ରାସ୍ତା କଡ଼ ପାଲଟିଛି ମଳ ନିିଷ୍କାସନ ସ୍ଥାନ ପ୍ରଦୂଷିତ ହେଉଛି ପରିବେଶ
ଯାଜପୁର ସଦର : ଯାଜପୁର ଜିଲ୍ଲାରେ ବ୍ୟାପିଥିବା ଡାଇରିଆ, କଳରା ଭଳି ରୋଗର ପୂର୍ଣ୍ଣଛେଦ ପଡିନି । ରୋଗ କାରଣରୁ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାରର କଟକଣା ଲଗାଇଛନ୍ତି । କଟକଣା କାରଣରୁ ଢାବା, ହୋଟେଲ, ଜଳଖିଆ ଭଳି ପ୍ରତିଷ୍ଠାନରେ ତାଲା ପଡିଛି । ପ୍ରଶାସନ ପକ୍ଷରୁ ଗାଁ ଗାଁରେ ସଚେତନ କରାଯିବା ସହ ବ୍ଲିଚିଂ ସିଞ୍ଚନ କରାଯାଉଛି । ଯେତେ ବେଳେ ଡାଇରିଆ, କଲରାକୁ ନେଇ ପ୍ରଶାସନ ବ୍ୟାପକ ସଚେତନ କରାଯାଉଛି । ସେତେ ବେଳେ, ରାସ୍ତା କଡରେ ମଳ ନିଷ୍କାସନ କରାଯିବା କେତେଦୂର ଯଥାର୍ଥ? କିନ୍ତୁ ଏହା ଏଠାରେ ଦେଖିବାକୁ ମିଳିଛି । ମଳ ନିଷ୍କାସନ ଗାଡ଼ି କରି ବେପାର କରୁଥିବା କିଛି ଅମାନବୀୟ ବ୍ୟକ୍ତି ପାଇଖାନା ମଳକୁ ସଂଗ୍ରହ କରି ବିଭିନ୍ନ ଫାଙ୍କା ସ୍ଥାନ ଏବଂ ରାସ୍ତାକଡରେ ନିଷ୍କାସନ କରୁଛନ୍ତି । ଯାଦ୍ୱାରା ବାୟୁମଣ୍ଡଳ ଦୂଷିତ ହେବା ସହିତ ସ୍ୱଚ୍ଛ ପରିବେଶ ଉପରେ କୁପ୍ରଭାବ ପଡୁଛି । ଏହି ପାଇଖାନା ଟ୍ୟାଙ୍କର ଗାଡି ମାଲିକଙ୍କ ଉପରେ ପ୍ରଶାସନର କୌଣସି ଅଙ୍କୁଶ ନଥିବାରୁ ଏଭଳି ହେଉଥିବାର ଅଭିଯୋଗ ହେଉଛି । ଏହାଦ୍ୱାରା ପରିବେଶ ଦୂଷିତ ହୋଇ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି । ବିଭିନ୍ନ ଜଳରୁ ଡାଇରିଆ ହଇଜା ବ୍ୟାପୁଥିବା ସ୍ୱାସ୍ଥ୍ୟ ବିଭାଗ କହୁଥିଲା ବେଳେ, ବିଭିନ୍ନ ନଦୀନାଳ ଗଢିଆରେ ପାଇଖାନା ସଫା ଗାଡ଼ି ମଳ ପକାଉଥିବାରୁ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି କରାଯାଇଛି ।