ରାସ୍ତାରେ ପଡିଛି ନିଯୁକ୍ତି ଆବେଦନକାରୀଙ୍କ ଫର୍ମ : ଆଇସିଡିଏସ୍ କାର୍ଯ୍ୟାଳୟର ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନବାଚୀ
କପ୍ତିପଦା : ବାହାରିଥିଲା ନିଯୁକ୍ତି, ଅନ୍ଲାଇନରେ କରିଥିଲେ ଆବେଦନ ଆଉ ଭେରିଫିକେସନ୍ ପାଇଁ କାର୍ଯ୍ୟାଳୟରେ ଦାଖଲ ହୋଇଥିବା ଫର୍ମ ସହିତ ସମସ୍ତ ଦସ୍ତାବିଜ୍ ଦେଇଥିଲେ ଆବେଦନକାରୀ । ହେଲେ ଆବେଦନକାରୀଙ୍କ ଫର୍ମ ପଡିଛି କାର୍ଯ୍ୟାଳୟ ସାମ୍ନା ରାସ୍ତା ଉପରେ । ପାଣି ଚାଲୁଥିବା ରାସ୍ତାରେ ପଡିଛି ଆବେଦନକାରୀଙ୍କ ଫର୍ମ । ଏଭଳି ଘଟଣା ସାମ୍ନାକୁ ଆସିଛି କପ୍ତିପଦା ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସମ୍ମୁଖରୁ ।
କପ୍ତିପଦା ଆଇସିଡିଏସ୍ କାର୍ଯ୍ୟାଳୟ ସାମ୍ନା ରାସ୍ତାରେ ଏକ ଆବେଦନ ଫର୍ମ ଏବଂ ଆବେଦନକାରୀଙ୍କ ଦସ୍ତାବିଜ୍ ପଡିଥିବା କପ୍ତିପଦା ଅଞ୍ଚଳର ଚିତ୍ତରଞ୍ଜନ ମିଶ୍ର ଦେଖିବାକୁ ପାଇଥିଲେ । ଯାହାକି ଉକ୍ତ ଦସ୍ତାବିଜ ଗୁଡିକରେ ଦସ୍ତଖତ ହେବା ସହିତ ତାହା ଅଙ୍ଗନବାଡି ହେଲପର ନିଯୁକ୍ତି ନିମନ୍ତେ ଆବେଦନ ପତ୍ର ବୋଲି ଜାଣିବା ସହିତ ଉକ୍ତ ଫର୍ମରୁ ଆବେଦକାରୀଙ୍କ ନମ୍ବର ବାହାର କରି ଫୋନ କରିଥିଲେ ଏବଂ ଘଟଣା ବାବଦରେ ଜଣାଇଥିଲେ । ଖବର ପାଇ ଆବେଦନକାରୀଙ୍କ ସ୍ୱାମୀ ଘଟଣାସ୍ଥଳରେ ପହଂଚିବା ପରେ ପୁରା ତଥ୍ୟ ଜଣାପଡିଥିଲା । ପିଙ୍ଗୁ ପଞ୍ଚାୟତ ବାନ୍ଦ୍ରବଣୀ ଅଙ୍ଗନବାଡି ସେଣ୍ଟରରେ ଅଙ୍ଗନବାଡି ହେଲପର ନିମନ୍ତେ ନିଯୁକ୍ତି ବାହାରିଥିଲା । ଯେଉଁଥିରେ ନିଯୁକ୍ତି ନିମନ୍ତେ ପିଙ୍ଗୁ ଗ୍ରାମର ସୁଶ୍ରୀ ସଙ୍ଗୀତା ବିଶ୍ୱାଳ ଆବେଦନ କରିଥିଲେ । ସଙ୍ଗୀତାଙ୍କ ସହିତ ଅନ୍ୟ ଦୁଇ ଜଣ ମଧ୍ୟ ଏହି ପଦବୀ ନିମନ୍ତେ ଆବେଦନ କରିଥିଲେ । ଅନଲାଇନ ଆବେଦନ କରିବା