ରାସ୍ତା ବିପର୍ଯ୍ୟସ୍ତ ଯାତାୟାତ ବାଧାପ୍ରାପ୍ତ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଳକର ବାଲିପୋଖରୀ ପଞ୍ଚାୟତ କାର୍ଯ୍ୟାଳୟରୁ ଦଳିତସାହିକୁ ସଂଯୋଗକାରୀ ରାସ୍ତା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଛି । ସାହିବାସିନ୍ଦାମାନେ ଦିନ ମଜୁରିଆ ଶ୍ରେଣୀର ଅଟନ୍ତି । ସାହିକୁ ଗମନାଗନ ପାଇଁ ଏହା ଏକମାତ୍ର ରାସ୍ତା ଅଟେ । ଏହି ରାସ୍ତାରେ ୧୦ ବର୍ଷ ପୂର୍ବେ ପଞ୍ଚାୟତ ତରଫରୁ ନାମମାତ୍ର ମୋରମ ବିଛାଣ ହୋଇଥିଲା । ଏହାପରେ ରାସ୍ତା ମରାମତି କିମ୍ବା ପୁନଃ ନିର୍ମାଣ ହୋଇନାହିଁ । ରାସ୍ତାର ଦୁରାବସ୍ଥା ପାଇଁ ସାହିକୁ ଆମ୍ବୁଲାନ୍ସ ଓ ଅଗ୍ନିଶମଯାନ ଯାତାୟତ କରିପାରୁ ନାହିଁ । ବୟସ୍କ ବ୍ୟକ୍ତି, ରୋଗାକ୍ରାନ୍ତ ବ୍ୟକ୍ତି, ବିଦ୍ୟାଳୟକୁ ଯାତାୟତ ପାଇଁ ପିଲାମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସାହିରେ ପ୍ରତିଷ୍ଠିତ ବିଦ୍ୟାଳୟକୁ ପିଲାଭାବ ଦର୍ଶାଇ ବନ୍ଦ କରି ଦିଆଯାଇଛି । ତେଣୁ ସାହିର ପିଲାମାନେ ଦୂର ବିଦ୍ୟାଳୟକୁ ପାଠ ପଢିବାକୁ ଯାତାୟତ କରୁଛନ୍ତି । ଏପରିକି ପଞ୍ଚାୟତ କାର୍ଯ୍ୟାଳୟକୁ ଯାତାୟତ କରିବା କଷ୍ଟସାଧ୍ୟ ହୋଇଛି । ସାହିବାସୀମାନେ ରାସ୍ତାକୁ କଂକ୍ରିଟକରଣ କରିବାକୁ ଦାବି କରିଛନ୍ତି । ଏହି ରାସ୍ତା ନିର୍ମାଣ ପାଇଁ ଅର୍ଥ ଯୋଗାଇବାକୁ ବ୍ଲକ ପ୍ରଶାସନକୁ ବାରମ୍ବାର ପଞ୍ଚାୟତ ପକ୍ଷରୁ ଅନୁରୋଧ କରାଯାଇଥିଲେ ବି ଅର୍ଥ ମିଳିପାରୁ ନଥିବାରୁ ରାସ୍ତା ନିର୍ମାଣ ହୋଇପାରୁ ନାହିଁ ବୋଲି ସରପଞ୍ଚ ଅକ୍ଷୟ କୁମାର ତ୍ରିପାଠୀ ମତପ୍ରକାଶ କରିଛନ୍ତି ।