ସହଯୋଗ ଆଶାରେ ବିଦୁ ମାଝୀ
ନୂଆପଡାରୁ ପରମେଶ୍ୱର ବାରିକ :
ଦିନେ ମୁହଁରେ ରଙ୍ଗ ମାଖି ମଞ୍ଚକୁ ଯାଉଥିଲେ । ଘୁମୁରା ବାଦ୍ୟ ରେ ଲୋକଙ୍କୁ ବାନ୍ଧି ରଖୁଥିଲେ । ସଙ୍କୀର୍ତ୍ତନ ଦଳରେ ମିଶି ହରି ନାମ କୀର୍ତ୍ତନ କରୁଥିଲେ । ଏବେ କିନ୍ତୁ ସବୁ ନିଥର ସବୁ ନିରସ । ଆଉ ଘରୁ ବାହାରକୁ ଯିବା ପାଇଁ ଅଣ୍ଟାରେ ବଳ ନାହିଁ । ଦୁରାରୋଗ୍ୟ ପକ୍ଷାଘାତ ତାଙ୍କୁ ଅକର୍ମ୍ୟଣ କରି ଦେଇଛି । ହସିଲା ଖେଳିଲା ସଂସାରରେ ଏବେ ଦୁଃଖର କଳା ବାଦଲ ।ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ଦାବ୍ରି ଗ୍ରାମ ପଞ୍ଚାୟତର କୋଦାଲ ଡୁଙ୍ଗରି ଗ୍ରାମ । ଏହି ଗ୍ରାମର ବିଦୁ ମାଝୀ । ପରିବାର କହିଲେ ସ୍ତ୍ରୀ ଗୁନେ ମାଝୀ । ପୁଅ ଝିଅ ନାହାନ୍ତି । ଅଭାବୀ ସଂସାରରେ ଦୁହେଁ ଦୁହିଙ୍କର ସାଥି । ଦିନେ ହସ ଖେଳର ନୀଡ଼ ବାନ୍ଧିଥିବା ଏଇ ପ୍ରେମ ପକ୍ଷୀଙ୍କ ଜୀବନରେ କିନ୍ତୁ ଦୁଃଖର ବାତ୍ୟା ଅନ୍ଧକାର ଆଣିଦେଲା । ଗତବର୍ଷ ଅକ୍ଟୋବର ମାସରେ ଦିନେ ଶୌଚ ପାଇଁ ଯାଇଥିବା ବେଳେ ବିଦୁ ତଳେ ପଡିଗଲେ । ତାଙ୍କର ଅର୍ଦ୍ଧାଧିକ ଅଙ୍ଗ ଅଚଳ ହୋଇଗଲା । ତାଙ୍କୁ ସଙ୍ଗେ ସଙ୍ଗେ ସିହିନୀ ନାମକ ଆୟୁର୍ବେଦିକ ଚିକିତ୍ସା କେନ୍ଦ୍ରକୁ ନିଆଗଲା । ତାହା ପରେ ପିପେଲ୍ ମୁଣ୍ଡା, ଭବାନୀ ପାଟଣା ଆଦି ଚିକିତ୍ସାକେନ୍ଦ୍ରରେ ଚିକିତ୍ସା କରାଗଲା । କିନ୍ତୁ ଆରୋଗ୍ୟ ନହେବାରୁ ରାୟପୁର ସ୍ଥିତ ବାଲାଜୀ ହସ୍ପିଟାଲରେ ଭର୍ତ୍ତି କରାଗଲା । ସେଠାରେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଚିକିସôିତ ହେଲେ ମଧ୍ୟ ଯିବା ଆସିବା, ରହିବା ଖାଇବା ଆଦିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଲା । ଗୁନେ ସ୍ୱାମୀଙ୍କ ଚିକିତ୍ସା ପାଇଁ ଜମି ବନ୍ଧା ସହ ଘରେ ଥିବା ଛେଳି ମେଣ୍ଢା ବିକ୍ରୟ କରିଦେଲେ । କିନ୍ତୁ ସେଠାରେ ମଧ୍ୟ ଭଲ ହେଲେ ନାହିଁ ବିଦୁ । ଶେଷରେ ନିରୁପାୟ ହୋଇ ଘରକୁ ଫେରି ଆସିଲେ । ଘରେ କିଛି ଦିନ ରହିବା ପରେ ଖଡ଼ିଆଳ ଠାରେ ଜୈନିକ ବ୍ୟକ୍ତି ବିଦୁ୍ୟତ୍ ସକ୍ ଦେଲେ ଭଲ ହେବେ କହିବାରୁ ନଅ ଦିନ ଗାଡ଼ି ଭଡ଼ା କରି ସେଠାକୁ ନେଲେ । ହେଲେ ସେଠାରେ ମଧ୍ୟ ଭଲ ହେବାର ନାଆଁ ଧରିଲା ନାହିଁ । ଏବେ ଘରେ ଶଯ୍ୟାଶାୟୀ ହୋଇ ପଡିଥିବା ବେଳେ ଔଷଧ ଖାଇବାକୁ ମଧ୍ୟ ପଇସା ନାହିଁ ବୋଲି କହିଛନ୍ତି ଗୁନେ । ବିଦୁ ଜଣେ ଘୁମୁରା ଓ କୀର୍ତ୍ତନ କଳାକାର ଥିଲେ । ବିଭିନ୍ନ ଗ୍ରାମରେ କଳା ପ୍ରଦର୍ଶନ କରି ପ୍ରଶଂସା ସାଉଁଟୁଥିଲେ । ଏବେ କିନ୍ତୁ ସମୟର ଚକ ଓଲଟିଯାଇଛି । ଘରୁ ପଦାକୁ ବାହାରିବା ତାଙ୍କ ପାଇଁ ସାତ ସପନ । ସେ ଉଠି ବସି ପାରୁ ନାହାନ୍ତି । ଖଟରେ ସ୍ନାନ ଶୌଚ କରୁଛନ୍ତି । ଉଠିବାକୁ ଅଭ୍ୟାସ କରିବାକୁ ଶୋଇବା ଜାଗାରେ ଦୁଇଟି ଖୁଣ୍ଟ ବାନ୍ଧି ଦେଇଛନ୍ତି ।ସେ କିନ୍ତୁ ଯେତେବେଳେ ଉଠୁଛନ୍ତି ଆପେ ଆପେ ପରିସ୍ରା ବାହାରି ଯାଉଛି । ସେଥିପାଇଁ ଉଠିବାକୁ ତାଙ୍କର ଇଛା ନାହିଁ । ତାଙ୍କୁ ଭତ୍ତା ଖଣ୍ଡେ, ହ୍ୱିଲ ଚେୟାର ଟିଏ ଓ ଚିକିତ୍ସା ବ୍ୟବସ୍ଥା ପାଇଁ ଦାବି ଜଣାଇଛନ୍ତି ।