୪କୁଖ୍ୟାତ ମାଓବାଦୀ ନିପାତ, ମାଓ ସାମଗ୍ରୀ ଜବତ

ମାଲକାନଗିରି: ମହାରାଷ୍ଟ୍ର ପୁଲିସ ଓ ସିଆରପିଏଫଙ୍କ ମାଓବାଦୀ ବିରୋଧରେ ଏକ ବଡ଼ ଅପରେସନ୍ । ସୁରକ୍ଷା ବାହିନୀ ଏବଂ ମାଓମାଦୀଙ୍କ ମଧ୍ୟରେ ଗୁଳିବିନିମୟ ମଧ୍ୟରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ଗୁଳିମାଡ଼ରେ ୪ ଜଣ ମାଓବାଦୀ ନିପାତ ହୋଇଛନ୍ତି । ମହାରାଷ୍ଟ୍ର - ଛତିଶଗଡ଼ର ସୀମାନ୍ତ ଗଡ଼ଚିରୋଲି ଥାନା ଅଧୀନ ଏକ ଜଙ୍ଗଲରେ ଆଜି ସକାଳୁ ହୋଇଥିବା ଏନ୍‌କାଉଣ୍ଟରରେ ମାଓବାଦୀମାନେ ପୁଣି ଥରେ ପରାଜିତ ହୋଇଛନ୍ତି ।

                                 

ମାଓବାଦୀମାନେ ଏକ ବଡ଼ଧରଣର ଅଘଟଣ ଘଟାଇବାକୁ ଯାଉଛନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ପୁଲିସକୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମେଶଙ୍କ ନେତୃତ୍ବରେ ମାଓବାଦୀଙ୍କ ବିରୋଧରେ ୧୨ସି୬୦ କମାଣ୍ଡୋ ଟିମ୍ ନେଇ ସର୍ଚ୍ଚ ଅପରେସନ କରାଯାଇଥିଲା । ପ୍ରବଳ ବର୍ଷା ସତ୍ତ୍ବେ ଗୁରୁବାର ଅପରାହ୍ଣ ଠାରୁ କୱାଣ୍ଡେ ଓ ନେଲଗୁଣ୍ଡାରେ ଅପରେସନ ଜାରି କରିଥିଲା । ପରେ ଏହି ଟିମ୍ ଇନ୍ଦ୍ରାବତୀ ରିଭର ବ୍ୟାଙ୍କ ଆଡ଼କୁ ଅଗ୍ରସର ହେବା ସମୟରେ ମାଓବାଦୀମାନେ ପ୍ରଥମେ ଗୁଳିବର୍ଷା କରିଥିଲେ, ଯାହାକୁ ସୁରକ୍ଷା ବାହିନୀର ଯବାନମାନେ ସହଜରେ ମୁକାବିଲା କରିଥିଲେ । ଗୁଳିବିନିମୟ ପ୍ରାୟ ୨ ଘଣ୍ଟା ଯାଏଁ ଜାରି ରହିଥିଲା। ଅପରେସନ ସମୟରେ ସୁରକ୍ଷା ବାହିନୀ ୪ ଜଣ ମାଓବାଦୀଙ୍କର ମୃତଦେହ, ଗୋଟିଏ ସ୍ବୟଂଚାଳିତ ରାଇଫଲ, ୨ଟି ୩୦୩ ରାଇଫଲ ଆଦି ଉଦ୍ଧାର କରିଥିଲେ। ଏଥି ସହିତ ସୁରକ୍ଷା ବାହିନୀକୁ ଘଟଣାସ୍ଥଳରେ ୱାକି-ଟକି ସହିତ ମାଓସାମଗ୍ରୀ ମିଳିଥିଲା ।