ପରେ ସମସ୍ତ ଦସ୍ତାବିଜ୍ ସହିତ ଫର୍ମକୁ ଆଇସିଡିଏସ୍ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ଅଗଷ୍ଟ ୪ତାରିଖ ଦସ୍ତାବିଜ୍ ଯାଞ୍ଚ ହୋଇ ଥିଲା । କିନ୍ତୁ ଗରୁବାର ଅପରାହ୍ନ ୩ ଟା ସମୟରେ ତାଙ୍କ ସ୍ତ୍ରୀଙ୍କ ଫର୍ମ ଏବଂ ଦସ୍ତାବିଜ୍ ରାସ୍ତାରେ ପଡିଥିବା ଜାଣିବାକୁ ପାଇଥିବା କହିଛନ୍ତି ଆବେଦନକାରୀ ମହିଳା ସଙ୍ଗୀତାଙ୍କ ସ୍ୱାମୀ କାର୍ତ୍ତିକ ଚନ୍ଦ୍ର ସେଠୀ । ତେବେ କେଉଁ କାରଣ ପାଇଁ ଏଭଳି ଦାୟିତ୍ୱହୀନ ଭାବେ ଆବେଦନ ଫର୍ମକୁ ରାସ୍ତାରେ ଫୋପାଡି ଦିଆଗଲା, ତାହାକୁ ନେଇ କାର୍ତ୍ତିକ ସନେ୍ଦହ ପ୍ରକଟ କରିଛନ୍ତି । ତାଙ୍କୁ ଆଶାୟୀଙ୍କ ତାଲିକାରୁ ବାଦ ଦେବା ପାଇଁ ଷଡଯନ୍ତ୍ର ହୋଇନାହିଁ ତ ? କାହା ଚାପରେ ତାଙ୍କୁ ତାଲିକାରୁ ହଟାଇବା ପାଇଁ ଫର୍ମ ଫୋପାଡି ଦିଆଯାଇ ନାହିଁ ତ, ନା ଅନ୍ୟ କିଛି କାରଣ ପାଇଁ ଏଭଳି କରାଯାଇଛି ତାହାକୁ ନେଇ ସେ ଦ୍ୱନ୍ଦରେ ରହିଛନ୍ତି । ସେପେଟ ଆବେଦନକାରୀଙ୍କ ଫର୍ମ ଏପରି ରାସ୍ତା ଉପରେ ପଡିବା ବାବଦରେ ଶିଶୁ ବିକାଶ ଯୋଜନା କପ୍ତିପଦାର ସିଡିପିଓ କିତନୀ ଲିଆଙ୍ଗିଙ୍କୁ ପଚାରିବାରୁ ସେ ଘଟଣାକୁ ବେଶ ହାଲୁକା ଢଙ୍ଗରେ ଗ୍ରହଣ କରିଛନ୍ତି । ଯଦି ସେପରି ଫର୍ମ ଫୋପଡା ଯାଇଛି, ତେବେ ସେ ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି । ହେଲେ ନିଜର କିମ୍ବା କର୍ମଚାରୀଙ୍କ ଦାୟିତ୍ୱହୀନତାକୁ ଆଡେଇ ଦେଇ ଯାଇଛନ୍ତି । ଏଠାରେ ପ୍ରଶ୍ନ ଉଠେ ଆବେଦନକାରୀଙ୍କ ଆଶା ସହିତ ଏପରି ସାଂଘାତିକ ଖେଳ ଖେଳାଯାଇଥିବା ବେଳେ ସିଡିପିଓ ଘଟଣାକୁ ହାଲୁକା ଭାବେ କେମିତି ନେଉଛନ୍ତି, ନା ଏହା ଜାଣିଶୁଣି କରାଯାଇଛି ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି ।