ଘର ଆଗରୁ ପୂର୍ବତ୍ତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର

ହତ୍ୟା ଅଭିଯୋଗ; ଜଣଙ୍କୁ ଅଟକ ରଖି ପୁଲିସର ପଚରାଉଚରା
ଭୁବନେଶ୍ୱର,୧୧ା୧୨ : ଏୟାରଫିଲ୍ଡ ଥାନା ଅନ୍ତର୍ଗତ ବୀରବନ୍ଧ ଗାଁର ପୂର୍ବତନ ସରପଞ୍ଚଙ୍କ ରକ୍ତାକ୍ତ ମୃତଦେହ ତାଙ୍କ ଘର ସମ୍ମୁଖରୁ ପୁଲିସ ବୁଧବାର ସକାଳେ ଉଦ୍ଧାର କରିଛି । ପୂର୍ବତନ ସରପଞ୍ଚ ବାଉରୀବନ୍ଧୁ ବେହେରାଙ୍କୁ କେହି ଜଣେ ହତ୍ୟା କରିବା ପରେ ଏପରି ରକ୍ତାକ୍ତ ଅବସ୍ଥାରେ ତାଙ୍କ ମୃତଦେହକୁ ଘର ପାଖରେ ଫୋଫାଡ଼ି ଦେଇ ଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖବରପାଇ ଏୟାରଫିଲ୍ଡ ଥାନା ପୁଲିସ ଓ ସାଇଣ୍ଟିଫିକ୍ ଟିମର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିବା ବେଳେ, ପ୍ରାଥମିକ ପର୍ଯ୍ୟାୟରେ ପଡ଼ିଶା ଘରର ପ୍ରମୋଦ ସାମନ୍ତରାୟକୁ ଥାନାକୁ ନେଇ ଏନେଇ ଅଧିକ ପଚରାଉଚରା କରୁଥିବା ଜୋନ ଏସିପି କୃଷ୍ଣଚନ୍ଦ୍ର ପଲେଇ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ମୃତ ବାଉରୀବନ୍ଧୁଙ୍କ ବୟସ ୬୮ ବର୍ଷ ହୋଇଥିବାରୁ ହୃଦଘାତ ଯୋଗୁଁ ତାଙ୍କର ମୃତୁ୍ୟ ହୋଇଥିବା ସ୍ଥାନୀୟ ଲୋକେ ମଧ୍ୟ ସନେ୍ଦହ କରୁଛନ୍ତି । ତେବେ ଏନେଇ ଏସିପି ଶ୍ରୀ ପଲେଇ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କହିଛନ୍ତି ବାଉରୀବନ୍ଧୁଙ୍କ ହୃଦଘାତରେ ମୃତୁ୍ୟ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ବାଉରୀବନ୍ଧୁ ସ୍ଥାନୀୟ ପଞ୍ଚାୟତରେ ବେଶ କିଛି ବର୍ଷ ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ । ଯେଉଁ କାରଣରୁ ସେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ତେବେ ତାଙ୍କ ପଡ଼ିଶା ଘର ପାଖରେ ରହୁଥିବା ପ୍ରମୋଦ ସାମନ୍ତରାୟଙ୍କ ସହ ତାଙ୍କର ବହୁ ସମୟରେ ପାଟିତୁଣ୍ଡ ହେଉଥିଲା । ପ୍ରମୋଦ ଜଣେ ନିଶାସକ୍ତ ବ୍ୟକ୍ତି ଥିବାରୁ ସେ ଅଧିକାଂଶ ସମୟରେ ନିଶା ସେବନ ଲାଗି ବାଉରୀବନ୍ଧୁଙ୍କ ଠାରୁ ଟଙ୍କା ଧାରରେ ନେଉଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ଟଙ୍କାକୁ ସେ ଫେରସ୍ତ କରୁ ନଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ସବୁ ସମୟରେ ପାଟିତୁଣ୍ଡ ଲାଗି ରହୁଥିଲା । ମୃତ ବାଉରୀଙ୍କ ପରିବାର ଲୋକଙ୍କ କହିବା ନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରମୋଦ ହିଁ ବାଉରୀଙ୍କୁ ବାହାରକୁ ଡାକି ନେଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ । ପରେ ସକାଳୁ ପ୍ରମୋଦଙ୍କ ଘର ସମ୍ମୁଖରୁ ହିଁ ବାଉରୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ପ୍ରଥମେ ସ୍ଥାନୀୟ ଲୋକେ ପରେ ପୁଲିସ ଠାବ କରିଥିଲା । ତେଣୁ ପ୍ରମୋଦ ସବୁଦିନ ପରି ନିଶା ସେବନ କରିବା ବାଉରୀଙ୍କ ସହ ଝଗଡ଼ା କରି ଏପରି ହତ୍ୟାକାଣ୍ଡ ଭିଆଇଥିବା ଥାନାରେ ଅଭିଯୋଗ ହେଉଛି ।