ସେବା ଓ ସଂଗ୍ରାମର ଅନନ୍ୟ ପ୍ରତିମା : ରମାଦେବୀ (୨)

କୃଷ୍ଣ ଚନ୍ଦ୍ର ସୁଆର : ୧୯୩୦ ମସିହାରେ ଗାନ୍ଧିଜୀ ଲବଣ ସତ୍ୟାଗ୍ରହ ଆରମ୍ଭ କଲେ । ଇଂରେଜମାନେ ଏ ଦେଶକୁ ଆସିବା ପୂର୍ବରୁ ଆମ ଦେଶ ଲୋକ ସମୁଦ୍ର ପାଣିରୁ ଓ ଲୁଣିଆ ମାଟିରୁ ଲୁଣ ମାରୁଥିଲେ । ଇଂରେଜମାନେ ଏହାକୁ ବେଆଇନ କଲେ । ଗାନ୍ଧି ଏ ଆଇ ବିରୋଧରେ ଲବଣ ସତ୍ୟାଗ୍ରହ କଲେ । ସେ ପ୍ରଥମେ ୧୯୩୦ରେ ତାଙ୍କ ବାସରମତୀ ଆଶ୍ରମରୁ ଅଣାଅସୀ ଜଣ ଅନୁଗାମୀଙ୍କ ସହିତ ଗୁଜୁରାଟ ଦାଣ୍ଡିଠାରେ ଗିରଫ ହେଲେ । ଗାନ୍ଧିଙ୍କ ସହିତ ଥିଲେ ଓଡ଼ିଶାର ମୋତୀ ଦାସ, ଓଡ଼ିଶାର ବାଲେଶ୍ୱର, କଟକ, ପୁରୀ ଓ ଗଞ୍ଜାମରେ ଏ ଆଇନ ଅମାନ୍ୟ ଆନେ୍ଦାଳନ ଚାଲିଲା । ରମାଦେବୀଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ ବେଳେ ସତ୍ୟାଗ୍ରହର ବାର୍ତ୍ତା ପ୍ରଚାର କରିବା ସାଙ୍ଗକୁ ନାରୀ କର୍ମୀମାନଙ୍କୁ ସଂଗ୍ରହ କରିଥିଲେ । ସେତେବେଳ ଇଞ୍ଜୁଡି ପଦଯାତ୍ରା କଲେ ଓ ଲୁଣ ମାରିଲେ । ଶ୍ରୀମତୀ ରମାଦେବୀ ଓ ମାଳତୀ ଚୌଧୁରୀ ପ୍ରମୁଖ କୁଜଙ୍ଗ ଓ ତିର୍ତ୍ତୋଲ ଅଞ୍ଚଳରେ ଗାଁ ଗାଁ ବୁଲିଥିଲେ । ସତ୍ୟଗ୍ରହୀମାନଙ୍କ ବିରୁଦ୍ଧରେ ପୋଲିସବାଲା ଏପରି ଭୟ ଓ ଆତଙ୍କ ଖେଳାଇ ଦେଇଥିଲେ ଯେ, ତାଙ୍କୁ ବସ୍ବାଲା ବସ୍ରେ ନେଉନଥାନ୍ତି ଓ ଡଙ୍ଗାବାଲା ଡଙ୍ଗାରେ ବି ନେଉନଥାନ୍ତି । ସେମାନେ ଖରା, ବର୍ଷା ଶୀତ, କାକର ସହ୍ୟ କରି ପାଦରେ ଚାଲି ଚାଲି ତାଙ୍କ ଗନ୍ତବ୍ୟ ସ୍ଥଳକୁ ଯାଉଥାନ୍ତି । କାଳିଆ ଘାଟଠାରେ ସେମାନେ ଲୁଣ ମାରି ଫେରି ଆସିଥିଲେ । ଗାନ୍ଧିଙ୍କର ଦାଣ୍ଡିଠାରେ ଏପ୍ରିଲ ୬ ତାରିଖରେ ଓ ବାଲେଶ୍ୱର ଲଂଚୁଡି ଠାରେ ଏପ୍ରିଲ ୧୩ ତାରିଖରେ ଲୁଣ ମରାଯାଇଥିଲା । ସବୁ ଶ୍ରେଣୀର ପୁରୁଷ ମହିଳା ଏହି ଆନେ୍ଦାଳନରେ ଯୋଗଦେଇ ସଫଳ କରାଇଥିଲେ  । ଏହା ବ୍ରିଟିଶ ଶାସନକୁ ଦୋହଲାଇ ଦେଇଥିଲା ଏବଂ ଗାନ୍ଧିଜୀଙ୍କର  ଜନତାଙ୍କ ମଧ୍ୟରେ ଥିବା ଲୋକପ୍ରିୟତାକୁ ପ୍ରମାଣିତ କରିଥିଲା  । ଲୁଣମରା ବେଳେ ସତ୍ୟାଗ୍ରହୀମାନେ କେତେଗୁଡିଏ ମନଛୁଆଁ ଦେଶାତ୍ମବୋଧକ ଗୀତ ବୋଲୁଥିଲେ  । ତନ୍ମଧ୍ୟରେ ଜାତୀୟ କବି ବୀର କିଶୋରଙ୍କ ପଂକ୍ତିଟି ଏ ଉଦ୍ଧୃତ ଶୟନେ ସ୍ୱପନେ କିବା ଜାଗରଣେ, ସେହି ଗାନ୍ଧି କଥା ଭାବୁଛି, କି ମନ୍ତର କଲା ସଭିଙ୍କୁ ଟାଣିଲା ବଡ଼ ଆଚମ୍ବିତ ଲାଗୁଛି  ।
ଶୁଣି ଯେ ଡରଇ ମେଘ ଘଡଘଡି
ବାହାରି ନଥିଲା ଘରୁ ଗୋଡ଼ କାଢି
 ସେହି ନାରୀ ଆଜି ସମୁଦ୍ର ପନ୍ତାରେ
 ଲୁଣ ଲାଗି ଜଳ ଭାଙ୍ଗୁଛି 
ଶୟନେ ସ୍ୱପନେ ...
ଦୋତାଲା ଉପରେ ବିଳାସରେ ଶୋଇ
ଅଳସେ ଯେ ଧନୀ ମାରୁଥିଲେ ହାଇ
କତା ପିଟୁଛନ୍ତି ଜୋତା ମାଡ ଖାଇ
 ଜୀବନକୁ ଦେଇ ମରୁଛି  ।
ଶୟନେ ସ୍ୱପନେ....
ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ଓ କଂଗ୍ରେସ କାର୍ଯ୍ୟକ୍ରମ ପ୍ରଚାର ଉଦେ୍ଦଶ୍ୟରେ ସେମାନେ ଯାଜପୁର, କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ, ମାହାଙ୍ଗା ଓ ଧର୍ମଶାଳା ପ୍ରଭୃତି ଅଞ୍ଚଳ ବୁଲିଥିଲେ  । ତାଙ୍କ ପ୍ରଚାର ଫଳରେ ବହୁ ଝିଅ, ବୋହୂ ପର୍ଦ୍ଦା ଛାଡି ବାହାରି ଆସି କଂଗ୍ରେସରେ ଯୋଗ ଦେଇଥିଲେ  । ୨୬ ଜାନୁଆରୀ ୧୯୩୦ ଠାରୁ ପୂର୍ଣ୍ଣ ସ୍ୱରାଜ ଦିବସ ପାଳନ ପାଇଁ ଜାତୀୟ କଂଗ୍ରେସ ନିଷ୍ପତ୍ତି ନେଲା  । ରମାଦେବୀ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରି ପ୍ରଥମ ଥର ପାଇଁ ନଭେମ୍ବର ୬ରେ ବନ୍ଦୀ ହୋଇ ୮ ମାସ ଭାଗଲପୁର ଜେଲରେ କାରାବରଣ କଲେ  । ସେଠାରେ ସୀମାନ୍ତ ଗାନ୍ଧିଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା  । ପରେ ପୁଣି ହରିଜନ ଆନେ୍ଦାଳନ ଯୋଗୁ କଟକ ଠାରୁ ଗିରଫ ହୋଇ ହଜାରିବାଗ ଜେଲରେ ରହିଲେ  । ୧୯୩୨ ମସିହାରେ ପୁଣି ସ୍ୱାଧୀନତା ଦିବସରେ ଏକ ସାଧାରଣ ସଭାରେ ସେ ସ୍ୱାଧୀନତା ସମ୍ବନ୍ଧୀୟ ଶପଥ ପାଠ କରି ଗିରଫ ହୋଇଥିଲେ  । ୧୯୩୨ ସେପ୍ଟେମ୍ବର  ମାସରେ ଖଲାସ ହେବା ପରେ ସେ ହରିଜନଙ୍କ ସେବା କାର୍ଯ୍ୟରେ ମନୋନିବେଶ କରିଥିଲେ  । ୧୯୩୪ ମସିହାରେ ଗାନ୍ଧିଜୀ ହରିଜନଙ୍କ ଉନ୍ନତି ନିମନ୍ତେ ଜନଜାଗରଣ ସୃଷ୍ଟି କରିବା ନିମନ୍ତେ ପୁରୀଠାରୁ ଭଦ୍ରକ ପଦଯାତ୍ରା କରିଥିଲେ  । ଗାନ୍ଧିଜୀଙ୍କ ସହ ସେତେବେଳେ ଏହି ପଦ ଯାତ୍ରାରେ ଥିଲେ ମୀରାବେନ, ପ୍ରଭାବତୀ ଦେବୀ, ଗୋପବନ୍ଧୁ ଚୋ÷ଧୁରୀ ଓ ମା’ ରମାଦେବୀ  । ଏହି ସମୟରେ ଗାନ୍ଧିଜୀଙ୍କ ଆହ୍ୱାନରେ ରମାଦେବୀ ଏବଂ ତାଙ୍କର ସାଥୀମାନେ ମଦ ବିରୋଧରେ ସ୍ୱର ଉତ୍ତୋଳନ କରିବା ସହିତ ବିଦେଶୀ ବସ୍ତ୍ର ବର୍ଜନ ଏବଂ ଅସ୍ଫୃଶ୍ୟତା ନିମନ୍ତେ ସ୍ୱର ଉତ୍ତୋଳନ କରିଥିଲେ  । ରମାଦେବୀ ଏହି ପଦ ଯାତ୍ରାରେ ଯାଇଥିବା ସମସ୍ତ ସତ୍ୟାଗ୍ରହୀମାନଙ୍କ ନିମନ୍ତେ ଖାଇବା ଓ ରହିବାର ସୁବନେ୍ଦାବସ୍ତ ଅତ୍ୟନ୍ତ ଶୃଙ୍ଖଳାର ସହିତ କରିଥିବାରୁ ଗାନ୍ଧିଜୀ ଓଡିଶାରୁ ବିଦାୟ ନେଲାବେଳେ ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଓଡ଼ିଶାରେ ନାରୀମାନଙ୍କ ମଧ୍ୟରେ  ବହୁତ କାମ କରିବାକୁ ଅଛି  । ତୁମେ ସେହି କାମରେ ବେଶୀ ମନ ଦିଅ ବୋଲି କହିଥିଲେ  ।
ଗାନ୍ଧିଜୀଙ୍କ ପରାମର୍ଶ କ୍ରମେ ଗ୍ରାମ ସଙ୍ଗଠନ ଓ ରଚନାତ୍ମକ କାର୍ଯ୍ୟ କରିବା ଓ ଗାଁ ଲୋକଙ୍କୁ ଶିକ୍ଷାଦେବା ନିମନ୍ତେ ଗୋପବାବୁଙ୍କ ସହିତ ବରୀ ଅଞ୍ଚଳରେ ସେ ସ୍ଥାୟୀ ଭାବରେ ବସବାସ କରି ରହିଲେ  । ସେଠାରେ ରହି ସେ ପାଇଖାନା ତିଆରି ଓ ସଫା କରିବା ଠାରୁ ସୂତାକଟା, ମହୁଚାଷ ଗୋପାଳନ, ବୃକ୍ଷରୋପଣ, ହରିଜନ ସେବା, ନାରୀ ଜାଗରଣ, ନିଶା ନିବାରଣ, ପିଲାଙ୍କ ମୋ÷ଳିକ ଶିକ୍ଷା, ଗୋସେବା, ମାଛ ପାଳନ, ପ୍ରୌଢଶିକ୍ଷା, ଦେଶୀ ଜିନିଷ ପ୍ରସ୍ତୁତି ଓ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ  । ତାଙ୍କରି ପ୍ରଚେଷ୍ଟାରେ ବୀର ରାମଚନ୍ଦ୍ରପୁରଠାରେ ବାଳବାଡ଼ି କେନ୍ଦ୍ର ମାତୃମଙ୍ଗଳ କେନ୍ଦ୍ର ଓ ଶିଶୁବିହାର ପ୍ରଭୃତି ଜନମଙ୍ଗଳ କାର୍ଯ୍ୟ ଆରମ୍ଭ ହୋଇଥିଲା  । ଲୋକଙ୍କୁ ଜନହିତକର କାର୍ଯ୍ୟଗୁଡିକ ଶିଖେଇବା ସଙ୍ଗେ ଗାଁରେ କେହି ରୋଗଗ୍ରସ୍ତ ହେବାର ଶୁଣିଲେ ସେ ନିଜେ ଯାଇ ରୋଗୀ ସେବାରେ ଲାଗି ଯାଉଥିଲେ  । ବିଶେଷ କରି ଗାନ୍ଧିଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଅସ୍ଫୃଶ୍ୟତା ନିବାରଣ ପାଇଁ ଲଢିଥିଲେ  ।  ନାରୀମାନଙ୍କୁ ଶିକ୍ଷା ଦେଇ ଅନ୍ଧ ବିଶ୍ୱାସ  ଦୂରୀକରଣରେ ଚେଷ୍ଟିତ ଥିଲେ  । ତାଙ୍କ ଲୋକ ହିତକର କାର୍ଯ୍ୟ ଫଳରେ ଯେଉଁ ଜନଜାଗରଣ ଦେଖା ଦେଇଥିଲା ତାହା ୧୯୪୨ ମସିହା ଭାରତ ଛାଡ ଆନେ୍ଦାଳନ ବେଳେ ଏକତ୍ରିତ ହେବାର ପ୍ରମାଣିତ ହୋଇଥିଲା  । ସେ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ  । ଏହି ଆନେ୍ଦାଳନ ବେଳେ ବରୀ ଅଞ୍ଚଳରେ ବହୁ ଲୋକ ଯୋଗଦେଇ କାରାବରଣ କରିଥିଲେ ଓ ପୋଲିସ ଗୁଳିରେ ୫ଜଣ ଲୋକ ପ୍ରାଣ ହରାଇଥିଲେ  । ରମାଦେବୀ ଗିରଫ ହୋଇ ଅଟକ ବନ୍ଦୀ ଭାବରେ ରହିଥିଲେ ଓ ତାଙ୍କ ପରିବାରର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଗିରଫ ହୋଇଥିଲେ  ।୧୯୪୪ରେ ସେ ଜେଲରୁ ଖଲାସ ହୋଇଥିଲେ  ।  ୧୯୪୫ରେ କସ୍ତୁରବା ଗାନ୍ଧି ଟ୍ରଷ୍ଟ ପାଣ୍ଠିର ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲେ  । ୧୯୪୭ ମସିହାରେ ଦେଶ ସ୍ୱାଧୀନ ହେବା ପରେ ରମାଦେବୀ ପ୍ରମୁଖ କ୍ଷମତା ରାଜନୀତିରେ ଯୋଗ ନଦେଇ ଜୀବନର ଅବଶିଷ୍ଟ ସମୟକୁ ସମାଜସେବୀ ଭାବେ ତୁଲାଇବାକୁ ମନ ବଳାଇ ଆଚାର୍ଯ୍ୟ ବିନୋବା ଭାବେଙ୍କ  ଦ୍ୱାରା ‘ସର୍ବୋଦୟ ଆନେ୍ଦାଳନ’ରେ ଯୋଗଦାନ କରିଥିଲେ  ।  ।୧୯୫୧ରେ ରାୟଗଡାରେ ଦୁର୍ଭିକ୍ଷ ପଡିବାରୁ ତାଙ୍କ ନେତୃତ୍ୱରେ କର୍ମୀମାନେ ଯାଇ ସେଠାରେ ଅନ୍ନଛତ୍ର  ଖୋଲିଥିଲେ  । ୧୯୫୨ ଜାନୁଆରୀ ମାସରେ ଗୋପବନ୍ଧୁଙ୍କ ସହିତ ସେ ବରୀରୁ ବାହାରି ବଣ ପାହାଡ ଘେରା ବହୁ ବିପଦ ସଙ୍କୁଳ ରାସ୍ତା ଦେଇ ୮ଟି ଜିଲାରେ ଭୂଦାନ ଯାତ୍ରା କରିଥିଲେ  । ମଝିରେ ସେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇଥିଲେ ହେଁ  ଆରୋଗ୍ୟ ଲାଭ ପରେ ପୁଣି ଯାଯାତ୍ରାର ଶୁଭାରମ୍ଭ  କରିଥିଲେ  ।
