ଶ୍ରୀଗୁଣ୍ଡିଚାରେ ଅବ୍ୟବସ୍ଥା, ଛିଡ଼ିଲା ରଥ ଦଉଡ଼ି ଚାରମାଳ ମରାମତି ଯୋଗୁଁ ପହଣ୍ଡି ବିଳମ୍ବ
ନବରଙ୍ଗପୁର : ନିର୍ଦ୍ଧାରିତ ସମୟ ଠାରୁ ସାଢେ ଦୁଇ ଘଣ୍ଟା ବିଳମ୍ବରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ସହ ନୀତିକାନ୍ତି ସଂପନ୍ନ ହୋଇଥିଲା । ଏହାପରେ ରଥଟଣା ଆରମ୍ଭ ହୋଇଥିଲା । ହେଲେ ଶ୍ରୀଜଗନ୍ନାଥ ମନ୍ଦିରରୁ ମା'ଭଣ୍ଡାର ଘରଣୀ ମନ୍ଦିର ସମ୍ମୁଖ ଯାଏଁ ରଥ ଗଡିଲା ଭିତରେ ଦୁଇଥର ଛିଡିଲା ରଥ ଦଉଡି । ଏଥିରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ଏସ୍ଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା, ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।
ରଥଯାତ୍ରାରେ ଏଭଳି ଅବ୍ୟବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ରଥ ପ୍ରତିଷ୍ଠା ପରେ ସାଢେ ୯ ଟାରେ ଚାରି ଠାକୁରଙ୍କୁ ପହଣ୍ଡି ବିଜେ କରି ରଥାରୂଢ଼ କରାଯିବାର କାର୍ଯ୍ୟକ୍ରମ ରହିଥିଲା । ଚାରମାଳ ମରାମତି କରାଯାଇଥିଲା । ତେଣୁ ସାଢେ ଦୁଇଘଣ୍ଟା ବିଳମ୍ବରେ ପହଣ୍ଡି ବିଜେ ସରିଥିଲା । ଶ୍ରଦ୍ଧାଳୁ ଭକ୍ତମାନେ ପହଣ୍ଡି ବିଜେ ଦେଖିବା ପାଇଁ ଓ ସେବାୟତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ କରି ରଥାରୂଢ କରାଇବା ସକାଶେ ସକାଳ ଠାରୁ ଅପେକ୍ଷା କରି ରହିଥିଲେ । ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବା ପରେ ରାଜପୁରୋହିତ ନରସିଂହନାଥ ତ୍ରିପାଠୀ ଛେରାପହଁରା କରିଥିଲେ । ଏହାପରେ ରଥଟଣା ଆରମ୍ଭ ହୋଇଥିବା ବେଳେ ଦୁଇଥର ରଥ ଦଉଡି ଛିଡିଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରଥଯାତ୍ରା ଉପଲକ୍ଷେ ଧାରା ବିବରଣୀ ପାଇଁ ବ୍ୟବସ୍ଥା କରାଯାଇଥିଲା । ଦେବୋତ୍ତର ବିଭାଗର ସମସ୍ତ କର୍ମକର୍ତ୍ତା ଏବଂ ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ରଥଯାତ୍ରା ଆୟୋଜନ ସହଯୋଗ କରିଥିଲେ । ରଥ ଟଣା ସମୟରେ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ଏସ୍ପି ମାଡକର ସମ୍ପଦ ସମ୍ପତ, ଉପଜିଲ୍ଲାପାଳ ପ୍ରକାଶ ମିଶ୍ର, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ପୌର ଅଧ୍ୟକ୍ଷ କୁନୁ ନାୟକ, ଚାମ୍ବର ଅଫ କମର୍ସ ସଭାପତି ମାନସ ଦାସ, ରାଜ୍ୟ ସଭା ସଦସ୍ୟ ମୁଜିବୁଲ୍ଲା ଖାଁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।