ରୋଗ ଶଯ୍ୟାରେ କଟୁଛି ଜୀବନ : ବିଜେଡି ପାଇଁ ଅଲୋଡ଼ା ବୁଲୁ
ଟମକା : ବିଜେଡି ଦଳର ସେ ଥିଲେ ଆନୁଗତ୍ୟ । ଶଙ୍ଖ ଚିହ୍ନ ପାଇଁ ସେ ଥିଲେ ସମର୍ପିତ । ସେ ପଞ୍ଚାୟତ ନିର୍ବାଚନ ହେଉ କିମ୍ବା ସାଧାରଣ ନିର୍ବାଚନ ସବୁଥିରେ ଦଳ ପ୍ରତି ତାଙ୍କର ରହିଥିଲା ନିସ୍ୱାର୍ଥ ଅବଦାନ । ଗାଁର ସଭାସମିତି ହେଉ କିମ୍ବା ନେତାଙ୍କ ନିର୍ବାଚନୀ ପ୍ରଚାର ସବୁଥିରେ ସେ ରହୁଥିଲେ ଆଗରେ । ଜଣେ ଯୁବ ସଙ୍ଗଠକ ଓ ଆଗ ଧାଡିର କର୍ମୀ ହିସାବରେ ସେ ଥିଲେ ପରିଚିତ । ଏଥିପାଇଁ ଅନ୍ୟ ଦଳ ତରଫରୁ ତାଙ୍କୁ ବହୁ ଲୋଭନୀୟ ଅଫର ଆସେ, ହେଲେ ଆର୍ଥିକ ଅଭାବ ଓ ଅନାଟନରେ ରହି ମଧ୍ୟ ସେ ଏହାକୁ ପ୍ରତ୍ୟାଖାନ କରିଛନ୍ତି । ଏହା ଥିଲା ତାଙ୍କ ଦଳ ପ୍ରତି ସମର୍ପଣ ଭାବର ନିଦର୍ଶନ । ହେଲେ ସେହି ଦଳ କିମ୍ବା ନେତାଙ୍କ ପାଇଁ ସେ ଆଜି ଅଲୋଡା । ଯେଉଁ ଦଳ ଓ ଯେଉଁ ନେତାଙ୍କ ପାଇଁ ସେ ଏତେ ସମୟ ଦେଇଥିଲେ ଏତେ ଖଟିଥିଲେ ହେଲେ ତାଙ୍କର ଦୁର୍ଦ୍ଦିନରେ ତାଙ୍କୁ ଆହା ପଦେ କହିବାକୁ କେହି ନ ଆଗେଇ ଆସିବା ଘଟଣା ଆଜି ପରିତାପର ବିଷୟ । ଦୂର୍ଯେ୍ୟାଧନ ମହାନ୍ତ । ଓରଫ ବୁଲୁ । ଦାନଗଦୀ ବ୍ଲକ୍ ଅନ୍ତର୍ଗତ ଦେଉଳକଣ ପଞ୍ଚାୟତ ୪ନମ୍ବର ୱାର୍ଡର ଅଁଳାପଦା ଗ୍ରାମ ହେଉଛି ଏହି ଯୁବକଙ୍କ ଠିକଣା । ପେଶାରେ ଦିନ ମଜୁରିଆ ହୋଇଥିଲେ ମଧ୍ୟ ରାଜନୀତିରେ ସେ ଥିଲେ ଜଣେ ସକ୍ରୀୟ କର୍ମୀ । ବିଜୁ ଜନତା ଦଳ ପ୍ରତି ତାଙ୍କର ଭଲ ପାଇବା ରହିଥିବା ବେଳେ ପୂର୍ବତନ ମନ୍ତ୍ରୀ ପ୍ରୀତରଞ୍ଜନ ଘଡାଇଙ୍କ ପ୍ରତି ସେ ହୋଇଥିଲେ ଅନୁପ୍ରାଣିତ । ୱାର୍ଡସ୍ତରର କର୍ମୀ ହିସାବରେ ବୁଲୁ ବିଜୁ ଜନତା ଦଳ ପାଇଁ ଅନେକ କାର୍ଯ୍ୟ କରିଥିବାର ନଜିର ରହିଛି ।
