ଲଗାଣ ବର୍ଷାରେ ବେହାଲ ସହର ; ବିଦ୍ୟାଳୟ ପରିସରରେ କୃତ୍ରିମ ବନ୍ୟା
ମାଲକାନଗିରି : ବଙ୍ଗୋପସାଗର ଲଘୁଚାପ ସୃଷ୍ଟି ହେବା ଦ୍ୱାରା ଗତକାଲି ଠାରୁ ସମଗ୍ର ଜିଲ୍ଲାରେ ବର୍ଷା ଲାଗିରହିଛି । ଏହି ବର୍ଷାରେ ବିଭିନ୍ନ ନଦୀ ନାଳ, ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ବିଶେଷ କରି ସଦର ମହକୁମା ଠାରେ ଥିବା କୁମୁଟିଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ବିଦ୍ୟାଳୟ ପଛ ପାର୍ଶ୍ୱରେ ଥିବା ଷ୍ଟେଟବ୍ୟାଙ୍କ ଗ୍ରାମୀଣ ସ୍ୱରୋଜଗାର ତାଲିମ ପ୍ରାତିଷ୍ଠାନ ପକ୍ଷରୁ ଖୋଳା ଯାଇଥିବା ଏକ ବିରାଟ ଖାଲ ଯୋଗୁଁ ଜଳସ୍ତର ବୃଦ୍ଧି ପାଇ ଉକ୍ତ ବିଦ୍ୟାଳୟର ଶ୍ରେଣୀ ଗୃହରେ ପାଣି ପଶିବା ଦ୍ୱାରା ଶିକ୍ଷା ଦାନରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି । ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସ୍କୁଲ କମିଟି ପକ୍ଷରୁ ବାରମ୍ବାର କୁହାଯାଇଥିଲେ ମଧ୍ୟ ଉକ୍ତ ଖାଲଟିକୁ ପୋତା ଯାଇନଥିବାରୁ ସେଠାରେ ପାଣି ଜମି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇ ମଶା ବଂଶ ବୃଦ୍ଧି ପାଇବା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଓ କୁମୁଟିଗୁଡା ବସ୍ତିବାସନ୍ଦାଙ୍କୁ ମ୍ୟାଲେରିଆ ଜ୍ୱର ହେବା ନେଇ ଆଶଙ୍ଖା ପ୍ରକାଶ ପାଉଛି । ବର୍ଷା ଦ୍ୱାରା ଗୋବିନ୍ଦପାଲି ଘାଟି ସପ୍ତଧାରା ନଦୀ ଜଳ ଉଛୁଳି ନିଚା ରାସ୍ତା ଉପରେ ୩ଫୁଟ ଉଚ୍ଚର ପାଣି ଯିବା ଦ୍ୱାରା ଜୟପୁର ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଦୁଇପାର୍ଶ୍ୱରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଠପ ହୋଇଯାଇଥିଲା । ମାଲକାନଗିରି ଜିଲ୍ଲାର ୭ଟି ବ୍ଲକ ଅଞ୍ଚଳରେ ୨୪ଘଣ୍ଟା ମଧ୍ୟରେ ସର୍ବମୋଟ ୩୪୩ ମିଲିମିଟରେ ବର୍ଷା ହୋଇଥିବାବେଳେ ସମଗ୍ର ଜିଲ୍ଲାରେ ହାରାହାରି ୪୯.୦୧ ମିଲିମିଟର ବର୍ଷା ହୋଇଥିବା ଜଣାପଡିଛି ।