନେତୃତ୍ୱ ପ୍ରତି ସଂକଳ୍ପ । ମହିଳାଙ୍କର ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ ସ୍ୱତନ୍ତ୍ରତା ପାଇଁ ପ୍ରଧାନମନ୍ତ୍ରୀ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜନୀତିକ କ୍ଷେତ୍ରରେ ମହିଳାମାନଙ୍କ ପ୍ରତିନିଧିତ୍ୱ ପାଇଁ ନାରୀଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ହୋଇଛି । ଏହା ମାଧ୍ୟମରେ ଆଗାମୀ ନିର୍ବାଚନରେ ଅତି କମରେ ୩୩% ମହିଳା ଲୋକସଭା ଓ ବିଧାନସଭାକୁ ନିର୍ବାଚିତ ହୋଇଆସିବେ ବୋଲି ସେ କହିଥିଲେ । ଓଡିଶା ଲକ୍ଷପତି ଦିଦି ମିଶନକୁ ପ୍ରତିବଦ୍ଧତାର ସହ କାର୍ଯ୍ୟକାରୀ କରିଛି । ପ୍ରାୟ ୧୭ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ଗଢି ଆଜି ଓଡିଶା ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଛି ।
ସେ ଆହୁରି କହିଥିଲେ, ଓଡିଶାର ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ୠଣ ଉପଲବ୍ଧ କରାଯାଉଛି । ରିଭଲଭିଂ ଫଣ୍ଡ ସହାୟତାକୁ ୧୫ ହଜାର ଟଙ୍କାରୁ ବଢାଇ ୩୦ ହଜାର ଟଙ୍କାକୁ କରାଯାଇଛି । କମୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡକୁ ବଢାଇ ୩୫ ଲକ୍ଷ ଟଙ୍କାରୁ ୬୦ ଲକ୍ଷ ଟଙ୍କାକୁ କରାଯାଇଛି । ଏହି ଅବସରରେ ରାୟଗଡା ଜିଲ୍ଲାର ଲକ୍ଷପତି ଦିଦି ବିନ୍ଧ୍ୟବାଶିନୀ, ମହାରାଷ୍ଟ୍ରର ଶୋଭା ଦିଗମ୍ବର କଦମ୍ ସେମାନଙ୍କର ସଫଳତାର ଅନୁଭୂତି ଓ ଅଭିଜ୍ଞତାକୁ ବର୍ଣ୍ଣନା କରିଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଲକ୍ଷପତି ଦିଦି ଭାବରେ ଦେବଗଡ ଜିଲ୍ଲାର ଶକୁନ୍ତଳା ଧଳ, ଗଜପତି ଜିଲ୍ଲାର ସୁଲମୀ ଦଳବେହେରା ଏବଂ କେନ୍ଦ୍ରାପଡା ଜିଲ୍ଲାର ମମତା ନାଥ ଶର୍ମାଙ୍କୁ ପୁରସ୍କୃତ କରିଥିଲେ । ଜିଲ୍ଲାରେ ୯୮% ଲକ୍ଷପତି ଦିଦି ସୃଷ୍ଟି କରି ପ୍ରଥମ ସ୍ଥାନ ଅଧିକାର କରିଥିବା ନୟାଗଡ ଜିଲ୍ଲା ଏବଂ ୯୭% ଲକ୍ଷପତି ଦିଦି ସୃଷ୍ଟି କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କେନ୍ଦ୍ରାପଡା, କଟକ, ଭଦ୍ରକ, ଜଗତସିଂହପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବା ସହିତ ରାଜ୍ୟସ୍ତରରେ ଶ୍ରେଷ୍ଠ ଅଧିକାରୀ ଭାବେ ଓଡିଶା ଜୀବିକା ମିଶନ ଭୁବନେଶ୍ୱରର ଦେବୀ ପ୍ରସାଦ ନାୟକଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଲକ୍ଷପତି ଦିଦିଙ୍କ ଉପରେ ପର୍ଯ୍ୟବସିତ ଏକ ଭିଡିଓ, ଏକ କଫି ଟେବୁଲ ବୁକ୍ ଓ ବୁକଲେଟ୍ ଉନ୍ମୋଚନ କରିଥିଲେ ।
ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ଉଦବୋଧନ ଦେଇ କହିଥିଲେଯେ, ଲକ୍ଷପତି ଦିଦି ଯୋଜନା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ଆନେ୍ଦାଳନ । ଯାହା ମହିଳାମାନଙ୍କୁ ଘର ଚାରି କାନ୍ଥ ମଧ୍ୟରୁ ବାହାର କରି ବିକାଶ ସ୍ରୋତରେ ଯୋଡୁଛି । ଏହି ଲକ୍ଷପତି ଦିଦି ସୃଷ୍ଟି କରାଇବାରେ ଓଡିଶା ଲଗାତର ଭାବେ ଏକ ନମ୍ବର ସ୍ଥାନରେ ରହିଛି । ଏହା ଆମ ପାଇଁ ବଡ ଉପଲବ୍ଧି । କୃଷି, ପଶୁ ପାଳନ, ସିଲାଇ, କାଫେ ଇତ୍ୟାଦି ସମସ୍ତ କ୍ଷେତ୍ରରେ ଆମ ଗ୍ରାମାଞ୍ଚଳର ମହିଳାମାନେ ସେମାନଙ୍କ ପାରଦର୍ଶିତା ପ୍ରଦର୍ଶନ କରୁଛନ୍ତି । ଏହି କାର୍ଯ୍ୟକ୍ରମ ବଳରେ ଆଜି ଗ୍ରାମାଞ୍ଚଳର ମହିଳା ମାନେ କେବଳ ନିଜ ପାଇଁ ରୋଜଗାର କରୁନାହାନ୍ତି, ଅନ୍ୟ ମାନଙ୍କ ପାଇଁ ଉଦାହରଣ ମଧ୍ୟ ହୋଇ ପାରିଛନ୍ତି । ଆଗାମୀ ଦିନରେ ସଶକ୍ତ ମହିଳା ମାନେ ବିକଶିତ ଭାରତ ଓ ସମୃଦ୍ଧ ଓଡିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ କହିଥିଲେ ।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେଯେ, ବିକାଶ ପ୍ରକ୍ରିୟାରେ ମହିଳାକୁ ସାମିଲ କରିବାକୁ ଆମେ ଗୁରୁତ୍ୱ ଦେଉଛୁ । ଆମର ଲକ୍ଷ୍ୟ କେବଳ ଲକ୍ଷପତି ଦିଦି ସୃଷ୍ଟି କରିବା ନୁହେଁ, ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ହେଉଛି ଆମର ମୂଳ ଉଦେ୍ଦଶ୍ୟ । କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନିଦେ୍ର୍ଦଶିକା ଡଃ ମୋନିକା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।