୬୦ କୋଟି ଠକେଇ ମାମଲା ଶିଳ୍ପା ସେଟ୍ଟୀଙ୍କୁ ଲୁକଆଉଟ୍
ମୁମ୍ବାଇ : ୬୦ କୋଟି ଟଙ୍କା ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ବ୍ୟବସାୟୀ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଲୁକଆଉଟ ସର୍କୁଲାର(ଏଲଓସି) ଜାରି କରାଯାଇଛି । ଏହାଦ୍ୱାରା ଶିଳ୍ପା ଓ ତାଙ୍କ ସ୍ୱାମୀଙ୍କ ଅଡୁଆ ବଢିଛି । ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି । ଶିଳ୍ପାଙ୍କ ବନ୍ଦ ହୋଇଥିବା ଏକ ଫାର୍ମ ଓ ବେଷ୍ଟ ଡିଲ ଟିଭି ପ୍ରା.ଲି ସହ ଏକ ଚୁକ୍ତି ଅନୁଯାୟୀ ଏହି ଟଙ୍କା କାରବାର ହୋଇଛି । ଜଣେ ଅଧିକାରୀ କହିଛନ୍ତି ଯେ ନଗର ପୁଲିସର ଅର୍ଥନୈତିକ ଅପରାଧ ଶାଖା ଶିଳ୍ପା ଓ ତାଙ୍କ ସ୍ୱାମୀ ବାରମ୍ବାର ବିଦେଶ ଯାତ୍ରାକୁ ନେଇ ଏଲଓସି ଜାରି କରିଛି ।
ମୁମ୍ବାଇର ବ୍ୟବସାୟୀ ଦୀପକ କୋଠାରୀ ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ ବିରୁଦ୍ଧରେ ୨୦୧୫ ରୁ ୨୦୨୩ ମଧ୍ୟରେ ବ୍ୟବସାୟ ବିସ୍ତାର ପାଇଁ ଉଦ୍ଦିଷ୍ଟ ପାଣ୍ଠିକୁ ବ୍ୟକ୍ତିଗତ ବ୍ୟବହାର ପାଇଁ ବ୍ୟବହାର କରିଥିବାର ଅଭିଯୋଗ କରିଛନ୍ତି । ଏନେଇ ଅଗଷ୍ଟ ୧୪ ତାରିଖରେ ଜୁହୁ ପୁଲିସ ଷ୍ଟେସନରେ ସେଟ୍ଟୀ ଓ କୁନ୍ଦ୍ରାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ସେମାନେ ଋଣ ତଥା ନିବେଶ ଚୁକ୍ତିରେ ଜଣେ ବ୍ୟବସାୟୀଙ୍କୁ ପ୍ରାୟ ୬୦ କୋଟି ଟଙ୍କାର ଠକେଇ କରିଛନ୍ତି । ଲୋଟସ୍ କ୍ୟାପିଟାଲ ଫାଇନାନ୍ସିଆଲ୍ ସର୍ଭିସେସର ନିଦେ୍ର୍ଦଶକ କୋଠାରୀ କହିଛନ୍ତି ଯେ ରାଜେଶ ଆର୍ଯ୍ୟ ତାଙ୍କୁ ଦମ୍ପତିଙ୍କ ସହ ପରିଚୟ କରାଇଥିଲେ । ସେହି ସମୟରେ ଏହି ଦମ୍ପତି ବେଷ୍ଟ ଡିଲ୍ ଟିଭିର ୮୭.୬ ପ୍ରତିଶତ ସେୟାର ନିୟନ୍ତ୍ରଣ କରୁଥିଲେ । କୋଠାରୀଙ୍କ ଅନୁଯାୟୀ, ଏହି ଦମ୍ପତି ପ୍ରଥମେ ୧୨ ପ୍ରତିଶତ ସୁଧରେ ୭୫ କୋଟି ଟଙ୍କା ଋଣ ଚାହୁଁଥିଲେ କିନ୍ତୁ ପରେ ତାଙ୍କୁ ମାସିକ ରିଟର୍ଣ୍ଣ ଓ ମୂଳ ପରିଶୋଧର ପ୍ରତିଶ୍ରୁତି ସହିତ କର ହ୍ରାସ କରିବା ପାଇଁ ‘ନିବେଶ' ଭାବରେ ପାଣ୍ଠି ଦେବାକୁ କହିଥିଲେ ।