୧୯୫୮ ମସିହାରେ ସ୍ୱାମୀ ଗୋପବନ୍ଧୁ ଚୋ÷ଧୁରୀଙ୍କ ଦେହାନ୍ତ ତାଙ୍କୁ ଦାରୁଣ ଆଘାତ ଦେଇଥିଲା  । ମାତ୍ର ସେ ତାଙ୍କ ଅପୂର୍ଣ୍ଣ କାର୍ଯ୍ୟ ପୁରଣ କରିବା ଦିଗରେ ଯତପରୋନାସ୍ତି ଚେଷ୍ଟା କରିଥିଲେ  । ସାଂପ୍ରଦାୟିକ ସଭାବ ପ୍ରତିଷ୍ଠା, ଛାତ୍ର ଅଶାନ୍ତି ସମାଧାନ ତଥା ରୋଗୀ ଓ ଦୁଃସ୍ଥ ଜନତାର ସେବାରେ ମନ ପ୍ରାଣ ତାଳି ଦେଇଥିଲେ  ।  ୧୯୬୦ରେ ବିନୋବାଙ୍କ ପଦଯାତ୍ରା  ପରିଚାଳନାର ଦାୟିତ୍ୱ ନେଇଥିଲେ  । ୧୯୬୨ ମସିହାରେ ଭାରତ ଚୀନ ଯୁଦ୍ଧ ବେଳେ ଅଖିଳ ଭାରତ ଶାନ୍ତି ସେନା ମାଧ୍ୟମରେ ଗୋ÷ହାଟିର ତେଜପୁର ଯାଇ ଆହତ ସୈନ୍ୟମାନଙ୍କର ସେବା କରିଥିଲେ  । ୧୯୬୫  ଉକ୍ରଳ ଗାନ୍ଧି ସ୍ମାରକ ନିଧିର ସଭାପତି ଭାବେ ସେ ମନୋନୀତ ହେଲେ  । ୧୯୬୬ରେ କଳାହାଣ୍ଡି ଜିଲାରେ ଦୁର୍ଭିକ୍ଷ ପଡିବାରୁ ସେଠାରେ ଲୋକଙ୍କୁ ସାହାଯ୍ୟ କରିାବ ପାଇଁ ଉକ୍ରଳ ରିଲିଫ କମିଟି ଗଢିହେଲା  । ସେ ତା’ର ସଭାପତି ଥିଲେ  । ୧୯୬୧-୭୨ରେ ପଶ୍ଚିମବଙ୍ଗର ଦିନାଜପୁରଠାରେ ପୂର୍ବ ବଂଶରୁ  ଆସିଥିବା ଶରଣାର୍ଥୀଙ୍କୁ ସାହାଯ୍ୟ କରିବା ପାଇଁ ସେ ୨୯ଜଣ କର୍ମୀଙ୍କୁ ନେଇ ସେଠାରେ ୫ ମାସ ରହିଥିଲେ  । ୧୯୭୫ ଜରୁରୀକାଳୀନ ପରିସ୍ଥିତି ବେଳେ ତାଙ୍କ ନେତୃତ୍ୱରେ ବିକ୍ଷୋଭ ଶୋଭାଯାତ୍ରା ହୋଇଥିଲା  । ୧୯୭୭ରେ ତାଙ୍କ ଉଦ୍ୟମରେ ଆଚାର୍ଯ୍ୟ ହରିହରଙ୍କ ଶତବାର୍ଷିକୀ ଉପଲକ୍ଷେ କଟକଠାରେ ଆଚାର୍ଯ୍ୟ ହରିହର ମେମୋରିଆଲ ଟ୍ରଷ୍ଟ ଗଠନ ହେଲା ଏବଂ ସେଠାରେ କର୍କଟ ରୋଗ ନିର୍ଣ୍ଣୟ କେନ୍ଦ୍ର ସ୍ଥାପନ ହୋଇଥିଲା  । ସେ ଛାତ୍ର ଓ ଯୁବକମାନଙ୍କର ଅତ୍ୟନ୍ତ ପ୍ରିୟ ଥିଲେ  । ତାଙ୍କ ତ୍ୟାଗପୂତ ଜୀବନବାଣୀ ଅନେକଙ୍କୁ ମୁଗ୍ଧ କରିଥିଲା  ।
