ରାସ୍ତାରେ ଗୋ-ସମ୍ପଦ; ବଢୁଛି ଟ୍ରାଫିକ୍ ସମସ୍ୟା
ଯାଜପୁର ସଦର : ଯାଜପୁର ସହର ସହିତ ଗ୍ରାମାଞ୍ଚଳରେ ବିଭିନ୍ନ ମୁଖ୍ୟରାସ୍ତା ବୁଲା ଗାଈଗୋରୁଙ୍କ ଗୁହାଳ ପାଲଟିଛି । ସହରର ଯେଉଁ ଆଡ଼କୁ ଗଲେ ପଲପଲ ଗୋ-ସଂପଦ ରାସ୍ତାରେ ବୁଳିବା ସହ ଶୋଇ ରହୁଛନ୍ତି । ଫଳରେ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଅନେକ ସମୟରେ ଗମନାଗମନ ବେଳେ ଗାଈଗୋରୁ ମାନଙ୍କ ପାଇଁ ରାସ୍ତାଜାମ ଓ ଦୁର୍ଘଟଣା ଭଳି ପରିସ୍ଥିତ ସୃଷ୍ଟି ହେଉଥିବା ଏବଂ ଯାତ୍ରୀ ଆହତ ହେଉଛନ୍ତି । ଯାଜପୁର ପୌରପରିଷଦ ଜନସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଉଥିବା ବେଳେ ରାସ୍ତାର ସ୍ଥାନେ ସ୍ଥାନେ ବିଭିନ୍ନ କିସମର ବ୍ୟବସାୟିକ ସଂସ୍ଥା ମଧ୍ୟ ଗଢ଼ି ଉଠିଛି । ଗାଈଗୋରୁଙ୍କ ଚଳପ୍ରଚଳ ଯୋଗୁଁ ପୌରରାସ୍ତା ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ହୋଇପଡ଼ିଛି । ଏଭଳି ପରିସ୍ଥିତିରେ ବିଭିନ୍ନ ୱାର୍ଡ଼ର ମୁଖ୍ୟ ରାସ୍ତା ଶହଶହ ବୁଲା ଗୋରୁଗାଈଙ୍କ ବିଶ୍ରାମସ୍ଥଳୀ ପାଲଟିଛି । ଯଯାତି କେଶରୀ ମେଡିକାଲ କଲେଜରେ ଯିବା ରାସ୍ତାରେ ଗାଈଗୋରୁଙ୍କ ଚଳପ୍ରଚଳ ଓ ବିଶ୍ରାମସ୍ଥଳୀ ପାଲଟିଥିବା ଯୋଗୁଁ ଯାତାୟତରେ ଘୋର ବାଧାପ୍ରାପ୍ତ ହେଉଛି । ପ୍ରାୟ ସମୟରେ ସେହି ରାସ୍ତା ଦେଇ ଶହଶହ ବଡ଼ବଡ଼ ଗାଡ଼ି ଚଳପ୍ରଚଳ ହେଉଥିବା ବେଳେ ଗାଡ଼ି ଧକ୍କାରେ ଗୃହ ପାଳିତ ଗୋରୁଗାଈ ମାନଙ୍କ ଜୀବନ ବିପଦପୁନ୍ନ ହେଉଥିବା ଦେଖାଯାଏ । ସହର ମଧ୍ୟରେ ପ୍ରାୟ ମାଲିକ ମାନେ ଗାଈ ପାଳୁଥିବା ବେଳେ, ମାଲିକ କ୍ଷୀର ସଂଗ୍ରହ କରି ଗାଇକୁ ଛାଡ଼ି ଦେଉଛନ୍ତି । ପୂର୍ବରୁ ବୁଲା ଗୋରୁ ରାସ୍ତାରେ ବୁଲିଲେ ସେମାନଙ୍କୁ ଧରି କାଞ୍ଜିଆହୁଦାରେ ଭର୍ତ୍ତିକରାଯାଇ ମାଲିକଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା । ଆଜି ସେଭଳି ପରିସ୍ଥିତ ନାହିଁ କିମ୍ବା ପୌରସଂସ୍ଥା ଏଥିପ୍ରତି ନିୟନ୍ତ୍ରଣ ନାହିଁ । ଫଳରେ ରାସ୍ତାରେ ବୁଲା ଗାଈଙ୍କ ଅକ୍ତିଆର ଦିନକୁଦିନ ଅସହ୍ୟ ହୋଇପଡ଼ୁଛି । ଯାଜପୁର ସହରରେ ବାରମ୍ବାର ବିଦ୍ୟୁତ୍ କାଟ୍ ହେଉଥିବାରୁ ସନ୍ଧ୍ୟା ସମୟରେ ରାସ୍ତାରେ ଗାଈଗୋରୁ ଶୋଇ ରହୁଥିବାରୁ ଚଲାପଥର ବାଟୋଇ ମାନେ ଏହାକୁ ଦେଖୁନପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ଯାଜପୁର ପୈାରପାଳିକା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଦେଖିବାକୁ ମିଳେ । ରାସ୍ତା ପାର୍ଶ୍ୱରେ ଗାଈଗୋରୁଙ୍କ ଗୋବର ଓ ଆବର୍ଜନା ଗଦ ରହିବା ଫଳରେ ସହର ର ପରିବେଶ ଅଧୂକ ଦୂଷିତ ହେଉଛି । ତୁରନ୍ତ ପୌର କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି କରାଯାଇଛି ।