କାଗଜ କଲମରେ ସୀମିତ ସର୍ବବୃହତ ପଣ୍ୟାଗାର

 ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ନିକଟରେ ପ୍ରତିଷ୍ଠା ହେବାକୁ ଥିବା ପୂର୍ବ ଭାରତର ସର୍ବବୃହତ ପଣ୍ୟାଗାର କାଗଜ କଲମରେ ସୀମିତ ହୋଇ ରହିଛି । କେନ୍ଦ୍ର ସରକାରଙ୍କ ସମବାୟ ମନ୍ତ୍ରଣାଳୟର ନିଷ୍ପତ୍ତିକ୍ରମେ ବୈଶିଙ୍ଗା ନିକଟସ୍ଥ ପଣସିଆ ମୌଜାର ପଦାପୁରୁଣିଆ ଠାରେ ୧୦୦୦ ମେଟ୍ରିକ୍ ଟନ୍ ଶସ୍ୟ ମହଜୁଦ କ୍ଷମତା ସମ୍ପନ୍ନ ବହୁମୁଖି ପଣ୍ୟାଗାର ନିର୍ମାଣ ଉଦେ୍ଦଶ୍ୟରେ ରାଜସ୍ୱ ବିଭାଗର ଅଧିକାରୀମାନଙ୍କ ସହ ବେତନଟୀ ତହସିଲଦାର ଏକ ଏକର ଜମି ଚିହ୍ନଟ କରିଥିଲେ । ଖାତା ନଂ ୬ ଓ ପ୍ଲଟ ନଂ ୮ରେ ଗୋଚର କିସମର ମୋଟ ୫ ଏକର ଜମି ମଧ୍ୟରୁ ଏହି ୧ ଏକର ଜମି ପ୍ରାଥମିକ ପର୍ଯ୍ୟାୟରେ ଅଧିଗ୍ରହଣ କରାଯାଇଥିବା ଜଣାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ପ୍ରକଳ୍ପ ସମ୍ପ୍ରସାରଣ ଲାଗି ଆବଶ୍ୟକତା ଅନୁସାରେ ଅଧିକ ଜମି ଅଧିଗ୍ରହଣର ସମ୍ଭାବନା ଥିବା ରାଜସ୍ୱ ବିଭାଗର ଅଧିକାରୀମାନଙ୍କ ସୂତ୍ରରୁ ସୂଚନା ପାଇଥିଲା । ସମବାୟ ବିଭାଗର ବରିଷ୍ଠ ଅଧିକାରୀ ତୁଷାର କାନ୍ତି ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍କୁ ଜମିର ଦଖଲ ହସ୍ତାନ୍ତର କରାଯାଇଥିଲା । ଏହି ଅବସରରେ ବୈଶିଙ୍ଗା ବୃହଦ୍ଦାକାର ବହୁମୁଖି ସମବାୟ ସମିତିର ସଭାପତି ଶତୃଘ୍ନ ସିଂ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ଆଉ ୧୫ ଦିନ ପରେ ଏହି ପ୍ରକଳ୍ପର ପ୍ରତିଶ୍ରୁତି ଏକ ବର୍ଷ ପୁରିବାକୁ ଯାଉଛି । ପୂର୍ବରୁ ବିଜେଡି ସରାକର ଏଥିପାଇଁ କେତେ ଟଙ୍କା ମଞ୍ଜୁରୀ ଦେଇଥିଲେ ବର୍ତ୍ତମାନର ନୂଆ ବିଜେପି ସରକାର ଏହି ପ୍ରକଳ୍ପ ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ନା ଏହା ଫାଇଲ୍ ତଳେ ପଡି ରହିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।