ବିକାଶ ଠୁ ବହୁ ଦୂରରେ ଆଦିବାସୀ ଆମଠାପଦର ଗାଁ : ଶିକ୍ଷା, ପାନୀୟଜଳ ଓ ବିଜୁଳି ମୁଖ୍ୟ ସମସ୍ୟା

ଭବାନୀପାଟଣାରୁ ଶୁଭେନ ପଟ୍ଟନାୟକ :  କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତର ଏକ ଆଦିବାସୀ ଗାଁ ଆମଠାପଦର । ୩୦ଟି ପରିବାର ରହୁଥିବା ୨ ଶହରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ରହିଛି ବିଭିନ୍ନ ମୌଳିକ ସମସ୍ୟା । ପଞ୍ଚାୟତ ମୁଖ୍ୟାଳୟ ଠାରୁ ମାତ୍ର ୪ କିମି ଦୂରରେ ଥିବାବେଳେ ଶିକ୍ଷା,ପାନୀୟଜଳ, ବିଜୁଳି ଭଳି ମୌଳିକ ସମସ୍ୟା ଦୀର୍ଘ ଦିନରୁ ଲାଗି ରହିଛି । ଆଜିକୁ ୧୦୦ ବର୍ଷରୁ ଅଧିକ ସମୟ ଧରି ଏହି ଗାଁରେ ଲୋକେ ବସବାସ କରି ଆସୁଥିଲେ ମଧ୍ୟ ଗାଁର ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ  । ଗ୍ରାମରେ ୨ ଗୋଟି ନଳକୂପ ଅଛି । ଗୋଟିଏରେ ମାତ୍ର ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ କମ ପରିମାଣରେ ପାଣି ବାହାରିବା ପରେ ଗୋଳିଆ ପାଣି ବାହାରୁଛି । ଅନ୍ୟଟିରେ ସୋଲାର ପମ୍ପ ସଂଯୋଗ କରିବା ଦ୍ୱାରା ତାହା ମଧ୍ୟ ୩ ବର୍ଷ ହେଲା ଅଚଳ ହୋଇ ପଡିରହିଛି । ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ  ପରେ ୨୦୧୯-୨୦ ମସିହାରେ ଗାଁରେ ୩ ଗୋଟି ଡିପ ବୋରୱେଲ ଖୋଳା ଗଲା । କିନ୍ତୁ ଦୁଃଖର ବିଷୟ ଗୋଟିଏ ୫ ବର୍ଷ ଓ ଅନ୍ୟ ୨ଟି ଏକ ବର୍ଷ ହେଲା ସେଠାରେ ମୋଟର ସଂଯୋଗ କରାଯାଇ ନାହିଁ । ଗାଁର ୨ କିମି ଦୂରରେ ଥିବା ନାଳରୁ ପାଇପ୍ ଯୋଗେ ପାଣି ଯୋଗାଣ ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ୨୦୧୯ ମସିହାରେ ସିଣ୍ଟେସ୍କ ଟାଙ୍କି ଓ ପାଇପ ଗାଁ ମୁଣ୍ଡରେ ରଖାଯାଇଥିଲା । ଘରକୁ ଘର ଜଳ ଯୋଗାଣ ପାଇଁ ପାଣି ପଏଣ୍ଟ ମଧ୍ୟ ସ୍ଥାପନ କରାଗଲା । କିନ୍ତୁ ତାହା କୌଣସି କାମରେ ଆସିଲା ନାହିଁ । ଲକ୍ଷ ଲକ୍ଷ ଟଙ୍କାର ପାଇପ୍ ଓ ସିଣ୍ଟେକ ଟାଙ୍କି ଆଜି ପର୍ଯ୍ୟନ୍ତ ପଡିରହିଛି । ସେହିପରି ୨୦୨୧ ମସିହାରେ ଗାଁରେ ନୂତନ ଭାବେ ଏକ ଡିପ ବୋରୱେଲ ଖୋଳା ଯାଇ ସୋଲାର ଯୋଗେ ପାଣି ଯୋଗାଇ ଦିଆଯାଉଥିଲା । କିନ୍ତୁ ବୋରୱେଲଟି ମାତ୍ର ୩୦ ଫୁଟ ଖୋଳା ଯାଇଥିବା ଯୋଗୁଁ ମାତ୍ର ୬ ଘରକୁ କଷ୍ଟେ ମଷ୍ଟେ ପାଣି ମିଳି ପାରୁଥିଲା । ବର୍ତ୍ତମାନ ୨ ବର୍ଷ ହେଲା ତାହାବି ଅଚଳ ହୋଇ ପଡିରହିଛି । ଗାଁରେ ଯେତିକି ବି ବୋରୱେଲ ଖୋଳା ଯାଉଛି । ଗାଁ ଲୋକଙ୍କ ଅନୁପସ୍ଥିତରେ ରାତିରେ ଖୋଳା ଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାର ଦାୟିତ୍ୱ ତକôାଳୀନ ଯନ୍ତ୍ରୀ ପିତାମ୍ବର ହେମ୍ବ୍ରମ ଓ ବର୍ତ୍ତମାନ ଦାୟିତ୍ୱରେ ଥିବା ଦସମନ୍ତ ମାଝୀ ନେଇଥିବା ବେଳେ ଗ୍ରାମବାସୀ ଅଭିଯୋଗ କଲେ ଶୁଣୁନାହାନ୍ତି ବୋଲି ପ୍ରକାଶ କରିଛନ୍ତି । ତେଣୁ ଗ୍ରାମ ନିକଟସ୍ଥ ନିୟମଗିରି ପାହାଡରୁ ଆସିଥିବା ଝରଣା ପାଣିକୁ ପାନୀୟଜଳ ରୂପେ ବ୍ୟବହାର କରୁଛନ୍ତି । ବର୍ଷା ଦିନେ ପାଣି ଗୋଳିଆ ହେଉଥିବା ବେଳେ ଖରା ଦିନେ ଝରଣା ପାଣି ଶୁଖି ଯାଉଛି । ଝରଣାରେ ବନ୍ୟ ଜନ୍ତୁ, ଗୃହ ପାଳିତ ପ୍ରାଣୀ ଚଳପ୍ରଚଳ କରୁଥିବା ବେଳେ ସେହି ଦୂଷିତ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିବାରୁ ଏମାନଙ୍କ ଶରୀରରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଗାଁରେ ପ୍ରାଥମିକ ବିଦ୍ୟାଳୟ ଟିଏ ନାହିଁ, ୨୦୧୫ ମସିହାରେ ପ୍ରାଥମିକ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ ମଧ୍ୟ ହୋଇଥିଲା । କିନ୍ତୁ ଆଜିଯାଏ ବିଦ୍ୟାଳୟ ଟିଏ ହୋଇପାରିଲା ନାହିଁ । ଗାଁର କୋମଳମତି ଶିଶୁମାନେ ପ୍ରାଥମିକ ବିଦ୍ୟାଳୟ ପାଇଁ ୫ କିମି ଦୂର ଜଙ୍ଗଲ ରାସ୍ତା ଦେଇ ନିକଟସ୍ଥ ଗଉଡ଼ ଥୁଆଗୁଡା ଗାଁକୁ ଯାଇଥାନ୍ତି । ଫଳରେ ବନ୍ୟ ଜନ୍ତୁର ଭୟ ଥିଲେ ମଧ୍ୟ ବାଧ୍ୟ ହୋଇ ଯାତାୟାତ କରିଥାନ୍ତି । ସେହିପରି ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଛୋଟ ଛୋଟ ଶିଶୁ ମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଫଳରେ ୧ ରୁ ୧୦ ବର୍ଷର ଶିଶୁ ଗାଁରେ ହିଁ ରହିଥାନ୍ତି । ବିଜୁଳିକୁ ନେଇ ଲାଞ୍ଜିଗଡ ପଞ୍ଚାୟତ ସମିତି ବୈଠକ,ଜିଲ୍ଲା ପାଳଙ୍କ ଅଭିଯୋଗ ଶୁଣାଣି ଓ ବିଦୁ୍ୟତ ବିଭାଗ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ପରେବି ଗାଁକୁ ବିଜୁଳି ମିଳୁନାହିଁ । ତେଣୁ ଏହି ଗାଁର ଶିକ୍ଷା, ପାନୀୟଜଳ ଓ ବିଜୁଳିରୁ ବର୍ଷ ବର୍ଷ ଧରି ଗ୍ରାମବାସୀ ବଞ୍ଚିତ ରହିଥିବା ପ୍ରକାଶ କରିଛନ୍ତି । ତେଣୁ ଏହି ଗାଁ ସମସ୍ୟା ପ୍ରତି ପ୍ରଶାସନ ଓ ଜନ ପ୍ରତିନିଧି ମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି  ।