ଏହି ପ୍ରତିଶ୍ରୁତି ଉପରେ ଭରସା କରି କୋଠାରୀ ୨୦୧୫ ଏପ୍ରିଲ ମାସେରେ ଏକ ସେୟାର ସବସ୍କ୍ରିପସନ୍ ଚୁକ୍ତିନାମା ଅଧୀନରେ ୩୧.୯୫ କୋଟି ଟଙ୍କା ଓ ୨୦୧୫ ସେପ୍ଟେମ୍ବର ମାସରେ ଏକ ସପ୍ଲିମେଣ୍ଟାରୀ ଚୁକ୍ତିନାମା ମାଧ୍ୟମରେ ଅତିରିକ୍ତ ୨୮.୫୩ କୋଟି ଟଙ୍କା ସ୍ଥାନାନ୍ତର କରିଥିଲେ । ଏହି ଟଙ୍କା କମ୍ପାନୀର ଏଚଡିଏଫସି ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା । ଏହାପରେ ଶିଳ୍ପା ସେଟ୍ଟି ୨୦୧୬ ସେପ୍ଟେମ୍ବରେ ଫାର୍ମର ନିଦେ୍ର୍ଦଶକ ପଦରୁ ଇସ୍ତଫା ଦେଇଥିଲେ । ୨୦୧୭ ସୁଦ୍ଧା, ଅନ୍ୟ ଏକ ଚୁକ୍ତିନାମାରେ ଡିଫଲ୍ଟ ହେବା ପାଇଁ ବେଷ୍ଟ ଡିଲ୍ ଟିଭି ବିରୁଦ୍ଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କୋଠାରୀ ଅଭିଯୋଗ କରିଛନ୍ତି ଯେ ଆର୍ଯ୍ୟ ମାଧ୍ୟମରେ ପାଣ୍ଠି ପୁନରୁଦ୍ଧାର ପାଇଁ ବାରମ୍ବାର ପ୍ରୟାସ ବିଫଳ ହୋଇଥିଲା, ଯାହା ଦ୍ୱାରା ଆନୁଷ୍ଠାନିକ ଅଭିଯୋଗ ହୋଇଥିଲା । ମୁମ୍ବାଇ ପୁଲିସ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଧାରା ୪୦୩, ୪୦୬ ଓ ୩୪ ଅନୁଯାୟୀ ଏକ ଏଫଆଇଆର ପଞ୍ଜୀକୃତ କରିଛି । ଚଳିତ ବର୍ଷ ଆରମ୍ଭରେ ରିଦ୍ଧି ସିଦ୍ଧି ବୁଲିଅନ୍ସର ପରିଚାଳନା ନିଦେ୍ର୍ଦଶକ ପୃଥ୍ୱୀରାଜ କୋଠାରୀ ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ ବିରୁଦ୍ଧରେ ଏକ ସୁନା ଯୋଜନାରେ ଜଣେ ନିବେଶକଙ୍କୁ ଠକେଇ କରିଥିବା ଅଭିଯୋଗ କରିଥିଲେ ।
୨୦୨୧ ମସିହାରେ ମୁମ୍ବାଇ ପୁଲିସ ଏକ ଅଶ୍ଳୀଳ ଭିଡିଓ ମାମଲାରେ କୁନ୍ଦ୍ରାଙ୍କୁ ଗିରଫ କରିଥିଲା । ପରେ ସେ ଜାମିନରେ ଆସିଥିଲେ । ବିଟକଏନ୍ ଠକେଇ ସହିତ ଜଡିତ ଏକ ପୃଥକ ମନି ଲଣ୍ଡରିଂ ମାମଲାରେ କୁନ୍ଦ୍ର ତଦନ୍ତର ସମ୍ମୁଖୀନ ହେଉଛନ୍ତି ।