ବାପା-ମାଆଙ୍କୁ ଅଣଦେଖା କଲେ ମିଳିବନି ସମ୍ପତ୍ତି : ସୁପ୍ରିମକୋର୍ଟ
ବାପା-ମାଆଙ୍କୁ ନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି, ବାପା-ମାଆଙ୍କ ବୟସ ହେବା ପରେ ଯେଉଁ ପିଲାମାନେ ତାଙ୍କ ସମ୍ପତ୍ତି ନେଇ ଆଉ ଦାୟିତ୍ବ ନେବାକୁ ରାଜି ହେଉନାହାନ୍ତି ସେମାନଙ୍କର ଆଉ ରକ୍ଷା ନାହିଁ । ସମ୍ପତ୍ତି ତ ମିଳିବନି ବରଂ ସେମାନେ କୋର୍ଟର ଚକ୍କର କାଟିବେ । ସର୍ବୋଚ୍ଚ ନ୍ୟାୟାଳୟଙ୍କର ଏମିତି ରାୟ ପରେ ଚର୍ଚ୍ଚା ବଢିଛି । କାରଣ ଅନେକ ସମୟରେ ଖବର ଆସେ ସବୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନେଇଯିବା ପରେ ପିଲାମାନେ ବାପା-ମାଆଙ୍କ କଥା ବୁଝନ୍ତି ନାହିଁ । କେବଳ ବୁଝନ୍ତି ନାହିଁ ତାହା ନୁହେଁ ବରଂ ସେମାନଙ୍କ ସହ କଥାବାର୍ତ୍ତା ବି ହୁଅନ୍ତି ନାହିଁ । ହେଲେ ଏବେ ସେମିତି କଲେ ଚଳିବ ନାହିଁ ।
ବୟସ ହେବା ପରେ ବାପା-ମାଆଙ୍କ ଯତ୍ନ ନେବାକୁ ଅନେକ ସମୟରେ ପିଲାଏ ପସନ୍ଦ କରନ୍ତି ନାହିଁ । ଆଜିକାଲିର ବ୍ୟସ୍ତବହୁଳତା ଜୀବନରେ ବୃଦ୍ଧ ବାପା-ମାଆଙ୍କ କଥା ବୁଝିବାକୁ ସେମାନଙ୍କ ପାଖରେ ସମୟ ନଥିବା ଅନେକ ସମୟରେ କୁହନ୍ତି ବି । ଯାହାଦ୍ବାରା ବୟସାଧିକ କାରଣରୁ ଯନ୍ତ୍ରଣାରେ ସିନା ସେମାନେ ଛଟପଟ ହୁଅନ୍ତି ହେଲେ ନିଜ କଷ୍ଟ କହିପାରନ୍ତି ନାହିଁ । ସେପଟେ ସମ୍ପତ୍ତି ନେଇ ଅୟସ କରନ୍ତି ପୁଅ-ଝିଅ । ଦେଶରେ ବର୍ତ୍ତମାନ ଏମିତି ଅନେକ ମାମଲା ସାମ୍ନାକୁ ଆସିବା ପରେ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ସେଇଥି ଲାଗି ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ବୟସ୍କ ବାପା-ମାଆଙ୍କ ଭରଣ ପୋଷଣ ଓ କଲ୍ୟାଣ ଅଧିନିୟମ ଧାରାରେ ମାମଲା ଦାୟର ହେଲେ ପିଲା ନେଇଥିବା ସବୁ ସମ୍ପତ୍ତି ଫେରାଇ ଅଣାଯାଇପାରିବ । ଏହାସହ କୋର୍ଟ କହିଛନ୍ତି, ଆଇନ ଆସିବା ପରେ ଆମେ ଆଶା ରଖୁଛୁ ପ୍ରତିପିଲା ସେମାନଙ୍କ ବାପା-ମାଆଙ୍କର ଭଲରେ ସେବା କରିବେ ।
