ନୃସିଂହ ନାଥଙ୍କ ଜନ୍ମୋତ୍ସବ
ଆସିକା : ଗଞ୍ଜାମ ଜିଲ୍ଲା ଆସିକା ସହର ଏବଂ ଆଖପାଖ ପଂଚାୟତମାନଙ୍କରେ ଆନନ୍ଦ ଉଲ୍ଲାସର ସହ ଭଗବାନ ଅଭୟ ନୃସିଂହ ନାଥଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃ ସମୟରୁ ମନ୍ଦିରମାନଙ୍କରେ ଦ୍ୱାର ଫିଠା, ମଙ୍ଗଳ ଆରତୀ, ଅବକାଶ, ମଇଲମ, ତଡପ ଲାଗି, ବେଶ, ବାଳ ଭୋଗ ପରେ ଶହଶହ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ପରିସରରେ ଗହଳ ଚହଳ ଲାଗି ରହିଥିଲା । ପୂର୍ବାହ୍ନ ସମୟରେ ପୂଜାରୀଙ୍କ ଦ୍ୱାରା ଭଗବାନ ନୃସିଂହଙ୍କ ବିଜେ ପ୍ରତିମା ମୂର୍ତ୍ତିକୁ ସିଂହାସନରୁ ହୋମ ମଣ୍ଡପରେ ବିଜେ କରାଯାଇଥିଲା । ବରୁଣ ପୂଜା, ସଂକଳ୍ପ, ମାତୃପୂଜା, ଜନ୍ମ ବିଧାନ, ଷୋଡଶ ଉପଚାର ପୂଜା, ହୋମ ଯଂଜ୍ଞ, ପୂର୍ଣ୍ଣାହୁତି, ଆରତୀ ପୁଷ୍ପାଞ୍ଜଳି, ପଣାଭୋଗ ବଣ୍ଟନ ଆଦି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ସମୟରେ ଏକ ସୁସଜ୍ଜିତ ପିତଳ ବିମାନରେ ଭଗବାନ ନୃସିଂହ ନାଥଙ୍କୁ ଘଣ୍ଟ ଘଣ୍ଟା, ମୃଦଙ୍ଗର ତାଳେତାଳେ ଆସିକା ସହର ପରିକ୍ରମା କରାଯାଇଥିଲା । ଏଥିସହିତ ବିଭିନ୍ନ ମନ୍ଦିର ସମ୍ମୁଖରେ ସାମାଜିକ ନାଟକ ପରିବେଷଣ କରାଯାଇଥିଲା । ଆସିକା ସହରର ସୁନାମ୍ବ ସାହିରେ ଥିବା ଅଭୟ ନୃସିଂହ ମଠ, କାଳଷଣ୍ଢପୁର, ନଲବଣ୍ଟା, ଜୟପୁର, ନିରାଳ, ଖଡଭାଗ, ଏବଂ ଧରାକୋଟର ଜଗମୋହନ ଗ୍ରାମରେ ଥିବା ନୃସିଂହ ମନ୍ଦିରରେ ପ୍ରଭୁଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୁନ୍ଦର ଆଲୋକ ସଜ୍ଜା କରାଯାଇଥିଲା ।
ବଲାଙ୍ଗିର,୧୨ା୫: ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ନୃସିଂହ ମହାପ୍ରଭୁଙ୍କ ଜନ୍ମୋତ୍ସବ ମହାସମାରୋହ ରେ ହୋଇଯାଇଛି । ଏହି ଅବସରରେ ରାଧେରାଧେ ମହିଳା ଜାଗରଣ ଦଳର ଶ୍ରଦ୍ଧାଳୁମାନେ ଏକ ଲକ୍ଷ ଆଠ ହଜାର ବେଳପତ୍ର ଉକ୍ତ ପରିସରରେ ଥିବା ଓମ୍କାରେଶ୍ୱର ମହାଦେବ ମନ୍ଦିରରେ ସମର୍ପଣ କରିଥିଲେ ।ପୂଜକ ଭାବରେ ପଣ୍ଡିତ ମହାବୀର ବେଦବାକ କାର୍ଯ୍ୟ ତୁଳାଇଥିବା ବେଳେ ଡା. ପ୍ରମୋଦ କୁମାର ମିଶ୍ର କର୍ତ୍ତା ଥିଲେ । ପୂଜାର୍ଚ୍ଚନା ପରେ ସମସ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ହୋଇଥିଲା । ଏହି ଉତ୍ସବରେ ଅନ୍ୟମାନଙ୍କ ସହ ସୁଲୋଚନା ମିଶ୍ର, ବୃନ୍ଦାବତୀ ପୁଟେଲ, ସ୍ୱର୍ଣ୍ଣପ୍ରଭା ନାଏକ, ଭାରତୀ ମିଶ୍ର, ଧାଇଁ ଭୋଇ, ସୁରଭା ସାଏ ତଥା ଗୁରୁବାରୀ ଚନ୍ଦନ ପ୍ରମୁଖ ଶତାଧିକ ମହିଳା ପୂଜାରେ ଅଂଶଗ୍ରହଣ କରିଥିଲେ ।