ରାସନକାର୍ଡରେ ଅନିୟମିତତା

 ଆସିକା: କେନ୍ଦ୍ର ସରକାର ମାଗଣାରେ ଗରିବ ଲୋକଙ୍କ ଭୋକିଲା ପେଟକୁ ଖାଦ୍ୟ ଯୋଗାଇବା ନିମନ୍ତେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନରେ ସାଧାରଣ ବଣ୍ଟନ ବ୍ୟବସ୍ତା ଦ୍ୱାରା ରାସନ କାର୍ଡ ପ୍ରଦାନ କରାଯାଇଥିଲା । ସେହିଭଳି ତତକାଳୀନ ରାଜ୍ୟ ସରକାର ସମାନ ଭାବେ କିଛି ବର୍ଷ ପରେ ରାଜ୍ୟ ଖାଦ୍ୟ ନିରାପତ୍ତା ଆଇନ ମଧ୍ୟ ଲାଗୁ କରି ଗାଁ ଠାରୁ ସହର ପର୍ଯ୍ୟନ୍ତ ରାସନ କାର୍ଡ ପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ୨୭ ପଂଚାୟତରେ ୯୪ ଜଣ ଚାକିରିଆଙ୍କ କାର୍ଡରେ ୩୫୭ ଜଣ ହିତାଧିକାରୀ ଓ ଏନଏସିର ୧୮ ଗୋଟି ୱାର୍ଡରୁ ୧୭ଜଣ ଚାକିରିଆ କାର୍ଡରେ ୬୪ ଜଣ ହିତାଧିକାରୀ ଉପକୃତ ହେଉଛନ୍ତି । ସେହିପରି ଆସିକା ବ୍ଲକରେ ୩୦୧୦ ଜଣ ଓ ଏନଏସିରେ ୩୯୮ ଜଣ ଆଇଟି ଦେଉଥିବା ହିତାଧିକାରୀମାନେ ରାସନ ସାମଗ୍ରୀ ନେଉଥିବା ତଥ୍ୟ ମଧ୍ୟ ହସ୍ତଗତ ହୋଇଛି । ଗତ ଫେବୃଆରୀ ୭ ତାରିଖ ସୁଦ୍ଧା ବ୍ଲକରେ ମୋଟ ୧ ଲକ୍ଷ ୧୫ ହଜାର ୫୨୪ ହିତାଧିକାରୀମାନଙ୍କ ମଧ୍ୟରୁ ୦୧  ଲକ୍ଷ ୧୦ ହଜାର ୬୫୮ କେ ୟାଇ ସି ପୂରଣ କରିଥିବା ସୂଚନା ମିଳିଛି । ସେହିଭଳି ଆସ୍କା ଏନଏସିରେ ମଧ୍ୟ ୧୦ ହଜାର ୭୧ ରୁ ୯ ହଜାର ୩୧ ଜଣଙ୍କୁ କେୱାଇସି ଅପଡେଟ କରିଛନ୍ତି  । ପ୍ରକାଶ ଥାଉକି ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦରେ ୩୨୦୪  ଗୋଟି ରାସନ କାର୍ଡ ପ୍ରଦାନ ହୋଇ ୯୭୨୧ ଜଣ ହିତାଧିକାରୀ ଚାଉଳ ନେଉଛନ୍ତି  । ଦୁର୍ଭାଗ୍ୟର କଥା ଯେ କେୱାସି ଯାଞ୍ଚ ବେଳେ ଧନୀଙ୍କ ପାଖରେ ଗରିବଙ୍କ ରାସନ କାର୍ଡ ଥିବା ଶୁଣିବାକୁ ମିଳିଲା । ସେଥିରୁ ସରକାରୀ ଚାକିରିଆ ୧୧୧ ଜଣ ଓ ଆଇଟି ରିଟର୍ଣ କରୁଥିବା ୪୧୦୮ ଜଣ ଚିହ୍ନଟ ହୋଇଥିବା ପଂଚାୟତ ପରିସରରେ ଶୁଣିବାକୁ ମିଳୁଛି । ରାଜ୍ୟରେ ନୁଆଁ ସରକାର ଆସିଲା ପରେ ରାସନକାର୍ଡର ସତ୍ୟତା ଜାଣିବା ପାଇଁ ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି । ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି ।