ସରକାରୀ ନିୟମକୁ ଫୁ’ : ମାଳ ମାଳ କ୍ରସର ୟୁନିଟ୍

 ବ୍ରହ୍ମପୁରରୁ ହେମାଙ୍ଗ ପ୍ରସାଦ ରାଉଳ :  ଗଞ୍ଜାମ ଜିଲ୍ଲାରେ ସରକାରଙ୍କ ନୀତିନିୟମକୁ ଉଲ୍ଲଂଘନ କରି ଛତୁ ଫୁଟିଲା ଭଳି ମାଳମାଳ କ୍ରସର ୟୁନିଟ ସ୍ଥାପନ ହୋଇଛି । ପୁରୁଷୋତ୍ତମପୁର, କନିଶି, କୁକୁଡ଼ାଖଣ୍ଡି, ଚିକିଟି, ଆସିକା ରକସ୍ୱ ସର୍କିଲ ଅଞ୍ଚଳରେ ବିନା ନଥିପତ୍ରରେ କ୍ରସର ୟୁନିଟ ଖୁଲାମ ଖୁଲା ଚାଲୁଛି । ବାବୁମାନଙ୍କୁ ହାତ ବାରିସ କରି  ପଥର ମାଫିଆମାନେ ଏହି ସବୁ ଅଞ୍ଚଳରେ ଥିବା ପାହାଡ଼କୁ ଫୁଟାଇ ନିଜ କ୍ରସରରୁ ଜିଲ୍ଲା ସମେତ ଜିଲ୍ଲା ବାହାରକୁ ଚିପସ୍ ଚାଲାଣ କରୁଥିବା ଦେଖିବାକୁ ମିଳୁଛି । ଯାହାଫଳରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ କ୍ଷତି ହେଉଛି । 
ଗଞ୍ଜାମ ଜିଲ୍ଲାରେ ଗତ କିଛି ବର୍ଷ ହେଲା ବେଧଡକ ଭାବେ ଚାଲିଛି ଖଣିଜ ଦ୍ରବ୍ୟ ଲୁଟ୍ । ଦେଶ ସ୍ୱାଧୀନ ହେବା ପର ଠାରୁ ଏତେ ପରିମାଣର ଲଘୁ ଖଣିଜ ଦ୍ରବ୍ୟ କେବେ ଲୁଟ ହୋଇ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି ।  ଏହି ସବୁ ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ କ୍ରସର ମାଫିଆମାନଙ୍କ ପଛରେ କେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଛି । ଆଉ କିଛି ବର୍ଷ ପରେ ଜିଲ୍ଲାରେ ପର୍ବତ ଦେଖିବା ସ୍ୱପ୍ନ ହୋଇ ରହିଯିବ । ମାତ୍ରାଧିକ ଲଘୁ ଖଣିଜ ଦ୍ରବ୍ୟ ଲୁଟ ହେବା ଫଳରେ ପରିବେଶ ଉପରେ ମଧ୍ୟ ପ୍ରଭାବ ପଡୁଛି । ଯାହାଫଳରେ ଜଳବାୟୁ ପରିବର୍ତ୍ତନ ହୋଇ ଅଦିନିଆ ବର୍ଷା ମାତ୍ରାଧିକ ଉତ୍ତାପ ଦିନକୁ ଦିନ ବଢିବାରେ ଲାଗିଛି । କ୍ରସର ୟୁନିଟରୁ ସରକାରଙ୍କ ରାଜସ୍ୱ ଯେତିକି ଆଦାୟ ହେଉଛି; ତାହା ଠାରୁ ବାବୁ,ନେତା ଓ ମାଫିଆମାନଙ୍କ ଶହେ ପ୍ରତିଶତ ଆଦାୟ ହେଉଥିବା ଚର୍ଚ୍ଚାର ବିଷୟ ହୋଇଛି । ଅଧିକାଂଶ କ୍ରସର ୟୁନିଟରେ ଅନୈତିକ କାର୍ଯ୍ୟ କଳାପ ହେବାର ନଗ୍ନ ନମୁନା କିଛି ବର୍ଷ ପୂର୍ବେ ବାଦଗଡ଼ କ୍ରସର ୟୁନିଟରେ ଦେଖିବାକୁ ମିଳିଥିଲା । ଅଧିକାଂଶ ତହସିଲଦାର ମୋଟାଅଙ୍କ ଫେଡ଼ି ଗଞ୍ଜାମ ଜିଲ୍ଲାକୁ ଆସନ୍ତି, ଏଠାରୁ ଯିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଆପାର୍ଟମେଣ୍ଟ କ୍ରୟ କରିବାର ନଜିର ବି ରହିଛି । ମୁଖ୍ୟତଃ କୁକୁଡାଖଣ୍ଡି, କନିସି ଏବଂ ଦିଗପହଣ୍ଡି ତହସିଲ ଅଞ୍ଚଳରେ ବ୍ୟାପକ ଦୁର୍ନୀତି ଦେଖିବାକୁ ମିଳୁଛି । ତହସିଲଦାରମାନେ ମୋଟା ଅଙ୍କର ବଟି ନେଇ ଦୁର୍ନୀତି କରିବାକୁ ସୁଯୋଗ ଦେଉଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି । 
ସରକାରୀ ନିୟମକୁ ଖୋଲାମ ଖୋଲା ଉଲ୍ଲଘଂନ କରି ବେନିୟମ କ୍ରସର କାରଖାନା ଖୋଲି ଅଞ୍ଚଳର ଧନ ଜୀବନ ପ୍ରତି କ୍ଷତି ପହଞ୍ଚାଉଛନ୍ତି । ଡିନାମାଇଟ ବିସ୍ପୋରଣ ଯୋଗୁଁ ଫସଲ ନଷ୍ଟ ହେବା ସାଙ୍ଗକୁ ଘରଦ୍ୱାରାରେ ଫାଟ ସୃଷ୍ଟି ହେଉଛି । ଏ ନେଇ ଅଭିଯୋଗ କଲେ ନାଲିଆଖି, ତହସିଲଦାର କିମ୍ବା ନିକଟରେ ଥିବା ଥାନାରେ ଅଭିଯୋଗ କଲେ ଜୀବନରେ ମାରି ଦେବାକୁ ଧମକ ମିଳୁଛି ବୋଲି ଅଭିଯୋଗ କରୁଛନ୍ତି  ଅଞ୍ଚଳବାସିନ୍ଦା । ଜିଲ୍ଲା ପୁଲିସ ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ଅଞ୍ଚଳର ବୁଦ୍ଧିଜୀବୀମାନେ ଦାବି କରିଛନ୍ତିି । ଜିଲ୍ଲାର କିଛି ତହସିଲଦାର ଏହି ମାଫିଆମାନଙ୍କ ସହିତ ବ୍ୟବସାୟିକ ସମ୍ପର୍କ ମଧ୍ୟ ରଖିଥିବା ଅଭିଯୋଗ ଆସୁଛି । ତେଣୁ ରାଜ୍ୟ ଇଡି, ସିବିଆଇ ଦ୍ୱାରା ଯାଞ୍ଚ କଲେ ରାଜସ୍ୱ କ୍ଷତି ସହିତ କିଛି ଭଦ୍ର ମୁଖା ପିନ୍ଧିଥିବା ଅଫିସରଙ୍କ ଗୁମର ପଦାକୁ ଆସିଯିବ ବୋଲି ସାଧାରଣରେ ଦାବି ହେଉଛି ।