ରାସ୍ତା ନିର୍ମାଣରେ ଅନିୟମିତତା : ନିର୍ଦ୍ଧିଷ୍ଟ ଠିକାଦାରଙ୍କ ପ୍ରତି ଆଇଟିଡିଏର ଅନୁକମ୍ପା
ଗୋଲାମୁଣ୍ଡା : ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାର ଆଦିବାସୀଙ୍କ ବିକାଶ ଓ ହିତ ପାଇଁ ବିପୁଳ ଅର୍ଥ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)କୁ ସରକାର ଯୋଗାଇ ଦେଉଛନ୍ତି । ଏହି ସଂସ୍ଥା ମାଧ୍ୟମରେ ଗ୍ରାମାଞ୍ଚଳର ଆଦିବାସୀମାନଙ୍କ ଗମନାଗମନ ନିମନ୍ତେ କଳାହାଣ୍ଡି ଜିଲ୍ଲା ଆଇଟିଡିଏ ଥୁଆମୁଳରାମପୁର ଭବାନୀପାଟଣା ପକ୍ଷରୁ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡାମେର ପଞ୍ଚାୟତରେ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଛି । ଗଣ୍ଡାମେର ପଞ୍ଚାୟତର ସର୍ଗିଗୁଡା ଆରଡ଼ି ରାସ୍ତା ଠାରୁ ବାମନିମରା ରାସ୍ତାର କଂକ୍ରିଟ ସହ ଗାର୍ଡୱାଲ ନିର୍ମାଣ ପାଇଁ ରାଜ୍ୟସଭା ସାଂସଦ ପାଣ୍ଠିରେ ୧୦ଲକ୍ଷ ଟଙ୍କା ଅଟକଳ ପରିମାଣରେ ରାସ୍ତା କାର୍ଯ୍ୟ ହୋଇଥିବା ନେଇ ସୂଚନା ଫଳକରେ ଦର୍ଶାଯାଇଛି । ହେଲେ ସୂଚନା ଫଳକ ଅନୁସାରେ ରାସ୍ତା ସହ ଗାର୍ଡୱାଲ ନିର୍ମାଣ ହେବା ପରିବର୍ତ୍ତେ କେବଳ ରାସ୍ତା ନିର୍ମାଣ କରି ଏତିକିରେ କାମ ସାରି ଦେଇଛନ୍ତି । ସେହିପରି ଉକ୍ତ ପଞ୍ଚାୟତରେ ଆର୍ଥôକ ବର୍ଷ ୨୦୨୫-୨୬ ଅନୁସାରେ ସର୍ଗିଗୁଡା ଆରଡ଼ି ରାସ୍ତା ଠାରୁ କରାଡ଼ଙ୍ଗରି ରାସ୍ତାର କଂକ୍ରିଟ ସହ ଗାର୍ଡୱାଲ ନିର୍ମାଣ କାର୍ଯ୍ୟ ପାଇଁ ୧୦ଲକ୍ଷ ଟଙ୍କା, ସର୍ଗିଗୁଡା ଆରଡ଼ି ଛକ ଠାରୁ ବନ୍ଧପଡା ରାସ୍ତାର କଂକ୍ରିଟ କରଣ ନିମନ୍ତେ ୧୦ଲକ୍ଷ ଟଙ୍କା, ସର୍ଗିଗୁଡା ବନ୍ଧପଡା ରାସ୍ତା ଠାରୁ ସ୍କୁଲ ରାସ୍ତାର କଂକ୍ରିଟକରଣ ନିମନ୍ତେ ୧୦ଲକ୍ଷ ଟଙ୍କା, ସର୍ଗିଗୁଡା ବନ୍ଧପଡା ରାସ୍ତା ଠାରୁ ଟେଙ୍କ ରାସ୍ତାର ଉନ୍ନତିକରଣ ନିମନ୍ତେ ୧୦ଲକ୍ଷ ଟଙ୍କା ଏଭଳି ଗୋଟିଏ ଗାଁରେ ଆଠ ଗୋଟି ପ୍ରକଳ୍ପ ବାବଦକୁ ୮୦ଲକ୍ଷ ଟଙ୍କା ବିନିମୟରେ କେବଳ ରାସ୍ତା କାର୍ଯ୍ୟ ନିର୍ମାଣ ହୋଇଛି । ସୂଚନାଫଳକ ଅନୁଯାୟୀ ଗାର୍ଡୱାଲ ନିର୍ମାଣ କରିବାର ନିୟମ ରହିଥିବାବେଳେ ଜୈନିକ ଠିକାଦାର ଜଣକ ରାସ୍ତା ତିଆରି କରି କାମ ସାରି ଦେଇଥିବା ଜଣାପଡିଛି । ଅନ୍ୟପଟେ ଗୋଲାମୁଣ୍ଡା ବ୍ଲକରେ ଅନେକାଂଶ ଆଦିବାସୀ ଅଧ୍ୟୁଷିତ ଗ୍ରାମପଞ୍ଚାୟତ ରହିଛି । କିନ୍ତୁ ଗୋଟିଏ ପଞ୍ଚାୟତର ନିର୍ଦ୍ଦିଷ୍ଟ ଗ୍ରାମରେ ଜଣେ ନିର୍ଦ୍ଦିଷ୍ଟ ଠିକାଦାର ପ୍ରତି ଅନୁକମ୍ପା ସମସ୍ତଙ୍କୁ ଚକିତ କରିଛି । ଏହାକୁ ନେଇ ଠିକାଦାରଙ୍କ ପାଇଁ ଉକ୍ତ ବିଭାଗ ସୁନା ଅଣ୍ଡା ଦିଆ କୁକୁଡ଼ା ଭଳି ମନେ ହେଉଛି । ପୂର୍ବରୁ ମଧ୍ୟ ଆଇଟିଡିଏ ଥୁଆମୂଳ ରାମପୁର ଭବାନୀପାଟଣା ପକ୍ଷରୁ ଗୋଲାମୁଣ୍ଡା ବ୍ଲକର ଅନେକ ଗୁଡିଏ କାର୍ଯ୍ୟ ନିମ୍ନମାନର ହୋଇଥିବା ନଜର ରହିଛି । ବର୍ତ୍ତମାନ ମଧ୍ୟ ଜୈନିକ ଠିକାଦାରଙ୍କୁ ସୁହାଇଲା ଭଳି କାର୍ଯ୍ୟକୁ ନେଇ ଏବେ ଉକ୍ତ ବିଭାଗ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ଇଂ.ପ୍ରକାଶ ଭୋଇଙ୍କୁ ପଚାରିବାରୁ ରାଜ୍ୟସଭା ସାଂସଦ ପାଣ୍ଠିରୁ ଜୈନିକ ଠିକାଦାର ଜଣକ ଆର୍ଥôକ ଅନୁଦାନ ଆଣୁଛନ୍ତି । ତେଣୁ ଗୋଟିଏ ଗାଁରେ କାର୍ଯ୍ୟ ହୋଇଛି । ଗାର୍ଡୱାଲ ନିର୍ମାଣ ପାଇଁ ଜାଗା ନଥିବାରୁ ଗୁଣବତ୍ତା ରଖି ରାସ୍ତା କାର୍ଯ୍ୟ କରାଯାଇଛି ବୋଲି କହିଥିଲେ ।