ବାପା-ମାଆ ନିଜ କଷ୍ଟ ଅର୍ଜିତ ସମ୍ପତ୍ତି ଉପରେ ପିଲାଙ୍କର ଅନେକ ସମୟରେ ଆଖି ରହିଥାଏ । ତେଣୁ ଭଲରେ କଥା ହୋଇକି ସମ୍ପତ୍ତି ନେଇଯାଆନ୍ତି ହେଲେ ପରବର୍ତ୍ତୀ ସମୟରେ ବାପା-ମାଆଙ୍କୁ ଅଣଦେଖା କରନ୍ତି । ସ୍ଥିତି ତ ଏମିତି ବେଳେ ବେଳେ ହୁଏ କି ସେମାନେ ଫୋନ୍ କଲେ ବି ଫୋନ୍ ଉଠାନ୍ତି ନାହିଁ । ନିଜ ଜନ୍ମ କଲା ପୁଅ-ଝିଅଙ୍କ ନାଁରେ କାହା ପାଖରେ ଅଭିଯୋଗ କରିବା ପାଇଁ ସେମାନେ ଉଚିତ୍ ଭାବନ୍ତି ନାହିଁ । ତେଣୁ ସମ୍ପତ୍ତି ନେଇ ହସ ଖୁସିରେ ପିଲାଏ ଜୀବନ କଟାନ୍ତି ସତ କଷ୍ଟ ଜର୍ଜରିତ ହୋଇ କାଳ କାଟନ୍ତି ବାପା-ମାଆ । କିନ୍ତୁ ଏବେ ଅଣଦେଖା କରିବା ତ ଦୂରର କଥା ବରଂ ସଠିକ୍ ଢଙ୍ଗରେ ଯଦି ସେମାନଙ୍କ କଥା ପିଲାମାନେ ନବୁଝିବେ ତାହାଲେ ବି ସମ୍ପତ୍ତି ରିଟର୍ଣ୍ଣ କରିବାକୁ ସେମାନେ ବାଧ୍ୟ ହେବେ ।
ସମ୍ପତ୍ତି ପାଇବା ପରେ ପରେ ସଙ୍ଗେ ସଙ୍ଗେ ନିଜ ନାଁକୁ ସମ୍ପତ୍ତି ଟ୍ରାନ୍ସଫର କରିଦିଅନ୍ତି । ପରବର୍ତ୍ତୀ ସମୟରେ ଏହା ପ୍ରମାଣ କରିବାକୁ ଚେଷ୍ଟା କରନ୍ତି କି, ଏ ସମ୍ପତ୍ତି ଆମ ନାଁରେ ଅଛି ମାନେ ଆମର । ବାପା-ମାଆଙ୍କ କଥା ଶୁଣିବାକୁ ଆମ ପାଖରେ ସମୟ ଆଉ କାହିଁ । ହେଲେ ଏବେ ଆଉ ଚଳିବନି ବାବୁଗିରି । ଅର୍ଥାତ୍ ମାମଲା ରୁଜୁ ହେବା ମାତ୍ରେ ସମ୍ପତ୍ତି ପିଲାଙ୍କ ନାଁରୁ ବାପା-ମାଆଙ୍କ ପାଖକୁ ଫେରି ଆସିବ । ଯଦି ସେମାନେ ପୁଣି ଥରେ ନିଜ ଦୋଷକୁ ସ୍ବୀକାର କରିବା ସହିତ ସେବା କରିବେ ତାହାଲେ ପୁର୍ନବିଚାର ହୋଇପାରେ ବୋଲି କୁହାଯାଉଛି । ହେଲେ ଏନେଇ କୋର୍ଟ କିନ୍ତୁ ତାଙ୍କ ରାୟରେ କିଛି ସ୍ପଷ୍ଟ କରିନାହାନ୍ତି । କିନ୍ତୁ ଆଇନ ଆସିବା ପରେ ପିଲାମାନେ ଯେଉଁ ପରି ଭାବରେ ବାପା-ମାଆଙ୍କ ଉପରେ ଅତ୍ୟାଚାର କରୁଛନ୍ତି ତାହା କମିବ ବୋଲି କୁହାଯାଉଛି ।