ବିଲ ଭିତରକୁ ଓଲଟିଲା ଗୋରୁ ବୋଝେଇ ଜାଇଲୋ

 ତିହିଡି : ବିରୋଧ ସତ୍ତ୍ୱେ ବନ୍ଦ ହେଉନି ବେଆଇନ ଗୋରୁ ଚାଲାଣ । ମଙ୍ଗଳବାର ରାତି୍ରରେ ଗୋରୁ ବୋଝେଇ ଜାଇଲୋ କାର ରାସ୍ତା ତଳକୁ ଯାଇ ବିଲ ମଝିରେ ଓଲଟି ପଡ଼ିବା ପରେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ବେଆଇନ ଗୋରୁ ଚାଲାଣ କିପରି ବେଧଡ଼କ ଚାଲିଛି ତାହା ସ୍ପଷ୍ଟ ହୋଇଯାଇଛି । ପୀରହାଟ ଥାନା ଅଧୀନ ଆଦର୍ଶ ବିଦ୍ୟାଳୟ ଛକ ନିକଟରେ ଜାଇଲୋ କାରଟି ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଓଲଟି ପଡ଼ିଥିଲା । ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚôଥିଲେ । ତିହିଡ଼ି ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଦୁର୍ଘଟଣା ସ୍ଥଳ ପୀରହାଟ  ଥାନା ଅଧୀନରେ ହୋଇଥିବାରୁ ପୀରହାଟ ପୁଲିସକୁ ଖବର ଦେଇଥିଲେ । ପୁଲିସ ଉପସ୍ଥିତିରେ ଉପସ୍ଥିତ ଯୁବକମାନେ ୮ ଗୋଟି ଗୋରୁ ଉଦ୍ଧାର କରିଥିଲେ । ଗୋରୁ ଗୋଡ଼ିକର ବେକ, ଗୋଡ଼ ଆଦି ଦଉଡିରେ ବନ୍ଧା ହୋଇ ଗୋଟିଏ ଉପରେ ଗୋଟିଏ ଲଦା ଯାଇଥିଲେ । ରାତି୍ରରେ ଗୋରୁ ଗୋଡ଼ିକ ଚାଲି ଯାଇଥିବା ବେଳେ ପୁଲିସ ମାତ୍ର ୩ ଗୋଟି ଗୋରୁ ଜବତ କରିଛି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ଏ ନେଇ ପ୍ରତିକ୍ରିୟା ଜାଣିବା ପାଇଁ ପୀରହାଟ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ଏକ ମାମଲା ରୁଜୁ ହୋଇଛି ଏବଂ ଗାଡ଼ି ଓ ୩ ଗୋରୁ ଜବତ ହୋଇଛି ବୋଲି କହିବା ସହ ଏହି ଘଟଣା ସମ୍ପର୍କରେ ଅଧିକ କିଛି ତଥ୍ୟ ଦେଇପାରିବେ ନାହିଁ ବୋଲି କହିଛନ୍ତି । ଗାଡ଼ିର ମାଲିକ କିଏ, ଗାଡ଼ି କିଏ ଚଳାଉଥିଲା, ଗାଡ଼ିର କାଗଜପତ୍ର ଅଛି କି ନାହିଁ ଆଦି ସବୁ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ତଦନ୍ତ କରିବାକୁ ଜନସାଧାରଣ ଦାବି କରିଛନ୍ତି ।