ରେଡ୍ ପିଚରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ
କଟକ : ଆଉ ସପ୍ତାହେ ପରେ ଖେଳାଯିବ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମୁକାବିଲା । ଆସନ୍ତା ୯ ତାରିଖରେ ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଆଜି ପିଚ୍ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି ବିସିସିଆଇ କ୍ୟୁରେଟର ଆଶିଷ ଭୌମିକ । ପ୍ରାୟ ଅଢେ଼ଇ ଘଣ୍ଟା ଧରି ପିଚ୍ ପ୍ରସ୍ତୁତି ଅନୁଧ୍ୟାନ କରିବା ସହ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ଦୀର୍ଘ ଆଲୋଚନା କରିଥିଲେ । କେଉଁ ପିଚରେ ଟି-ଟ୍ବେଣ୍ଟି ଖେଳ ହେବ ସେ ନେଇ ପିଚ୍ କ୍ୟୁରେଟର ହିଁ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ । ବାରବାଟୀରେ କଳା ଓ ଲାଲ୍ ମାଟିରେ ମୋଟ ୪ଟି ପିଚ୍ ପ୍ରସ୍ତୁତ ହୋଇଛି । ଲାଲ୍ ମାଟିରେ ତିଆରି ପିଚରେ ଖେଳ ହେଲେ ମ୍ୟାଚ ହାଇସ୍କୋରିଂ ହେବ ଓ ଦର୍ଶକ ବେଶ୍ ଉପଭୋଗ କରିବେ ବୋଲି କ୍ରିକେଟ ସମୀକ୍ଷକ ମତ ଦେଇଥିଲେ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯିବାକୁ ଥିବା ଟି-୨୦ ମ୍ୟାଚ୍ ରେଡ୍ ପିଚରେ ଖେଳାଯିବ । ଏ ନେଇ ସୂଚନା ଦେଇଛନ୍ତି ବାରବାଟୀ ପିଚ୍ କ୍ୟୁରେଟର ।