ରାସ୍ତା ମରାମତି କଲେ ପଡାବାସୀ
ନିଶ୍ଚିନ୍ତକୋଇଲି : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧିନସ୍ଥ ସରପଡା ପଞ୍ଚାୟତ ୧୦ନଂ ୱାର୍ଡର ୬ଗୋଟି ପରିବାରର ସଦସ୍ୟ ସଦସ୍ୟାମାନେ ନିଜ ଘରୁ ଗ୍ରାମର ମୁଖ୍ୟ ରାସ୍ତାକୁ ଆସିବା ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତାରୁ ରମେଶ ଚନ୍ଦ୍ର ସାହୁଙ୍କ ଘର ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ପୂର୍ବରୁ ରମେଶ ଚନ୍ଦ୍ର ସାହୁଙ୍କ ଘର ଠାରୁ ସରକାରୀ ଅନୁଦାନରେ କିଛିବାଟ ଢଳେଇ ରାସ୍ତା ନିର୍ମାଣ କରାଯାଇଥିଲା । ଏବେ ୨୦୨୪-୨୫ ଆର୍ଥିକ ବର୍ଷରେ ଉକ୍ତ ରାସ୍ତାର ଉନ୍ନତିକରଣ ନିମନ୍ତେ ୧ଲକ୍ଷ ୨୫ ହଜାର ଟଙ୍କାର ପ୍ରକଳ୍ପ ପଞ୍ଚମ ଅର୍ଥ ଆୟୋଗ ଗ୍ରାଣ୍ଟ ଇନ୍ ଏଡ୍ରେ କାର୍ଯ୍ୟନିର୍ବାହୀ ବିଭାଗୀୟ ନାମେ ଥାଇ ରାସ୍ତାର ଢଳେଇ କାର୍ଯ୍ୟ କରାଯାଇଛି । କାର୍ଯ୍ୟ ଆରମ୍ଭ ପୂର୍ବରୁ ସ୍ଥାନୀୟ ବାସିନ୍ଦା ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିଥିଲେ କି ପୂର୍ବରୁ ଯେଉଁ ପଟରୁ ଉକ୍ତ ରାସ୍ତାକୁ ଢଳେଇ କରାଯାଇଛି, ଉକ୍ତ ଢଳେଇକୁ ଲାଗି କରି ନୂତନ ଢଳେଇ ରାସ୍ତା କରିବା ପାଇଁ ହେଲେ ବିଭାଗୀୟ ଅଧିକାରୀ ସ୍ଥାନୀୟ ବାସିନ୍ଦାଙ୍କ କଥାକୁ ଆଡେଇ ଦେଇ ରାସ୍ତାର ଅନ୍ୟ ମୁଣ୍ଡ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତାରୁ ରମେଶ ଚନ୍ଦ୍ର ସାହୁଙ୍କ ଘର(ଗୁଡିଆସାହି)କୁ ରାସ୍ତା ନିର୍ମାଣ କରିଛନ୍ତି । ରାସ୍ତାର ମଝି ଅଂଶ ଯେଉଁଠାରେ ରାସ୍ତା ଖାଲୁଆ ଥିଲା ତାକୁ ବାଦ୍ ଦେଇ ପୂର୍ବରୁ ହୋଇଥିବା ଢଳେଇ ରାସ୍ତାକୁ ଲଗାଇ ନୂତନ ଢଳେଇ ରାସ୍ତା ନ କରି ଏଭଳି ଢଳେଇ ରାସ୍ତା ନିର୍ମାଣ କରାଯାଇଥିବାରୁ ରାସ୍ତାର ମଝି ଅଂଶରେ ବର୍ତ୍ତମାନ ବର୍ଷାରେ ପାଣି ଜମି କାଦୁଅ ସୃଷ୍ଟି ହୋଇ ଗମନାଗମନ ଅନୁପଯୋଗୀ ହୋଇ ପଡିଛି । ସେଠାରେ ବସବାସ କରୁଥିବା ଛଅଗୋଟି ପରିବାରର ସଦସ୍ୟ ସଦସ୍ୟାମାନେ ଗମନାଗମନ ଅସୁବିଧାରୁ ଏକ ରକମ ଗୃହବନ୍ଦୀ ଜୀବନ ବିତାଉଛନ୍ତି । ବର୍ତ୍ତମାନ ଗୁଡିଆ ସମାଜଙ୍କ ଇଷ୍ଟ ଦେବତା ଗଣେଶ ପୂଜା ହେଉଥିବାରୁ ପ୍ରତ୍ୟେକ ଘରକୁ ବନ୍ଧୁବାନ୍ଧବ ଆସିବାକୁ ଥିବା ବେଳେ ଉକ୍ତ ରାସ୍ତାରେ ସେଠାକାର ୬ ପରିବାରର ଲୋକମାନେ ନିଜ ଉଦ୍ୟମରେ ପାଣି କାଦୁଅ ହୋଇଥିବା ରାସ୍ତାରେ ପୋଡା କୋଇଲାଗୁଣ୍ଡ ପକାଇ ଅସ୍ଥାୟୀ ଭାବେ ମରାମତି କରି ଗମନାଗମନ ଉପଯୋଗୀ କରିଛନ୍ତି । ସୂଚନାଥାଉକି, ପ୍ରଧାନମନ୍ତ୍ରୀ ଗ୍ରାମ ସଢକ ଯୋଜନାଠାରୁ ଆରମ୍ଭ କରାଯାଇଥିବା ଢଳେଇ କାର୍ଯ୍ୟ ବ୍ୟୟ ଅଟକଳ ଅନୁଯାୟୀ ରାସ୍ତାର ଦୈର୍ଘ୍ୟ ହୋଇନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଉକ୍ତ ରାସ୍ତା ପ୍ରତି ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ ଓ ମାହାଙ୍ଗା ବିଧାୟକ ଶ୍ରୀ ଶାରଦା ପ୍ରସାଦ ପ୍ରଧାନ ଦୃଷ୍ଟି ଦେଇ ଖାଲି ଥିବା ଅଂଶକୁ ତୁରନ୍ତ ଢଳେଇ ରାସ୍ତାରେ ପରିଣତ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।