ତାଙ୍କ ପ୍ରତି ସମ୍ମାନ ସ୍ୱରୂପ ଭୁବନେଶ୍ୱରସ୍ଥ ସରକାରୀ ମହିଳା କଲେଜର ନାମ ରମାଦେବୀ ମହିଳା କଲେଜ ନାମରେ ନାମିତ  ହୋଇଛି  । ୧୯୮୪ ମସିହାରେ ସେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ବିଧି ପରମ ଭୂଷଣ ଉପାଧି ଓ ଅଭିନନ୍ଦନ ପତ୍ର ପାଇଥିଲେ  । ଜୀବନବ୍ୟାପୀ କରିଥିବା ସେବା ଓ ତ୍ୟାଗ ପାଇଁ ତାଙ୍କୁ ୧୯୮୧ ମସିହାରେ ଯମୁନା ଲାଲ ବାଜାଜ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା  । ଶେଖର ବଜାଜ ନିଜେ ଆସି ତାଙ୍କ ବାସଭବନରେ ଏହି ପୁରସ୍କାର ପ୍ରଦାନ କରି ଆନନ୍ଦ ଓ କୃତଜ୍ଞତା ପ୍ରକାଶ କରିଥିଲେ  । ପୁରସ୍କାର ବାବଦରେ ପାଇଥିବା ଏକ ଲକ୍ଷ ଟଙ୍କା ସମାଜର ଦୁର୍ବଳ ଓ ପତିତମାନଙ୍କ ପାଇଁ ଦାନ କରି ଦେଇଥିଲେ  । ଏ ସଂକ୍ରାନ୍ତରେ ସେ କହିଥିଲେ -
“ପୁରସ୍କାର ଓ ସମ୍ମାନ ହେଲା ଲୋକଦେଖାଣିଆ ଉପହାର, ଭଗବାନଙ୍କ ଆଶୀର୍ବାଦ ହିଁ ପ୍ରକୃତ ପୁରସ୍କାର ଓ ଶ୍ରେଷ୍ଠ ସମ୍ମାନ  ।” ସେ ମଧ୍ୟ ଜଣେ ସୁଲେଖିକା ଥିଲେ  । ୧୯୮୪ରେ ତାଙ୍କ ଆତ୍ମ-ଜୀବନୀ ଜୀବନର ପଥେ ପ୍ରକାଶ ହୋଇଥିଲେ  ।
୧୯୮୫  ମସିହା ଜୁଲାଇ ୨୨ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା  । ସେ ଆଜି ନାହାନ୍ତି ସତ, କିନ୍ତୁ ରଖି ଦେଇ ଯାଇଛନ୍ତି ଚିରନ୍ତନ ସ୍ମୃତି  ।  ସଂଗ୍ରାମ କାଳରେ ସେ ଯେତେ ଆନେ୍ଦାଳନ ଏବଂ ଯେତେ ଜରୁରୀ ପରିସ୍ଥିତିରେ ସାମନା କରିଥିଲେ, ସବୁଠି ଥିଲେ ସିଏ  । ତାଙ୍କର ବିଶ୍ରାମ ପାଇଁ ବାସ ଟିକିଏ ମିଳୁନଥିଲା ତ କେତେବେଳେ ପେଟକୁ ଆହାର ମଧ୍ୟ ପାଉନଥିଲେ କେତେ ବେଳେ ପୋଲିସର ଆକଟ ଓ ପ୍ରଶାସନର ଧମକ ଥିଲା, ତା ସତ୍ତ୍ୱେ ଦେଶ ମାତୃକା ପାଇଁ ତାଙ୍କର ତ୍ୟାଗ, ସାଧନା ଓ ସେବା ବଳରେ ସେ ଯାହା କରି ଯାଇଛନ୍ତି ବାସ୍ତବରେ ଚିର ସ୍ମରଣୀୟ  ।
ଏମ.ଆଇ.ଜି.ୱାନ ୪୨/୧
ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ
ଭୁବନେଶ୍ୱର- ମୋ ୯୧୭୮୯୦୮୭୬୩