ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ; ଅଭିଯୁକ୍ତ ଗିରଫ

ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ; ଅଭିଯୁକ୍ତ ଗିରଫ


 ଭୁବନେଶ୍ୱର, ୨୨ା୬ : ପୂର୍ବ ରାଗକୁ ନେଇ ମହିଳାଙ୍କୁ ଘରେ ପଶି ମରଣାନ୍ତକ ଆକ୍ରମଣ । ଅଭିଯୁକ୍ତ ମାନେ ମହିଳା ଜଣଙ୍କ ଏକା ରହିଥିବା ସମୟରେ ଘରର କବାଟ ଭାଙ୍ଗି ଘରେ ପଶି ଲୁହାରଡ଼ ଓ କାଠଫାଳିଆରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୁଲିସ ଥାନା କେସ ନମ୍ବର - ୦୨ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଶନିବାର ଦିନ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ବାକି ୩ ଜଣ ଅଭିଯୁକ୍ତ ଫେରାର ରହିଥିବା ବେଳେ, ପୁଲିସ  ଦଫା ୨୯୪,୩୨୩,୪୨୭,୪୫୨,୩୫୪-ବି,୫୦୬,୩୪ ଆଇପିସି ଧାରାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ, ଚିନ୍ତମାଣୀଶ୍ୱର ଚମ୍ପାପୋଖରୀ ଅଞ୍ଚଳର ରବୀନ୍ଦ୍ର ପ୍ରତାପସିଂହ  ଓରଫ(ଲଣ୍ଡା) ।
 ସୂଚନାଯୋଗ୍ୟଯେ, ଜାନୁୟାରୀ ୧ ତାରିଖରେ ଅଭିଯୋଗକାରିଣୀ ବାବି ପ୍ରଧାନ ନିଜ ଘରେ ଏକୁଟିଆ ଥିବା ସମୟରେ ଅଭିଯୁକ୍ତ ଲଣ୍ଡା ଓ ତାର ୩ ଜଣ ସହଯୋଗୀ ମାରଣାସ୍ତ୍ର ସହ ତାଙ୍କ ଘରେ ପଶି ପୀଡ଼ିତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ମରଣାନ୍ତକ ଆକ୍ରମଣ କରିବାକୁ ପ୍ରୟାସ କରିଥିଲେ । ଏତିକି ବେଳେ ପୀଡ଼ିତା ଜଣଙ୍କ କୌଶଳକ୍ରମେ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଏହି ସମୟରେ ପୀଡ଼ିତାଙ୍କ ୨ ଭଉଣୀ ଏହାର ବିରୋଧ କରିବାରୁ ଅଭିଯୁକ୍ତମାନେ ସେମାନଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଏକ କାଠଫାଳିଆରେ ଆକ୍ରମଣ କରି ଘରର କବାଟ ଭାଙ୍ଗି ଫେରାର ହୋଇଯାଇଥିଲେ । ଏନେଇ ପୀଡ଼ିତା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଅଭିଯୋଗର ୫ ମାସ ପରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ବାକି ଫେରାର ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି ।