ରାସ୍ତା ବିପର୍ଯ୍ୟସ୍ତ, ଲୋକେ ହନ୍ତସନ୍ତ: ଗୁହାରୀ ସତ୍ତ୍ୱେ ଦୃଷ୍ଟି ଦେଉନି ପ୍ରଶାସନ


ବିଶୋଇରୁ ରଞ୍ଜନ ପାତ୍ର : ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ହେଁ ନିଜ ଗାଁକୁ ଭଲ ରାସ୍ତା ଟିଏ ପାଇପାରିନାହାନ୍ତି ଲୋକେ । ଖରା ଓ ଶୀତ ଦିନରେ ଖାଲ ଢିପରେ ପଡ଼ି ଲୋକେ ଚଳପ୍ରଚଳ ହେଉଥିବା ବେଳେ ବର୍ଷା ଦିନେ ଭୋଗନ୍ତି ଯମଯନ୍ତ୍ରଣା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ମଢେଇକଚା ଗ୍ରାମପଞ୍ଚାୟତ ଅଧିନ ଖେଜୁରି ଗାଁରେ । ଖେଜୁରୀ ଗାଁର ୭ ଗୋଟି ସାହିରେ ଶତାଧିକ ପରିବାର ବସବାସ କରନ୍ତି । ଗାଁରୁ ମେରୁଡ଼ିହିକୁ ସଂଯୋଗ କରୁଥିବା ରାସ୍ତା ତଥା ମାଢେଇକଚା ପଞ୍ଚାୟତ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ସୃଷ୍ଟି ହୋଇଥିବା ଗାତ, ଖାଲରେ ପାଣି ଭର୍ତ୍ତି ହୋଇଯିବାରୁ ଚାଲି ଚାଲି ଯିବା ବା ଗାଡ଼ି ମଟର କିମ୍ବା ସାଇକେଲରେ ଯିବା କାଠିକର ପାଠ ହୋଇଥାଏ । ବର୍ଷା ପାଣି କାଦୁଅ ଯୋଗୁଁ ଚଳପ୍ରଚଳ କରିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ସରକାର ଗାଁ ମାନଙ୍କରେ କଂକ୍ରିଟ ରାସ୍ତା ନିର୍ମାଣ କରୁଥିବା ବେଳେ ଏ ଗାଁ ରାସ୍ତା ପ୍ରତି ଦୃଷ୍ଟି ନଦେବା ନିଶ୍ଚିତ ପରିତାପର ବିଷୟ । ଛାତ୍ରଛାତ୍ରୀଙ୍କ ସ୍କୁଲ୍ ଯିବା, ବୃଦ୍ଧବୃଦ୍ଧା ଭତ୍ତା ଆଣିବାକୁ ଯିବା ପାଇଁ ଏହି ବିପର୍ଯ୍ୟସ୍ତ ରାସ୍ତା ବ୍ୟବହାର କରିଥାନ୍ତି । ରାସ୍ତାର ଦୂରବସ୍ଥା ପାଇଁ ଗାଁକୁ ଗାଡ଼ି ମୋଟର ଆସିବାକୁ ଅମଙ୍ଗ ହୁଅନ୍ତି । ରାସ୍ତା ପାଇଁ ବାରମ୍ୱାର ବ୍ଲକ ପ୍ରଶାସନ ଠାରୁ ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ, ହେଲେ ଫଳ ଶୂନ ବୋଲି ଅଭିଯୋଗ କରନ୍ତି ବିଶ୍ୱନାଥ ହେମ୍ବ୍ରମ୍, ସୂର୍ଯ୍ୟ ହେମ୍ବ୍ରମ୍, ବୁଧୂରାଇ ହେମ୍ବ୍ରମ, ରଘୁନାଥ ହେମ୍ବ୍ରମ । ବର୍ତ୍ତମାନର ସରକାର ଲୋକଙ୍କ ସରକାର ବୋଲି କୁହାଯାଉଛି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି  ।