ରାସ୍ତା ନିର୍ମାଣ କାର୍ଯ୍ୟ ମନ୍ଥର

ଭୁବନେଶ୍ୱର: ନୂଆଗାଁ ବ୍ଲକ୍ ଏନ୍ଏଚ୍-୫୭ ମୁଦୁରାଙ୍ଗଠାରୁ କୋଶଳାଙ୍ଗ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହେଉଥିବା ରାସ୍ତା ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ୬ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଠିକାସଂସ୍ଥାକୁ ୧ ବର୍ଷ ପର୍ଯ୍ୟନ୍ତ ସମୟ ସୀମା ଦିଆଯାଇଥିବା ବେଳେ ବର୍ତ୍ତମାନ ଏହାର ଅବଧି ଦେଢ଼ ବର୍ଷ ହେଲା ଶେଷ ହୋଇଯାଇଥିଲେ ସୁଦ୍ଧା ଠିକାସଂସ୍ଥା ପକ୍ଷରୁ ରାସ୍ତା ନିର୍ମାଣ ଧିମାଗତିରେ ଚାଲିଥିବା ଅଭିଯୋଗ ହୋଇଛି ।  ପ୍ରକାଶ ଯେ, ନୂଆଗାଁ ବ୍ଲକ୍ ଏନ୍ଏଚ୍–୫୭ ମୁଦୁରାଙ୍ଗଠାରୁ କୋଶଳାଙ୍ଗ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫.୯୦୦ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ୩ କୋଟି ୬୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା । ଯାହାକି ୨୦୨୨ ମସିହା ଏପ୍ରିଲ ମାସ ଠାରୁ କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ସରିବା କଥା । କିନ୍ତୁ ଇତି ମଧ୍ୟରେ କାର୍ଯ୍ୟର ଅବଧି ଦେଢ ବର୍ଷ ହେଲା ଶେଷ ହୋଇ ସାରିଥିବା ବେଳେ ରାସ୍ତା ନିର୍ମାଣ କାର୍ଯ୍ୟ ଧିମା ଗତିରେ ଚାଲିଥିବା ଦେଖିବାକୁ ମିଳିଛି । ଠିକାଦାରଙ୍କ ଏଭଳି ମନମୁଖୀ କାର୍ଯ୍ୟରେ ଜନସାଧାରଣ ଅତିଷ୍ଠ ହେଉଥିବା ଜଣାପଡିଛି । ହେଲେ ଏହି ରାସ୍ତା ଅବଧି ଶେଷ ହେବା ପରେ ମଧ୍ୟ କାର୍ଯ୍ୟ ଶେଷ ହେଉନଥିବା ଦ୍ୱାରା କେବଳ ନେତାମାନେ ଫଳକ ଲଗାଇ ବାହାବା ନେଉଥିବା ବେଳେ ନିର୍ମାଣ କାର୍ଯ୍ୟ ପ୍ରତି ଗୁରୁତ୍ୱ ନ ଦେବା କିମ୍ବା ସେମାନଙ୍କ କଥାକୁ ବିଭାଗୀୟ ଅଧିକାରୀ ଏବଂ ଠିକାସଂସ୍ଥା ଗୁରୁତ୍ୱ ଦେଉନଥିବା ଭଳି ମନେ ହେଉଛି । ବର୍ଷାଦିନେ ଏହି ରାସ୍ତାରେ ଯିବା ଆସିବା କରିବା ସମୟରେ ସ୍ଥାନୀୟ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଏହି ରାସ୍ତା ନିର୍ମାଣ ନ  ହେବାରୁ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ଠାରୁ ଆରମ୍ଭ କରି ବେପାର ବଣିଜ ପର୍ଯ୍ୟନ୍ତ ସବୁଥିରେ ବାଧା ଉପୁଜୁଛି ।  ତେଣୁ ରାସ୍ତା ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।