ସାହି ସାହିରେ ଯୁବକଙ୍କୁ ଏକତ୍ରିତ କରି ସଂଗଠନ କରିବା ଠାରୁ ଆରମ୍ଭ କରି ର୍ୟାଲି ପ୍ରଭୃତିରେ ତାଙ୍କୁ ଆଗରେ ଦେଖିବାକୁ ମିଳେ । ହେଲେ ବିଧିର ବିଧାନ ତାଙ୍କୁ ଆଜି ଶଯ୍ୟାଶାୟୀ କରି ପକାଇଛି । ଦଳ ପାଇଁ ଦୌଡୁଥିବା ବୁଲୁ ଆଜି ସଳଖି ଛିଡା ହେବାକୁ ଅସମର୍ଥ ପାଲଟିଛନ୍ତି । ଜାନୁଆରୀ ମାସରେ କାମ କରିବାକୁ ଯାଉଥିବା ବେଳେ ସେ ମସ୍ତିଷ୍କ ଆଘାତ (ବ୍ରେନ୍ ଷ୍ଟ୍ରୋକ୍)ର ଶିକାର ହୋଇଥିଲେ । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ମଧ୍ୟ ଅର୍ଥାଭାବରୁ ସେ ଉପଯୁକ୍ତ ଚିକିତ୍ସା କରାଇ ପାରିନଥିଲେ । ଯାହାଫଳରେ ସେ ଏବେ ଘରେ ଶଯ୍ୟାଶାୟୀ ହୋଇ ପଡିଛନ୍ତି । ପରିସ୍ଥିତି ଏପରିକି ବିଛଣାରେ ପଡି ପଡି ତାଙ୍କ ପଠିରେ ଏକ ଘା’ ମଧ୍ୟ ହୋଇପଡିଛି । ଏଭଳି ପରିସ୍ଥିତିରେ ଖବର ପାଇ ଭରଷା ପରିବାର ଚଳିତ ମାସ ୨୧ ତାରିଖରେ ତାଙ୍କ ପାଖରେ ପହଁଚିଥିଲା ।
ବୁଲୁଙ୍କ ଦୟନୀୟତାକୁ ଦେଖି ଏହି ପରିବାର ତରଫରୁ ତାଙ୍କୁ ଏକ ହୁଇଲ୍ ଚେୟାର ପ୍ରଦାନ କରାଯାଇଛି । ହେଲେ ଯେଉଁ ଦଳ ଓ ନେତାଙ୍କ ପାଇଁ ସେ ଏତେ କରୁଥିଲେ ସେ କ’ଣ ଦେବା ତାହାତ ପରର କଥା ହେଲେ ତାଙ୍କର ପାଦ ଟିକେ ତାଙ୍କ ଘରେ ନପଡିବା ଦୁଃଖ ଓ ପରିତାପର ବିଷୟ । ବୁଲୁଙ୍କ ଦୁସ୍ଥ ଜୀବନ ବିଷୟରେ ନେତାଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ସେ ତାଙ୍କ ଘରେ ପହଞ୍ଚôନଥିବା ସୂଚନା ମିଳିଛି । ଯାହା ତାଙ୍କ ପରିବାର ଜନଙ୍କୁ ମଧ୍ୟ ବ୍ୟଥିତ କରିଛି । ଏଠାରେ ପ୍ରଶ୍ନ ଉଠେ ଦଳ ପାଇଁ ସମର୍ପିତ ବୁଲୁଙ୍କ ଘରେ ପଂହଚି ଆହା ପଦେ କହିବା କ’ଣ ନେତାଙ୍କ ପାଇଁ ଉଚିତ ନଥିଲା କି? ସେ ଯାହା ହେଉ ନା କାହିଁ କି ରାଜନୀତିରେ ନିଜ ଜୀବନକୁ ପଥଭ୍ରଷ୍ଟ କରୁଥିବା ଯୁବ ସମାଜ ପାଇଁ ଏଭଳି ଘଟଣା ଏକ ଶିକ୍ଷଣୀୟ ବିଷୟ ହୋଇଥିବା ବେଳେ ଯୁବ ସମାଜ ଏହାକୁ ହୃଦୟଙ୍ଗମ କରିବା ଜରୁରୀ ହୋଇପଡିଛି ।