ରାସ୍ତାକଡ଼ ପାଲଟିଛି ବିଶ୍ରାମାଗାର; ଯାତ୍ରୀ ହନ୍ତସନ୍ତ
ରଗଡି : ଗାଡ଼ି ଚଳାଚଳ ରାସ୍ତାରେ ଯାତ୍ରୀ ବିଶ୍ରାମଗାର କରିବା ଅପରିହର୍ଯ୍ୟ ହୋଇପଡ଼ିଥିଲେ ହେଁ ଏହା ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳୁନି । ଯାହା ଫଳରେ ବର୍ଷା କୁହ କି ଖରା ବା ଶୀତ କାକରରେ ଯାତ୍ରୀ ଯାତ୍ରାକରିବା ନିମନ୍ତେ ରାସ୍ତାକଡ଼େ ଠିଆ ହୋଇରହିଥାନ୍ତି । ବାରମ୍ବାର ବିଶ୍ରାମଗାର ନିର୍ମାଣ ଦାବି କରାଗଲେ ବି କେହି କର୍ଣ୍ଣପାତ କରୁ ନାହାନ୍ତି । ଏବେ ବର୍ଷା ସମୟରେ ଯାତ୍ରୀ ବସ ବା ଅନ୍ୟାନ୍ୟ ଗାଡ଼ିରେ ଯାତ୍ରା କରିବା ନିମନ୍ତେ ରାସ୍ତାକଡ଼େ ଅପେକ୍ଷା କରି ଓଦା ହୋଇଡ଼ୁଥିବାର ଦେଖିବାକୁ ମିଳିଛି । ଉଦାହରଣ ଭାବେ କୋରେଇ ବ୍ଲକର ରଗଡି ଛକକୁ ନିଆଯାଇପାରେ । ରଗଡ଼ି ଏକ ପ୍ରମୁଖ ଛକ ଭାବେ ପରିଚିତ । ଏଠାରୁ ବିଭିନ୍ନ ସ୍ଥାନକୁ ଯିବା ଆସିବା ନିମନ୍ତେ ଦୈନିକ ଶହଶହ ଯାତ୍ରୀ ଛକ ଉପରେ ନିର୍ଭର କରିଥାନ୍ତି । ଯେଉଁଠାରେ ବିଶ୍ରାମଗାର ଏକାନ୍ତ ଆବଶ୍ୟକ ରହିଥିବାରୁ ଏନଏଚ ଆଇ କର୍ତୃପକ୍ଷ ହୁଅନ୍ତୁ କି ରାଜନେତାଙ୍କ ଦୃଷ୍ଟି ପଡ଼ୁନାହିଁ । ପୂର୍ବରୁ ଏକ ବ୍ୟାଙ୍କ ପକ୍ଷରୁ ନିର୍ମାଣ ହୋଇଥିବା ଯାତ୍ରୀ ବିଶ୍ରାମାଗାର ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ ଭାଙ୍ଗି ଦିଆ ଯାଇଥିଲା । ଯାହାକୁ ଏପର୍ଯ୍ୟନ୍ତ ରାଜପଥ କର୍ତ୍ତୃପକ୍ଷ ନିର୍ମାଣ କରୁନି । ଏନଏଚ-୨୦ର ଏହି ଛକରୁ ଦୈନିକ ଯାତ୍ରୀ କଟକ, ଭୁବନେଶ୍ୱର, ପୁରୀ, ମୟୁରଭଞ୍ଜ ଓ କେନ୍ଦୁଝର ପ୍ରଭୃତି ଅଞ୍ଚଳକୁ ଯିବା ଆସିବା କରିଥାନ୍ତି । ବିଶ୍ରାମାଗାର ନଥିବାରୁ ସେମାନଙ୍କୁ ରାସ୍ତା କଡରେ ଠିଆ ହୋଇ ବସକୁ ଅପେକ୍ଷା କରିଥାନ୍ତି । ବର୍ଷା ହେଲେ ଯାତ୍ରୀଙ୍କୁ କୌଣସି ଦୋକାନ ପିଣ୍ଢା କିମ୍ବା କାହା ଘର ଦୁଆରେ ଆଶ୍ରୟ ନେବାକୁ ପଡିଥାଏ । ପ୍ରଚଣ୍ଡ ଖରା ସମୟରେ ମଧ୍ୟ ସମାନ ସ୍ଥିତି । ଏଥିପ୍ରତି ବିଧାୟକ ଏବଂ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରାଯାଇଛି ।